ବାହାନଗା ରେଳ ଦୁର୍ଘଟଣା: ଚିକିତ୍ସିତ ହେଉଛନ୍ତି ୧୯୮ ଆହତ

ଭୁବନେଶ୍ବର : ବାଲେଶ୍ବର ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦୁର୍ଘଟଣାରେ ଆଜି ପର୍ଯ୍ୟନ୍ତ ମୋଟ ୧୨୦୭ ଆହତଙ୍କ ଚିକିତ୍ସା କରାଯାଇଛି। ତହିଁରୁ ୧୦୦୯ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଚିକିତ୍ସିତ ହେଉଥିବା ୧୯୮ଜଣଙ୍କ ମଧ୍ୟରୁ ଜଣେ ମାତ୍ର ଗୁରୁତର ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ ଓ ତାଙ୍କ ଟିମ୍ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ରେଳ ଦୁର୍ଘଟଣାରେ ଆହତଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦେଶକଙ୍କ ସମେତ କାଉନସେଲର ଓ ମାନସିକରୋଗ ସାମାଜିକ କର୍ମୀ ଏସ୍‌ସିବି ମେଡିକାଲ କଲେଜ ପରିଦର୍ଶନ କରିଛନ୍ତି। ସର୍ଜରି, ଅସ୍ଥିଶଲ୍ୟ, ନ୍ୟୁରୋସର୍ଜରି ଓ ଚକ୍ଷୁ ବିଭାଗରେ ଭର୍ତି ହୋଇଥିବା ଆହତମାନଙ୍କୁ କାଉନସେଲିଂ କରିଛନ୍ତି। ଏହାସହ ଏସ୍‌ସିବିସ୍ଥିତ ମାନସିକ ରୋଗ ବିଭାଗର ଏକ ଟିମ୍ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ଆହତଙ୍କ ମନୋବଳ ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର