୮ ବର୍ଷର ଝିଅ ମୌସୁମୀ କେବେ ଫେରିପାଇବ ତାର ଦୃଷ୍ଟିଶକ୍ତି

‘ସମ୍ବାଦ’ରେ ଖବର ପ୍ରକାଶ ପରେ ରୋଟାରୀ କ୍ଳବ୍ ବଢାଇଥିଲା ହାତ, ତଥାପି ପାଇଲାନି ଉପଯୁକ୍ତ ଚିକିତ୍ସା

ଭଞ୍ଜନଗର : କୋମଳ ମତି ବୟସରେ ସ୍କୁଲ ଭିତରେ ସାଙ୍ଗ ମାନଙ୍କ ସହ ଖେଳୁ ଖେଳୁ ହଟାତ ବାମ ଆଖିରେ ଲାଗିଥିଲା ଆଘାତ। ତା ପରଠାରୁ ବାମ ଆଖିକୁ ଆଉ ଦେଖା ଗଲା ନାହିଁ। ଡାହାଣ ଆଖିର ମଧ୍ୟ ଧିରେଧିରେ ଦୃଷ୍ଟି ଶକ୍ତି କମିବାରେ ଲାଗୁଛି। ପରିବାରର ଅର୍ଥିକ ସ୍ଥିତି ଉନ୍ନତ ଚିକିତ୍ସାରେ ସାଜିଥିଲା ବାଧକ। ଏସଂର୍ପକରେ ସମ୍ବାଦରେ ଏ ଖବର ପ୍ରକାଶ ପାଇଥିଲା। ସେହି ଖବରକୁ ଦେଖି ସହାୟତାର ହାତ ବଢାଇଥିଲା ରୋଟାରୀ କ୍ଳବ୍। ଏହାପରେ ପରିବାରରେ ଖେଳି ଯାଇଥିଲା ଖୁସିର ଲହରୀ। ଉପଯୁକ୍ତ ଚିକିତ୍ସା ହେବ ଏବଂ ଦୃଷ୍ଟିଶକ୍ତ ଫେରି ଆସିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଆଜି ବି ଦୃଷ୍ଟି ଶକ୍ତି ଫେରି ପାଇବା ଆଶାରେ ଦୁଃଖ ଓ ଯନ୍ତ୍ରଣାରେ ଦିନ କାଟୁଛି ମୌସୁମୀ। ଭଞ୍ଜନଗର ବ୍ଳକ୍ କୁଲାଡ଼ ଗ୍ରାମର ସନ୍ୟାସୀ ସାହୁଙ୍କ ୮ ବର୍ଷର ଝିଅ ମୌସୁମୀ। ଦୀର୍ଘ ଦୁଇ ବର୍ଷ ହେବ ଆଖି ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ଉପଯୁକ୍ତ ଚିକିତ୍ସା ପାଇଲେ ମୌସୁମୀ ତାର ଦୃଷ୍ଟି ଶକ୍ତି ପୁଣି ଫେରି ପାଇବ ବୋଲି ଆଶାରେ ପରିବାର ଲୋକ ରହିଛନ୍ତି।

ମୌସୁମୀର ବାପା ପରିବାର ପ୍ରତିପୋଷଣ କରିବା ପାଇଁ ସୁରତରେ କାମ କରୁଛନ୍ତି। ଘରେ ଏକାକୀ ମାଆ ଦେବକୀ ମୌସୁମୀ କିଭଳି ଉତ୍ତମ ଚିକିତ୍ସା କରାଇ ତାର ଦୃଷ୍ଟିଶକ୍ତି ଫେରାଇବେ ସେହି ଚିନ୍ତାରେ ଦିନ କାଟୁଛନ୍ତି। ମୌସୁମୀ ଗତ ୨୦୧୮ ମସିହା ଅଗଷ୍ଟ ମାସରେ ସ୍କୁଲରେ ସାଙ୍ଗ ମାନଙ୍କ ସହ ଖେଳୁଥିବା ସମୟରେ ଆଖିରେ ଆଘାତ ଲାଗିଥିଲା। ବାମ ଆଖିକୁ ଭଲ ଭାବେ ଦେଖା ନଯିବାରୁ ତାକୁ ପରିବାର ଲୋକେ ପ୍ରଥମେ ବ୍ରହ୍ମପୁର ଠାରେ ଦେଖାଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ଦେଖାଇବା ପାଇଁ କୁହାଯାଇଥିଲା। ପରିବାର ପକ୍ଷରୁ ସେଠାକୁ ମଧ୍ୟ ନିଆଯାଇଥିବା ବେଳେ ସେଠାରେ ଅପରେସନ୍ ପାଇଁ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏତେ ପରିମାଣର ଟଙ୍କା ଖର୍ଚ୍ଚ କରି ଅପରେସନ୍ କରିବା ପାଇଁ ସମ୍ଭବ ନଥିବାରୁ ଦେବକୀ ଝିଅକୁ ସାଙ୍ଗରେ ନେଇ ପୁଣି ଘରକୁ ଫେରିଥିଲେ। ଏନେଇ ସେହି ସମୟରେ ‘ସମ୍ବାଦ’ରେ ମୌସୁମୀର ସମସ୍ୟା ସଂର୍ପକରେ ଏକ ଖବର ପ୍ରକାଶ ପାଇଥିଲା। ସେହି ଖବରକୁ ନବରଙ୍ଗପୁରର ପୂର୍ବତନ ଜିଲ୍ଲାପାଳ ତଥା ରୋଟାରୀଆନ୍ ଶିବବ୍ରତ ଦାସ ଦେଖି ମୌସୁମୀର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଥିଲେ। ଏହାପରେ କଟକ ସ୍ଥତି ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟରେ ମୌସୁମୀର ଚକ୍ଷୁ ଚିକିତ୍ସା କରିବା ପାଇଁ ନିଷ୍ପତି ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ତାର ଆଖିରେ ଟ୍ରୁମାଟିକ୍ କ୍ୟାଟ୍ରାକ୍ଟ୍ ଥିବା ଜଣାପଡିବା ପରେ ଅପରେସନ୍ କରାଯାଇଥିଲା। ଆଖିରୁ ପଟି ଖୋଲିବା ପରେ ଯେଉଁ ଲେନ୍ସ୍ ପଡିଛି ଧିରେ ଧିରେ ମୌସୁମୀକୁ ଦେଖାଯିବ ବୋଲି ଡାକ୍ତର କହିଥିଲେ। ତଥାପି ମଧ୍ୟ ଆଖିକୁ ଦେଖା ଗଲା ନାହିଁ। ପ୍ରଥମେ କିଛି ଦିନ ସପ୍ତାହକୁ ଥରେ ଏବଂ କିଛି ଦିନ ପରେ ୧୫ ଦିନକୁ ଥରେ ଚେକ୍ଅପ୍ ପାଇଁ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ପ୍ରତିଥର ମୌସୁମୀଙ୍କ ମାଆ ଦେବକୀ କଟକ ନେବା ଆଣିବା କରୁଥିଲେ। ଅନେକ ଦିନ ଧରି ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ମୌସୁମୀର ଦୃଷ୍ଟି ଶକ୍ତିରେ କୌଣସି ଉନ୍ନତି ଆସନଥିଲା। ଅନ୍ୟପଟେ ବାରମ୍ବାର କଟକ ଡାକ୍ତରଖାନା ଯିବା ଆସିବା କରି ବହୁ ଖର୍ଚ୍ଚାନ୍ତ ମଧ୍ୟ ହୋଇସାରିଥିଲେ ଦେବକୀ। ତେଣୁ ବାରମ୍ବାର ଡାକ୍ତରଖାନା ଦୌଡିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଯିବା ବନ୍ଦ କରିଦେଥିଲେ।

ବର୍ତ୍ତମାନ ମୌସୁମୀର ଡ଼ାହାଣ ଆଖିକୁ ହାଲକା ଦେଖାଯାଉଛି। ସେଥିରେ ହିଁ ସେ ତାର ଦୌନନ୍ଦିନ କାର୍ଯ୍ୟ କରିବା ସହ ପାଠ ପଢୁଛି। ଅଧିକ ସମୟ ବହି ପଢିଲେ ଆଖିର ଲୁହ ବାହାରୁ ଥିବାରୁ ଅଧିକ ପାଠ ମଧ୍ୟ ପଢି ପାରୁନାହିଁ। ଏଭଳି ସ୍ଥିତିରେ ତାର ଭବିଷ୍ୟତକୁ ନେଇ ପରିବାର ଲୋକେ ଚିନ୍ତିତ ଅଛନ୍ତି। ତେଣୁ ଯଥା ଶୀଘ୍ର ସରକାରୀ ସ୍ତରରେ ମୌସୁମୀକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଗଲେ ସେ ତାର ଦୃଷ୍ଟି ଶକ୍ତି ପୁଣି ଫେରି ପାଇଁ ସାଧାରଣ ଜୀବନ ବଞ୍ଚି ପାରିବ ବୋଲି ଦେବକୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର