ବାହାନଗା ରେଳ ଦୁର୍ଘଟଣା: ଥଳକୂଳ ପାଉନି ସିବିଆଇ

ଜବତ ହେଲା ସେନସର୍, ଅଟୋମେଟିକ୍‌ ସୁଇଚ୍, ଲାଇଟ୍ ଓ ବୋର୍ଡ

ଭୁବନେଶ୍ବର : ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗଲା ୫ଦିନ ହେଲାଣି ଛାନଭିନ୍ ଚଳାଇଥିବା ସିବିଆଇର ସ୍ବତନ୍ତ୍ର ଟିମ୍ କାଣିଚାଏ ସୁରାକ୍ ପାଇପାରି ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣା କେମିତି ଘଟିଲା? ଦୁର୍ଘଟଣା ପଛର କାରଣ କ’ଣ? ମନୁଷ୍ୟକୃତ ନା ଯାନ୍ତ୍ରିକ? ଏହା ପଛରେ ଷଡ଼ଯନ୍ତ୍ର ରହିଛି କି? ଏମିତି ଅନେକ ଦିଗକୁ ନେଇ ସିବିଆଇ ଟିମ୍ ତଦନ୍ତ ଜାରି ରଖିଛି। ଏକାଧିକ ଅଟୋମେଟିକ୍ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜବତ ମଧ୍ୟ କରିଛି। ଦୁର୍ଘଟଣା ସଂକ୍ରାନ୍ତରେ ଷ୍ଟେସନ୍‌ ମାଷ୍ଟର, ସିଗନାଲ୍ କର୍ମଚାରୀ, ରେଳ ଅଧିକାରୀ, ବୈଷୟିକ ଓ ବିଶେଷଜ୍ଞ ଦଳ ସହ ତିନିଥର ଘଣ୍ଟାଘଣ୍ଟା ଧରି ଆଲୋଚନା ମଧ୍ୟ କରିଛି। ନା ରେଳ ଅଧିକାରୀ ନା ବୈଷୟିକ ଟିମ୍, କେହି ମଧ୍ୟ ସିବିଆଇକୁ ସଠିକ୍ ତଥ୍ୟ ଦେଇ ପାରୁନଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବିଭିନ୍ନ ସମୟରେ ତଥ୍ୟ ବଦଳାଉଥିବା ବେଳେ ତାଳମେଳ ମଧ୍ୟ ରହୁନି। ଫଳରେ ସିବିଆଇ ଟିମ୍ ତଦନ୍ତକୁ କେମିତି ଆଗେଇବ, ତାହାର ଥଳକୂଳ ପାଉନି।

DCIM100MEDIADJI_0684.JPG

କେବଳ ଘଟଣାସ୍ଥଳରେ ଯାଞ୍ଚ, ସାମଗ୍ରୀ ଜବତରେ ତଦନ୍ତ ସୀମିତ ହୋଇ ରହିଛି। ସିବିଆଇ ତଦନ୍ତରୁ ସେମିତି କିଛି ଫଳ ବାହାରିବନି ବୋଲି ଆରମ୍ଭରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ। କେବଳ ନେତା ନୁହଁନ୍ତି, ରେଳ ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ସିବିଆଇ ହାତକୁ ତଦନ୍ତ ଟେକି ଦେଇଥିବା ସାଧାରଣରେ ଚର୍ଚ୍ଚା ମଧ୍ୟ ହୋଇଥିଲା। ତଦନ୍ତର ୫ଦିନ ପରେ ମଧ୍ୟ ସାମାନ୍ୟତମ ସୁରାକ୍ ପାଇ ପାରୁ ନଥିବା ସିବିଆଇ ପୂରା ମାମଲା ଉପରୁ କେମିତି ପରଦା ହଟାଇବ, ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି।

ଅନ୍ୟପକ୍ଷରେ ଆଜି ସିବିଆଇର ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ଯାଇ ସିଗନାଲ୍ ରୁମରେ ଥିବା ସେନସର୍, ଅଟୋମେଟିକ ସୁଇଚ୍, ଲାଇଟ୍ ଓ ବୋର୍ଡ ଜବତ କରିଛି। ଏହାକୁ ବିଶେଷଜ୍ଞଦଳ ଯାଞ୍ଚ କରିବା ସହ ସେଣ୍ଟ୍ରାଲ ଫୋରେନସିକ୍ ଲାବରେଟୋରିକୁ ପଠାଯିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ମୋବାଇଲ ଫୋନ୍, ସିଗନାଲ ରୁମ୍ ହାର୍ଡଡିସ୍କ, ଲଗ୍‌ ବୁକ୍ ଆଦି ସାମଗ୍ରୀ ଜବତ କରିଥିଲା ସିବିଆଇ। କେତେକ କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର