ଭଞ୍ଜନଗର : ପିଲାଦିନରୁ ସବିତା ସ୍ବାଭାବିକ ଥିଲେ। ସାଙ୍ଗମାନଙ୍କ ଗହଣରେ ହସଖୁସିରେ ତାଙ୍କ ଦିନ କଟୁଥିଲା। କିନ୍ତୁ ଯୁବାବସ୍ଥାରେ ହଠାତ୍ ଅଜଣା ରୋଗ ସବିତାଙ୍କ ଜୀବନର ମୋଡ଼କୁ ବଦଳାଇଦେଲା। ଏହାମଧ୍ୟରେ ଦେଖୁ ଦେଖୁ ୧୮ ବର୍ଷ ବିତିସାରିଥିଲେ ହେଁ, ଆଜିଯାଏ ସବିତାଙ୍କ ଦୁରାରୋଗ୍ୟର ଚିକିତ୍ସା ହୋଇପାରୁନି। ୨୦ ବର୍ଷ ତଳେ ବାପାଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅବିବାହିତ ସବିତାଙ୍କ ପାଇଁ ତାଙ୍କ ବୃଦ୍ଧାମାଆ ହିଁ ଏକମାତ୍ର ସାହାଭରସା ପାଲଟିଛନ୍ତି। ଆଉ ଝିଅର ଆଗାମୀ ଭବିଷ୍ୟତକୁ ନେଇ ସନ୍ଦିହାନରେ ରହିଛନ୍ତି।

Advertisment

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବାରୁଡ଼ା ପଞ୍ଚାୟତ ବାଲିଆପଟା ଗ୍ରାମର ବାସିନ୍ଦା ସବିତା ବିଷୋୟୀ (୪୧)। ବାପା କୈବଲ୍ୟ ବି‌ଷୋୟୀ ଚାଷବାସ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ହଠାତ୍ ଅସୁସ୍ଥତା କାରଣରୁ ୨୦ ବର୍ଷ ତଳେ ମୃତ୍ୟୁବରଣ କରିଛନ୍ତି। ୨୩ ବର୍ଷ ବୟସ ପର୍ଯ୍ୟନ୍ତ ସବିତା ସ୍ବାଭାବିକ ଥିଲେ। ହେଲେ ହଠାତ୍ ତାଙ୍କୁ ଜ୍ବର ହୋଇଥିଲା। ପରେ ଶରୀରର ମାଂସପେଶୀ ପତଳା ହେବା ସହ ଚମଡ଼ା ମଧ୍ୟ ଶୁଖି କଳାକାଠ ପଡ଼ିଯାଇଥିଲା। ଖଞ୍ଜାରେ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ସହ ଦୁର୍ବଳ ହୋଇଯାଇଥିଲେ। ମାଆ ଉର୍ବଶୀ ଝିଅର ପ୍ରାଥମିକ ଚିକିତ୍ସା କରାଇଥିଲେ। ହେଲେ ଅର୍ଥାଭାବରୁ ସବିତାଙ୍କ ଉନ୍ନତମାନର ଚିକିତ୍ସା ଆଉ ସମ୍ଭବପର ହୋଇପାରିଲାନି।

ଫଳରେ ସବିତା ପ୍ରତିଦିନ ଜୀବନ ଯୁଦ୍ଧରେ ସଂଘର୍ଷ ଜାରି ରଖିଥିବା ବେଳେ ମାଆ ଉର୍ବଶୀଙ୍କ ଭରସାରେ ବଞ୍ଚିଛନ୍ତି। ଉର୍ବଶୀ ମୂଲ ଲାଗିବା ସହ ଅନ୍ୟ ଗ୍ରାମବାସୀଙ୍କ ଜମିରେ ଚାଷ କାମ କରି ଯାହା ଆଣୁଛନ୍ତି, ସେଥିରେ ଉଭୟ କଷ୍ଟରେ ପ୍ରତିପୋଷଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଉର୍ବଶୀଙ୍କ ବୟସ ୭୦ ଟପିଥିବାରୁ ସେ ମଧ୍ୟ କାମ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ଫଳରେ ଆଗକୁ ଝିଅର ଭବିଷ୍ୟତ କଣ ହେବ, ଏହି ଚିନ୍ତାରେ ‌ସେ ଭାଙ୍ଗିପଡ଼ିଛନ୍ତି। ସରକାରୀ ସହାୟତା ଭାବେ ଉର୍ବଶୀଙ୍କୁ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ୫ ବର୍ଷ ତଳେ ଆବାସ ଯୋଜନାରେ ପକ୍କା ଘରଟିଏ ମିଳିଛି। କିନ୍ତୁ ସବିତାଙ୍କୁ କୌଣସି ସରକାରୀ ସହାୟତା ମିଳୁନି। ସରକାର ଓ ପ୍ରଶାସନ ପକ୍ଷରୁ ସହାୟତା ମିଳିପାରିଲେ ସବିତାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରନ୍ତା ବୋଲି ମାଆ ଉର୍ବଶୀ କହିଛନ୍ତି।