ଶିମିଳିପାଳ ନିଆଁ ତାତି : ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଓ ରାଜନେତାଙ୍କ ଉଦାସୀନତାକୁ ନେଇ ବର୍ଷିଲା ଭଞ୍ଜସେନା

୭୨ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ଚେତାବନୀ, ନଚେତ ରାଜରାସ୍ତାରେ ମୁହାଁମୁହିଁ

ବାରିପଦା: ଥମିବାର ନା ନେଉନାହିଁ ଶିମିଳିପାଳ ନିଆଁର ତାତି। ଦିନ ଗଡ଼ିବା ସହିତ ତାତି ମଧ୍ୟ ବଢ଼ୁଛି। ଆଜି ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଏବଂ ଜିଲ୍ଲାର ରାଜନେତାଙ୍କ ଉଦାସୀନତାକୁ ନେଇ ବର୍ଷିଛି ଭଞ୍ଜସେନା। ଏପରିକି ୭୨ ଘଣ୍ଟା ମଧ୍ୟରେ ଏସ୍‌ଟିଆର ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ଏବଂ ନିଆଁ ଲାଗିବା ନେଇ ଦାୟୀ ଅନ୍ୟାନ୍ୟ ଅଧିକାରୀଙ୍କ ବହିଷ୍କାର ଦାବି କରିଛି ସଂଗଠନ। ଯଦି ରାଜ୍ୟ ସରକାର କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ରାଜରାସ୍ତାରେ ମୁହାମୁହଁ ହେବାକୁ ପ୍ରଶାସନକୁ ଚେତାବନୀ ଦେଇଛି ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏକ ସମ୍ବେଦନଶୀଳ ଘଟଣାରେ ଜିଲ୍ଲାର ଉଭୟ ଶାସକ ଏବଂ ବ‌ିରୋଧୀ ଦଳର ନେତାଙ୍କ ନୀରବତାକୁ ମଧ୍ୟ ଟାର୍ଗେଟ କରିଛି ସଂଗଠନ। ବିଶ୍ୱବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟ ପ୍ରାୟ ୧୦ ଦିନ ଧରି ଜଳୁଛି । ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ପ୍ରାୟତଃ ବିଫଳ ହୋଇଛି । କେବଳ କଥାରେ ନିଆଁ ଆୟତ୍ତ ହୋଇଥିବା କହୁଛି ବନବିଭାଗ। ମାତ୍ର ବାସ୍ତବତା କିନ୍ତୁ ଭିନ୍ନ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା ତଥା ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର ସଭାପତି କଳିଙ୍ଗ କେଶରୀ ଜେନା ଅଭିଯୋଗ କରିଛନ୍ତି।

ପ୍ରତି ବର୍ଷ ଫେବ୍ରୁଆରି ଶେଷ ଭାଗ ଓ ମାର୍ଚ୍ଚ ପ୍ରଥମ ଭାଗରୁ ପ୍ରାୟତଃ ଶିମିଳିପାଳ ଅଭୟାରଣ୍ୟରେ ମନୁଷ୍ୟକୃତ ହେଉ ଅଥବା ଅନ୍ୟ କୌଣସି କାରଣରୁ ହେଉ ନିଆଁ ଲାଗିଥାଏ । ଏହାକୁ ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ଫାୟାର ଲାଇନ ସୃଷ୍ଟି କରାଯାଇ ଥାଏ । ପୁଣି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥାଏ । ଯାହାଫଳରେ ଅଭୟାରଣ୍ୟରେ ନିଆଁ ଲାଗିଲେ ତାହାକୁ ସ୍ୱଳ୍ପ ସମୟ ମଧ୍ୟରେ ନିୟନ୍ତ୍ରଣ କରିହୁଏ। ମାତ୍ର ଚଳିତ ବର୍ଷ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଦିନ ଦିନ ଧରି ଜଙ୍ଗଲ ଜଳୁଛି ଅଥଚ ବନବିଭାଗ ନୀରବଦ୍ରଷ୍ଟା ସାଜିଛି। ଏହି କାରଣରୁ ଶିମିଳିପାଳରେ ଥିବା ହାତୀ, ବାଘ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କ ସହିତ ମୂଲ୍ୟବାନ ବୃକ୍ଷରାଜି ମଧ୍ୟ ଧ୍ବଂସାଭିମୁଖୀ ହେଉଥିବା ପରିବେଶବିତ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଏପରି ଭୟଙ୍କର ବନାଗ୍ନି ଆଗାମୀ ଦିନରେ ଜୈବବିବିଧତାକୁ ନଷ୍ଟ କରିଦେବାର ସମ୍ଭାବନା ରହିଛି। ଫଳରେ ପ୍ରାକୃତିକ ସନ୍ତୁଳନ ବିଗିଡ଼ଯାଇପାରେ। ଯାହାର ପରିଣାମ ଭୟଙ୍କର ହେବବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ତେଣୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା କାରଣରୁ ଏପରି ବନାଗ୍ନି ହୋଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ରାଜରାସ୍ତା ଅବରୋଧ କରାଯିବ। ଆବଶ୍ୟକ ପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ବନ୍ଦ କରାଯିବ ବୋଲି ସଂଗଠନର ଜିଲ୍ଲା ସଭାପତି ପିଣ୍ଟୁ ମାଇତି ‌ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର