ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ୨୯ ଦିନ ପରେ ନିଜ ସମ୍ପର୍କୀୟଙ୍କ ମୃତଦେହକୁ ପାଇବା ଲାଗି ଚାହିଁ ରହିଥିବା ଲୋକଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। ଏମ୍‌ସର କଣ୍ଟେନର୍‌ରେ ରହିଥିବା ୮୧ଟି ମୃତଦେହ ମଧ୍ୟରୁ ଆଜି ୨୯ଟି ନମୁନାର ଡିଏନ୍ଏ ରିପୋର୍ଟ ଆସିଛି। ଡିଏନ୍‌ଏ ରିପୋର୍ଟ ମେଳ ଖାଇଥିବା ପରିବାର ଲୋକଙ୍କୁ ସରକାର ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ସେମାନଙ୍କ ମଧ୍ୟରୁ ୭ଜଣ ଆସିଥିଲେ ହେଁ ୬ଜଣ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ସେପଟେ ଆହୁରି ୫୨ଜଣଙ୍କ ଡିଏନ୍‌ଏ ରିପୋର୍ଟ ଏଯାଏ ଆସିନାହିଁ।

Advertisment

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଶବ ଚିହ୍ନଟକୁ ନେଇ ବିବାଦ ଦେଖା ଦେଇଥିଲା। ଜଣେ ଜଣେ ମୃତକଙ୍କ ପାଇଁ ଏକାଧିକ ଦାବିବାର ବାହାରିଥିଲେ। ଅନେକଙ୍କ ମୃତଦେହକୁ ଚିହ୍ନଟ କରିବା କଷ୍ଟକର ହୋଇ ପଡ଼ିଥିଲା। ଯାହାକୁ ନେଇ ଅଡ଼ୁଆରେ ପଡ଼ିଥିଲେ ରାଜ୍ୟ ସରକାର। ଶେଷରେ ସେମାନଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇ ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା। ଚଳିତମାସ ୪ ତାରିଖରୁ ପର୍ଯ୍ୟାୟକ୍ରମେ ୮୪ଟି ଡିଏନ୍‌ଏ ନମୁନା ପଠାଯାଇଥିଲା। ତହିଁରୁ ୨୯ଟି ନମୁନା ଆସିବା ପରେ ଗତକାଲି ସେମାନଙ୍କ ସଂପର୍କୀୟଙ୍କୁ ଏହା ସଂପର୍କରେ ସୂଚନା ଦିଆଯାଇଥିଲା।

ଆଜି ସକାଳ ୮ଟାରୁ ମୃତକଙ୍କ ସମ୍ପର୍କୀୟମାନେ ଏମ୍‌ସ ପରିସରରେ ପହଞ୍ଚିଥିଲେ। ସଂପର୍କୀୟଙ୍କ ଆଧାର କାର୍ଡ, ପରିଚୟପତ୍ର ସଂଗ୍ରହ କରିଥିଲେ ଏମ୍‌ସ କର୍ତୃପକ୍ଷ। ଦିନ ସାଢ଼େ ୧୧ଟାରୁ ଏମ୍‌ସ କର୍ତ୍ତୃପକ୍ଷ, ସିବିଆଇ ଟିମ୍, ବିଏମ୍‌ସି, ରେଳ ବିଭାଗର ଅଧିକାରୀଙ୍କ ସମେତ ସ୍ଥାନୀୟ ଆଇଆଇସିଙ୍କ ସ୍ବତନ୍ତ୍ର ଦଳକୁ ନେଇ ଗଠିତ ଟିମ୍ ସମ୍ପର୍କୀୟଙ୍କୁ ମୃତକଙ୍କ ସୂଚନା ନେଇ ଏକାଧିକ ପ୍ରଶ୍ନ କରିଥିଲେ। ମୃତକଙ୍କ ଶରୀରରେ କିଛି ଚିହ୍ନ ରହିଥିଲା କି ? ବିବାହ ସାର୍ଟିଫିକେଟ୍ ଓ ଅନ୍ୟ କାଗଜପତ୍ର ସମ୍ପର୍କରେ ପଚାରିବା ସହିତ ଯାଞ୍ଚ କରିଥିଲେ। ଅପରାହ୍‌ଣ ସାଢ଼େ ୫ଟାରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ ବିହାରର ପୂର୍ଣ୍ଣିଆ ଜିଲ୍ଲାର ସୁରଜ କୁମାର (୨୧) ଓ ବେଗୁସରାଇର ସୁଜିତ୍ କୁମାର(୨୩), ପଶ୍ଚିମବଙ୍ଗ ପୁରୁଲିଆର ସମୀର ବାଉରି(୩୨) ଓ ମେଦିନାପୁରର ମାନସ ମାଇତି (୩୮), ଝାଡ଼ଖଣ୍ଡ ସାହେବଗଞ୍ଜର ଭୀମ ଚୌଧୁରୀ(୨୬) ମୃତଦେହକୁ ଘରକୁ ନେଇ ଯାଇଛନ୍ତି। ତେବେ ଆବଶ୍ୟକ କାଗଜପତ୍ର ଯାଞ୍ଚ ଶେଷ ହୋଇପାରି ନ ଥିବାରୁ ଦିନାଜପୁରର ଅଞ୍ଜର ଉଲ ହବ (୩୦)ଙ୍କ ମୃତଦେହକୁ ଆସନ୍ତାକାଲି ପରିବାରକୁ ହସ୍ତାନ୍ତର କରାଯିବ। ସେହିପରି ମୟୂରଭଞ୍ଜ ମୋରଡ଼ାର ଫୁଟିକିଶୋଳ ଗାଁ ମୃତକ ବ୍ରହ୍ମକାନ୍ତ ଦାସ(୩୪)ଙ୍କ ପରିବାର ଲୋକ ଆଜି ସଂଧ୍ୟାରେ ଏମ୍‌ସ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯାଇଛି। ଅନୁକମ୍ପା ରାଶି ବି ପ୍ରଦାନ କରାଯାଇଛି।

publive-image

ଅପରପକ୍ଷରେ ଏମ୍‌ସ ପରିସରରେ ଥିବା ଆହୁରି ୫୨ଜଣଙ୍କ ଡିଏନ୍‌ଏ ରିପୋର୍ଟ ଆସିବା ବାକି ରହିଛି। ଭୁବନେଶ୍ବର ଏମ୍‌ସ କର୍ତୃପକ୍ଷଙ୍କ କହିବା କଥା ଡିଏନ୍‌ଏ ପରୀକ୍ଷା ପାଇଁ ମୃତକଙ୍କ ବାଳ, ଦାନ୍ତ, ହାଡ଼ ଓ ନଖ ଇତ୍ୟାଦି ସଂଗ୍ରହ କରାଯାଇଥିଲା। ମାତ୍ର କିଛି ମୃତଦହେର ହାଡ଼ ଓ ଦାନ୍ତ ଇତ୍ୟାଦି ନଷ୍ଟ ହୋଇଯାଇଥିବାରୁ ସେମାନଙ୍କ ଡିଏନ୍‌ଏ ମ୍ୟାଚିଂ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଫଳରେ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବା ଏମ୍‌ସ କର୍ତୃପକ୍ଷ କହିଛନ୍ତି।

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଶରୀରକୁ ଠିକଣା ସ୍ଥାନରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ୨୯ଟି ଆମ୍ବୁଲାନ୍‌ସର ବ୍ୟବସ୍ଥା ହୋଇଛି। ଆମ୍ବୁଲାନ୍‌ସର ଫିଟ୍‌ନେସ ପେପର ଓ ଲାଇସେନ୍‌ସ ଆଦିର ଯାଞ୍ଚ କରାଯାଇଥିବା ସେ କହିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଯେଉଁମାନଙ୍କର ଡିଏନ୍‌ଏ ରିପୋର୍ଟ ଆସିଛି, ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ୧୦ଜଣ, ବିହାରର ୧୦ ଜଣ ରହିଛନ୍ତି। ଓଡ଼ିଶାର ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଶବ ଆଜି ହସ୍ତାନ୍ତର ହୋଇଛି। ବାକି ଡିଏନ୍‌ଏ ରିପୋର୍ଟ ପାଇଁ ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡର ଦାବିଦାର ଥିବା ପୁଲିସ ସୂତ୍ରରୁ ପ୍ରକାଶ।

ଶୁଦ୍ଧକ୍ରିୟା ହୋଇ ନ ଥିବାରୁ ଗାଁରେ ପ୍ରବେଶ ମନା
ଶୁଦ୍ଧକ୍ରିୟା ବିନା ଗାଁରେ ପଶିବା ଅସମ୍ଭବ। ନିଜେ ଅଛୁଆଁ ସମସ୍ତଙ୍କୁ ଅଛୁଆଁ କରାଇବ। ଏଭଳି ତାଗିଦ୍ କରିଥିଲେ ଗାଁ ଲୋକ। ତେଣୁ ସାନ ପୁଅର ମୃତଦେହକୁ ସାଙ୍ଗରେ ନେଇ ଯିବା ଛଡ଼ା ଝାଡ଼ଖଣ୍ଡର ପୁରୁଣା ସାହେବଗଞ୍ଜ ଅଞ୍ଚଳର ୬୫ ବର୍ଷୀୟା ମା’ ଶୋଦା ଦେବୀ ଓ ଭିନ୍ନକ୍ଷମ ବାପା ଲକ୍ଷ୍ମଣ ଚୌଧୁରୀଙ୍କ ପାଖରେ ଆଉ କିଛି ବାଟ ନଥିଲା। ୨୯ ଦିନର ଅପେକ୍ଷା ପରେ ଶେଷରେ ଲକ୍ଷ୍ମଣଙ୍କ ପ୍ରତୀକ୍ଷାର ଅନ୍ତଃ ହୋଇଛି। ଏମ୍‌ସ ପରିସରରେ ଏତେ ଦିନ ବସିବା ପରେ ଆଜି ପୁଅର ଶବକୁ ସ୍ତ୍ରୀ ଓ ପୁଅର ଶାଳକଙ୍କ ସହ ଘରକୁ ଫେରିଛନ୍ତି। ମୃତଦେହ ମିଳିବା ପରେ କୋହ ସମ୍ଭାଳି ପାରି ନ ଥିଲେ ଲକ୍ଷ୍ମଣ। କହିଥିଲେ ପୁଅର ମୃତ୍ୟୁ ଦୁଃଖକୁ ବଳି ଯାଇଥିଲା ଶବ ଘରକୁ ନେବାର ଦୁଃଖ। ବିନା କ୍ରିୟାକର୍ମରେ ଗାଁ ଲୋକ ଘରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ଭେଣ୍ଡିଆ ପୁଅର ମରଶରୀର ନେଇ ବୋହୂ ଓ ୩ ଛୁଆଙ୍କ ପାଖକୁ ଯିବା ସହଜ ନୁହେଁ। ହେଲେ ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ପରିବାରକୁ ସମ୍ଭାଳିବାକୁ ହେବ ବୋଲି କହିଥିଲେ ଲକ୍ଷ୍ମଣ।

ଭାଇର ମୃତଦେହ ନେଇ ଫେରିଲେ ସୁବୋଧ
ରିପୋର୍ଟ ଆସିବା ପରେ ଚିହ୍ନଟ ହୋଇଥିବା ପ୍ରଥମ ମୃତଦେହ ଥିଲା ବିହାର ପୂର୍ଣ୍ଣିୟାର ସୂରଜ କୁମାର(୨୧)ଙ୍କର। ସୁରଜଙ୍କ ଭାଇ ସୁବୋଧ କୁମାରଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଥିଲା। ଡିଏନ୍‌ଏ ମ୍ୟାଚ୍‌ ଓ ପରେ ଆବଶ୍ୟକ କାଗଜପତ୍ର ଯାଞ୍ଚ ସରିବା ପରେ ଭାଇଙ୍କ ମୃତଦେହ ସୁବୋଧଙ୍କୁ ହସ୍ତାନ୍ତର କରାଯାଇଛି। ବିହାର ପୈତୃକ ଗ୍ରାମରେ ସୂରଜଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସୁବୋଧ କୁମାର କହିଛନ୍ତି।