ବାହାନଗା ରେଳ ଦୁର୍ଘଟଣା: ଏସ୍‌ସିବିରେ ତୃତୀୟ ମୃତ୍ୟୁ, ​ମୋଟ ସଂଖ୍ୟା ୨୯୧

କଟକ : ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା  ଶନିବାର ଦିନ ପୁଣି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବିହାର ଭାଗଲପୁରର ବାସିନ୍ଦା ସୋଇମ ମନସୁର(୩୩)। ଏହାକୁ ମିଶାଇ ବାହାନଗା ରେଳ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୯୧ରେ ପହଞ୍ଚି ଥିବା ବେଳେ କଟକ ବଡ଼ ମେଡିକାଲରେ ଏହା ହେଉଛି ତୃତୀୟ ମୃତ୍ୟୁ। ଏଯାଏ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିବା ସବୁ ବ୍ୟକ୍ତି ବିହାରର ବୋଲି ଜଣାପଡିଛି। ସମସ୍ତେ ଶ୍ରମିକ ଶ୍ରେଣୀର ଓ ସେମାନେ କାମ ପାଇଁ ଯାଉଥିଲେ। ଦୁର୍ଘଟଣା ପରେ ସୋଇମ୍‌ଙ୍କର କିଡନି ସମସ୍ୟା ଦେଖା ଦେଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମନସୁରଙ୍କ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ସହ ମୃତଦେହକୁ ସ୍ବତନ୍ତ୍ର ଗାଡିରେ ତାଙ୍କ ଗାଁକୁ ପଠାଯାଇଥିବା ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଜୁନ୍‌ ୧୩ ତାରିଖରେ ବିହାରର ବିଜୟ ପାଶୱାନଙ୍କର ଓ ଜୁନ୍ ୧୬ ତାରିଖରେ ପ୍ରକାଶ ରାମଙ୍କର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏସ୍‌ସିବିରେ ଏବେ ୪୨ଜଣ ଆହତ ଚିକିତ୍ସିତ ହେଉଥିବାବେଳେ ସେଥିରୁ ଆଇସିୟୁରେ ୧୨ଜଣ ଚିକିତ୍ସିତ ହେଉଛନ୍ତି। ଏସ୍‌ସିବିରେ ଯେଉଁ ୪୨ଜଣ ଚିକିତ୍ସିତ ହେଉଛନ୍ତି ସେଥିରୁ ପଶ୍ଚିମବଙ୍ଗର ସର୍ବାଧିକ ୧୭, ବିହାରର ୧୨, ଓଡ଼ିଶାରୁ ୯, ଝାଡଖଣ୍ଡ, ମହାରାଷ୍ଟ୍ର, ନେପାଳ ଓ ତାମିଲନାଡୁର ଜଣେ ଲେଖାଏ ଆହତ ଅଛନ୍ତି।

ସମ୍ବନ୍ଧିତ ଖବର