ଭଞ୍ଜନଗର : ପ୍ରାଣଘାତୀ ଏଡ୍ସ୍ ତଥା ଏଚ୍ଆଇଭି ରୋଗ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଗଞ୍ଜାମ ଜିଲ୍ଲାରେ ସରକାରୀ ଏବଂ ବେସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏଥିପାଇଁ ସଭାସମିତିଠୁ ଆରମ୍ଭ କରି ଶୋଭାଯାତ୍ରା ଆଦି ଆୟୋଜିତ ହେଉଛି। ତଥାପି ତୃଣମୂଳସ୍ତରରେ ଆଜି ବି ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିପାରୁନି। ଫଳରେ ପ୍ରତିବର୍ଷ ଶତାଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଉ ଚିନ୍ତାର ବିଷୟ ହେଉଛି, ଅର୍ଦ୍ଧାଧିକ ଯୁବପିଢ଼ି ଏହି ରୋଗରେ ସଂକ୍ରମିତ ହୋଇ ଜୀବନ ସହ ଲଢ଼ୁଛନ୍ତି। ସଚେତନ ଥାଇ ବି ଅବହେଳା ମନୋଭାବ ଯୋଗୁଁ ସେମାନଙ୍କ ନିଜ ଜୀବନକୁ ଯେମିତି ମୃତ୍ୟୁର ଅନ୍ଧକାର କୋଠରିକୁ ଠେଲି ଦେଉଛନ୍ତି। ଭଞ୍ଜନଗର ଏଆର୍ଟି ସେଣ୍ଟର୍ରେ ପ୍ରତିବର୍ଷ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଏହାର ଜ୍ବଳନ୍ତ ପ୍ରମାଣ।
ସୂଚନାନୁସାରେ, ୨୦୧୪ରେ ଲିଙ୍କ୍ ଏଆର୍ଟିରୁ ଏହା ଏଆର୍ଟିରେ ପରିଣତ ହୋଇଥିଲା। ସେହି ସମୟରେ ଏଠାରେ ମାତ୍ର ୪୪ ଜଣ ସଂକ୍ରମିତ ଥିଲେ। କିନ୍ତୁ ଏହାପରଠୁ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ସଦ୍ୟ ହସ୍ତଗତ ରେକର୍ଡ଼ ଅନୁସାରେ, ଚଳିତବର୍ଷ ସୁଦ୍ଧା ତଥା ୮ ବର୍ଷ ଭିତରେ ସଂକ୍ରମିତ ସଂଖ୍ୟା ୧୬୧୯ରେ ପହଞ୍ଚିଛି। ସେହିପରି ୧୪୯ ଜଶଙ୍କ ମୃତ୍ୟୁ ଘଟିଛି।
/sambad/media/post_attachments/wp-content/uploads/2021/04/HIV-Featured-Article-750x430.png)
ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଏଆର୍ଟି ସେଣ୍ଟର୍ରୁ ୨୦୧୫ ମସିହାରେ ୯୪ ଏଚ୍ଆଇଭି ସଂକ୍ରମିତ ଚିହ୍ନଟ ହୋଇଥିଲେ। ୨୦୧୬ରେ ୧୦୨ ଜଣ, ୨୦୧୭ରେ ୧୦୧ ଜଣ, ୨୦୧୮ରେ ୧୦୩ ଜଣ ଏବଂ ୨୦୧୯ରେ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଚିହ୍ନଟ ହୋଇଥିବା ସଂକ୍ରମିତ ଏବଂ ଅନ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇ ଏଠାକୁ ସ୍ଥାନାନ୍ତର ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୦୧୮ରେ ୯୬୨ ଜଣ ଔଷଧ ନେଉଥିଲେ। ୨୦୧୯ରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୭ ରହିଥିଲା। ୨୦୨୦ରେ ତାହା ବୃଦ୍ଧି ପାଇ ୧୩୦୦ରେ ପହଞ୍ଚିଥିବା ଥିବା ବେଳେ ଗତବର୍ଷ ୧୪୬୦ ଛୁଇଁଥିଲା। ଚଳିତବର୍ଷ ତାହା ୧୬୧୯କୁ ବୃଦ୍ଧି ପାଇଛି। ହାରାହାରି ପ୍ରତିବର୍ଷ ଏହି କେନ୍ଦ୍ର ଅଧୀନରେ ପ୍ରାୟ ୧୫୦ରୁ ୨୦୦ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି
ବର୍ତ୍ତମାନ ୧୬୧୯ ଜଣ ଏଚ୍ଆଇଭି ଆକ୍ରାନ୍ତଙ୍କୁ ଔଷଧ ଦିଆଯାଉଛି। ଏମାନଙ୍କ ମଧ୍ୟରେ ଭଞ୍ଜନଗରରୁ ୩୧୭ ଜଣ ଥିବା ବେଳେ ବେଲଗୁଣ୍ଠାରୁ ୩୯୭, ଜଗନ୍ନାଥପ୍ରସାଦରୁ ୧୮୮, ବୁଗୁଡ଼ାରୁ ୧୨୭, ଧରାକୋଟରୁ ୩୯, ସୋରଡ଼ାରୁ ୧୭୭, ପୋଲସରାରୁ ୧୫, ଶେରଗଡ଼ରୁ ୧୯, ଛତ୍ରପୁର, ରଙ୍ଗେଇଲୁଣ୍ଡା ଏବଂ ପୁରୁଷୋତ୍ତମପୁରରୁ ୩ ଜଣ ଲେଖାଏଁ ଏବଂ କନ୍ଧମାଳ ଜିଲ୍ଲାରୁ ୧୯୩, ନୟାଗଡ଼ରୁ ୨୯, କଟକରୁ ୩, ଝାରୁସୁଗୁଡ଼ା, କଳାହାଣ୍ଡି ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ ଔଷଧ ଗ୍ରହଣ କରୁଛନ୍ତି। କେନ୍ଦ୍ରରେ ଜଣେ ଡାକ୍ତର, କେୟାର୍ କୋଅଡ଼ିନେଟର୍ ଏବଂ ଷ୍ଟାଫନର୍ସଙ୍କ ଆବଶ୍ୟକତା ଥିବା ବେଳେ ଆବଶ୍ୟକ ୭ ଜଣ କର୍ମଚାରୀଙ୍କ ଜାଗାରେ ୪ ଜଣ ପରିଚାଳନା କରୁଛନ୍ତି।
/sambad/media/post_attachments/wp-content/uploads/2018/09/11-hiv-aids-1538140925-750x430.jpg)
ସଚେତନତା ଅଭାବ ସାଙ୍ଗକୁ ଅସୁରକ୍ଷିତ ଯୌନ ସଂପର୍କ ଓ ଦାଦନ ଶ୍ରମିକଙ୍କ ଯୋଗୁଁ ଆକାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ସଂକ୍ରମିତ ଲୋକଲଜ୍ଜା ଭୟରେ ଔଷଧ ଗ୍ରହଣ କରୁନାହାନ୍ତି। ବିବାହ ପୂର୍ବରୁ ରକ୍ତ ପରୀକ୍ଷା କରାଯାଉନି। ଫଳରେ ବିଭିନ୍ନ କାରଣରୁ ଏଡ୍ସ୍କୁ ରୋକିବା ଅଭିଯାନ ସଫଳ ହୋଇପାରୁନି। ବିଶେଷକରି ଯୁବପିଢ଼ି ଏଦିଗରେ ସଚେତନ ଥାଇ ମଧ୍ୟ ବିପଦକୁ ଆମନ୍ତ୍ରଣ କରୁଛନ୍ତି। ସଂକ୍ରମିତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଗ୍ରହଣ ଜରୁରୀ ହୋଇ ପଡ଼ୁଛି। କିନ୍ତୁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନରହିବା କାରଣରୁ ଖାଦ୍ୟ ଯୋଗାଡ଼ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ୁଛି।