ବାହାନଗା ଟ୍ରେନ୍ ଦୁର୍ଘଟଣା: ନିଖୋଜ ୧୧୯ ଏବେ କେଉଁଠି? ବିହାର ଓ ପଶ୍ଚିମବଙ୍ଗର ଦାବି ପରେ ଅଡ଼ୁଆ ବଢ଼ିଲା

ଏବେ ସୁଦ୍ଧା ଚିହ୍ନଟ ହୋଇପାରିନି ୮୯ ମୃତଦେହ, ଏଣିକି କେବଳ ଏମ୍‌ସରୁ ମରଶରୀର ହସ୍ତାନ୍ତର

ଭୁବନେଶ୍ବର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପଶ୍ଚିମବଙ୍ଗର ସର୍ବାଧିକ ରହିଥିବା ଓଡ଼ିଶା ସରକାର ସ୍ପଷ୍ଟ କରିସାରିଛନ୍ତି। ବହୁ ସଂଖ୍ୟକ ଆହତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁତର ଥିବା ଆଉ କିଛି ଯାତ୍ରୀଙ୍କର ଭୁବନେଶ୍ବର ସମେତ କଟକ, ବାଲେଶ୍ବର, ଭଦ୍ରକର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ। ଦୁର୍ଘଟଣାର ୪ ଦିନ ପରେ ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାହାନୱାଜ ଆଲାମ୍‌ କହିଛନ୍ତି ଯେ ଟ୍ରେନ୍ ଦୁର୍ଘଟଣାରେ ବିହାରର ୪୩ ଜଣ ମୃତ୍ୟୁବରଣ କରିଛନ୍ତି। ୪୪ ଜଣ ଆହତ ହୋଇଛନ୍ତି। ଆହୁରି ୮୮ଜଣ ଯାତ୍ରୀଙ୍କର କୌଣସି ପତ୍ତା ମିଳୁନି।

ଗୋଟିଏ ପଟେ ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ଆଲାମ୍‌ ଜାତୀୟ ଗଣମାଧ୍ୟମରେ ଏଭଳି ବକ୍ତବ୍ୟ ଦେଇଥିବାବେଳେ ଅନ୍ୟପଟେ ଗତକାଲି ଓଡ଼ିଶା ଗସ୍ତ ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ତାଙ୍କ ରାଜ୍ୟର ୩୧ ଜଣଙ୍କର କୌଣସି ଖୋଜଖବର ମିଳୁନି; ଯେଉଁମାନେ କି କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ଓଡ଼ିଶାର ଦୁଇ ପଡ଼ୋଶୀ ରାଜ୍ୟ ବିହାର ଓ ପଶ୍ଚିମବଙ୍ଗ ଏଭଳି ଆଭିଯୋଗ ଆଣିବା ପରେ ଏବେ ପ୍ରଶ୍ନ ଉଠିଲାଣି, ୧୧୯ ନିଖୋଜ ବ୍ୟକ୍ତି ଗଲେ କୁଆଡ଼େ? ଓଡ଼ିଶା ସରକାର ଚୂଡ଼ାନ୍ତ ତଥ୍ୟ ଦେଇ ଚୁପ୍‌ ବସିପଡ଼ିଛନ୍ତି। ଲଗାତାର ଦୁଇ ଦିନରେ ଦୁଇ ରାଜ୍ୟ ଏଭଳି ଅଭିଯୋଗ ଆଣିଥିଲେ ମଧ୍ୟ କେହି ବି ମୁହଁ ଖୋଲୁ ନାହାନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮୮ଜଣଙ୍କ ମଧ୍ୟରୁ ୮୯ ଯାତ୍ରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରିବା ସମ୍ଭବ ହୋଇପାରି ନାହିଁ। ସେମାନେ କେଉଁ ଅଞ୍ଚଳର ସେନେଇ କିଛି ପତ୍ତା ମିଳୁନି। ୩ଦିନ ହେଲା ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତ ଶରୀରଗୁଡ଼ିକର ଫଟୋ ୱେବସାଇଟ୍‌ରେ ଜାରି କରାଯାଇଥିଲେ ମଧ୍ୟ ୮୯ଟି ମରଶରୀର ନେବାକୁ କେହି ଆସୁ ନାହାନ୍ତି। ଯେଉଁ ସବୁ ମୃତଶରୀର ରହିଛି ସେଥିରୁ ଅଧିକାଂଶଙ୍କୁ ଚିହ୍ନଟ କରିବା ବି ଏବେ ସମ୍ଭବପର ନୁହେଁ। କାହାର ମୁହଁ ଆକୃତି ବଦଳି ଯାଇଛି ତ ଆଉ କାହା ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଛି। ଅନେକଙ୍କ ଶରୀରରେ ଡ୍ରେସ୍‌ କିମ୍ବା କୌଣସି ପ୍ରକାର ଚିହ୍ନ ଦେଖିବାକୁ ମିଳୁ ନ ଥିବାରୁ ସମ୍ପର୍କୀୟମାନେ ଏବେ ଦ୍ବନ୍ଦ୍ବରେ। ଏବେ ବି ଓଡ଼ିଶା ବାହାରର ଶତାଧିକ ବ୍ୟକ୍ତିବିଶେଷ ନିଜ ସମ୍ପର୍କିୟଙ୍କୁ ଓଡ଼ିଶାରେ ଖୋଜୁଥିବା ଖବର ଆସିଛି। ବାଲେଶ୍ବରରୁ ଭୁବନେଶ୍ବର ଦୌଡ଼ୁଛନ୍ତି। ମୃତ‌ଶରୀରଗୁଡ଼ିକୁ ବୁଲି ବୁଲି ଦେଖୁଥିଲେ ମଧ୍ୟ ସମ୍ପର୍କୀୟଙ୍କ କୌଣସି ଖୋଜଖବର ପାଉନାହାନ୍ତି।

ତିନି ରାଜ୍ୟର ତଥ୍ୟକୁ ଦେଖିଲେ ବହୁ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେଲାଣି। ୨୮୮ଟି ମରଶରୀର ମଧ୍ୟରୁ ୧୯୯ଟିର ଚିହ୍ନଟ ପ୍ରକ୍ରିୟା ସରିଛି। ବାକି ରହିଛି ୮୯ଟି। ଏଗୁଡ଼ିକ କେଉଁ ରାଜ୍ୟର ତାହା ଜଣାପଡ଼ି ନାହିଁ। ସେପଟେ ଦୁର୍ଘଟଣାଗସ୍ତ ଟ୍ରେନ୍‌ରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆ‌ଉ କୌଣସି ମୃତଦେହ ନ ଥିବା ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି। ତା’ପରେ ବି ଉଭୟ ରାଜ୍ୟଙ୍କ ଦାବିକୁ ବିଶ୍ବାସ କରାଗଲେ, ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ନିଖୋଜମାନେ ଗଲେ କୁଆଡେ? ସେମାନେ ସୁରକ୍ଷିତ ଅଛନ୍ତି ତ? ପୁଣି ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ କିମ୍ବା କେରଳ ସରକାର ମରଶରୀର ନେଇ କୌଣସି ତଥ୍ୟ ସାମ୍ନାକୁ ଆଣି ନାହାନ୍ତି। ଯଦି ସେମାନେ ନିଜ ନିଜ ରାଜ୍ୟର ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ ତେବେ ଆହୁରି ଅଡ଼ୁଆ ପରିସ୍ଥିତି ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି।

ସେପଟେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଯାତ୍ରୀଙ୍କ ମରଶରୀର ଭୁବନେଶ୍ବର ଏମ୍‌ସରେ କଣ୍ଟେନରରେ ସଂରକ୍ଷିତ ରଖାଯାଇଛି। ଏଣିକି କେବଳ ଏମ୍‌ସରୁ ହିଁ ସମ୍ପର୍କୀୟମାନେ ମରଶରୀର ନେଇପାରିବେ ବୋଲି ଆଜି ଘୋଷଣା କରାଯାଇଛି। ପୂର୍ବରୁ ସମ୍ପର୍କୀୟମାନେ ଯେଉଁଭଳି ବିଭିନ୍ନ ହସ୍ପିଟାଲ ବୁଲି ବୁଲି ଦହଗଞ୍ଜ ହେଉଥିଲେ, ଆଜି ସେଥିରେ ବିରାମ ଲାଗିଛି। ବିଏମ୍‌ସି ହେଲ୍‌ପ ଡେସ୍କ ସହାୟତାରେ ଚିହ୍ନଟ ମୃତକଙ୍କୁ ସେମାନଙ୍କ ପରିଜନମାନେ ଭୁବନେଶ୍ବର ଏମ୍‌ସରୁ ହିଁ ନେଉଛନ୍ତି। ସେମାନଙ୍କୁ ଆଉ କ୍ୟାପିଟାଲ ହସ୍ପିଟାଲ, ସମ୍‌, କିମ୍‌ସ କିମ୍ବା ଅନ୍ୟ ଘରୋଇ ଡାକ୍ତରଖାନାକୁ ଯିବାକୁ ପଡ଼ି ନ ଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ ରେଳ ଦୁର୍ଘଟଣାର ମୃତକଙ୍କ ଶରୀର ଏମ୍‌ସ ସହିତ ଅନ୍ୟ ଡାକ୍ତରଖାନାରେ ସଂରକ୍ଷିତ କରି ରଖାଯାଇଥିଲା। ତେଣୁ ଅନ୍ୟ ଡାକ୍ତରଖାନାରେ ଯେଉଁମାନଙ୍କ ମରଶରୀର ଥିଲା, ସେମାନଙ୍କ ସମ୍ପର୍କୀୟଙ୍କୁ ଏମ୍‌ସରୁ ସେଠାକୁ ଯିବାକୁ ପଡ଼ୁଥିଲା। ଯେଉଁ ବ୍ୟକ୍ତିଙ୍କ ପରିଜନ ଏବେ ବି ନିଖୋଜ ଅଛନ୍ତି, ସେମାନେ ମଧ୍ୟ ଭୁବନେଶ୍ବର ସବୁ ମେଡିକାଲ ଘୁରି ବୁଲୁଥିଲେ, ଯାହାକି ଅତି କଷ୍ଟଦାୟକ ଥିଲା। ମାତ୍ର ଗତ ରାତିରେ ୩୯ ମରଶରୀର ଏମ୍‌ସ ଆସି ପହଞ୍ଚିବା ପରେ ଏମ୍‌ସରେ ସଂରକ୍ଷିତ ଶବ ସଂଖ୍ୟା ୧୬୨ରେ ପହଞ୍ଚିଥିଲା। ବର୍ତ୍ତମାନ ଏମ୍‌ସ ପକ୍ଷରୁ ଶବ ସଂରକ୍ଷଣ ପାଇଁ କଣ୍ଟେନର ବ୍ୟବସ୍ଥା କରାଯାଇଥିବାରୁ କୌଣସି ଅସୁବିଧା ନାହିଁ। ତିନି ଦିନ ମଧ୍ୟରେ ଏମ୍‌ସରୁ ୭୫ ଶବ ହସ୍ତାନ୍ତରିତ କରାଯାଇଛି। ତେବେ ଯେଉଁ ଶବକୁ ନେଇ ବିବାଦ ସୃଷ୍ଟି ହୋଇଛି, ତାହାର ଡିଏନ୍‌ଏ ନମୁନା ଦିଲ୍ଲୀ ଏମ୍‌ସ ପଠାଯାଇଛି। ରେଳବାଇ ଏବଂ ଏମ୍‌ସ ପକ୍ଷରୁ ମୃତକଙ୍କ ପରିଜନମାନେ ଶବ ଖୋଜିବା ପାଇଁ ଅନ୍ୟ ଡାକ୍ତରଖାନା ନଯାଇ ସିଧାସଳଖ ଭୁବନେଶ୍ବର ଏମ୍‌ସ ଆସିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର