ଭଞ୍ଜନଗର ପୁଲିସ ଉପଖଣ୍ଡ : କମ୍ ମାନବସମ୍ବଳରେ ଚାଲିଛି ଅପରାଧ ନିୟନ୍ତ୍ରଣ

ଭଞ୍ଜନଗର : ଆଇନଶୃଙ୍ଖଳାଠୁ ଆରମ୍ଭ କରି ଜନସାଧାରଣଙ୍କ ସୁରକ୍ଷା କଥା ଉଠିଲେ ପୁଲିସର ଭୂମିକା ଆଗକୁ ଆସେ। ତେବେ ସାଂପ୍ରତିକ ପରିସ୍ଥିତିରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବା ସାଙ୍ଗକୁ ଦାୟିତ୍ବ ବି ସେତିକି ପରିମାଣରେ ବଢ଼ିଛି। ଜନସଂଖ୍ୟାକୁ ନେଇ କାର୍ଯ୍ୟଧାରାରେ ବି ପରିବର୍ତ୍ତନ କରାଯାଉଛି। କିନ୍ତୁ ଯେତିକି ଚୂନାକୁ ସେତିକି ପିଠା ନ୍ୟାୟରେ କମ୍ ମାନବସମ୍ବଳକୁ ନେଇ ଚାଲିଛି ପୁଲିସ ବିଭାଗ। ଗୋଟିଏ ପଟେ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅନ୍ୟପଟେ କର୍ମଚାରୀ ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସିପାରୁନି। ଏହି ଚିତ୍ର ହେଉଛି, ଗଞ୍ଜାମ ଜିଲ୍ଲାର ସମ୍ବେଦନଶୀଳ ଭଞ୍ଜନଗର ଉପଖଣ୍ଡ ପୁଲିସ ବିଭାଗର।

ବର୍ତ୍ତମାନ ଏହି ଉପଖଣ୍ଡରେ ନୂତନ ଭାବେ ପ୍ରତିଷ୍ଠା ‌ବେଲଗୁଣ୍ଠା ଥାନାକୁ ମିଣାଇ ୭ଟି ଥାନା ରହିଛି। ଏହାସହ ୨ଟି ଫାଣ୍ତି ଓ ବିଟ୍‌ ହାଉସ୍‌ ଅଛି। ହେଲେ କେବଳ ଜଗନ୍ନାଥପ୍ରସାଦ ଥାନାକୁ ବାଦ୍‌ ଦେଲେ କୌଣସି ଥାନାରେ ଆବଶ୍ୟକ ଅଧିକ‌ାରୀ ଓ କର୍ମଚାରୀ ନାହାନ୍ତି। ଏପରିକି ୩ଟି ଥାନାରେ ଥାନାଧିକାରୀ ପଦବି ଖାଲି ପଡ଼ିଛି। ଭିତ୍ତିଭୂମି ଓ ଭୌଗୋଳିକ ଦୃଷ୍ଟିକୋଣକୁ କେବଳ ଆଦର୍ଶ ଥାନା ନାମରେ ନାମିତ କରାଯାଇଛି। କିନ୍ତୁ କର୍ମଚାରୀ ଓ ଅଧିକାରୀ ଅଭାବ ପୂରଣ ପ୍ରତି ସରକାରଙ୍କ ନିଘା ନାହିଁ। ଆଉ ଯେଉଁ ମାନେ ବି ଦାୟିତ୍ବ ନିର୍ବାହ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟଭାର ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ମାମଲାର ତଦନ୍ତ ପ୍ରକ୍ରିୟା କିଭଳି ତ୍ବରାନ୍ବିତ ଓ ଅପରାଧ ନିୟନ୍ତ୍ରଣ କେମିତି ହେଉଥିବ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ।

ଭଞ୍ଜନଗର ଥାନା ଅପରାଧିକ ଓ ମାଓ କାର୍ଯ୍ୟକଳାପ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥାନା ହୋଇଥିବା ବେଳେ ଏଠାରେ କାର୍ଯ୍ୟରତ ଥାନାଧିକାରୀଙ୍କୁ ବେଲଗୁଣ୍ଠା ଥାନାକୁ ବଦଳି ହୋଇଛି। ଏହା ପରେ ଏଠାରେ ନୂଆ ଥାନାଧିକାରୀ ଭାବେ କାହାକୁ ମଧ୍ୟ ଅବସ୍ଥାପିତ କରାଯାଇନି। ସେହିପରି ବିଦ୍ୟୁତ୍ ଥାନାଧିକାରୀ ପଦବି ଖାଲି ପଡ଼ିଛି। ବେଲଗୁଣ୍ଠା ଥାନାଧିକାରୀ ଭଞ୍ଜନଗର ଓ ବିଦ୍ୟୁତ୍ ବିଦ୍ୟୁତ୍‌ ଥାନାର ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।

ସେହିପରି ମାଓପ୍ରବଣ ଓ ସମ୍ବେଦନଶୀଳ ଭାବେ ପରିଚିତ ତାରସିଂ ଥାନାରେ ଦୀର୍ଘବର୍ଷ ହେଲା ଥାନାଧିକାରୀ ପଦବିରେ କାହାକୁ ନିଯୁକ୍ତି ଦିଆଯାଇନି। ଜ‌ଣେ ଏସଆଇ ଏଠାରେ ଭାରପ୍ରାପ୍ତ ଦାୟିତ୍ବ ତୁଲାଉଛନ୍ତି। କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅପରାଧ ନିୟନ୍ତ୍ରଣ ସମେତ ଅବକାରୀ, ଆରଟିଓ ଚେକି˚, ବ୍ୟାଙ୍କ ଓ ବନବିଭାଗ ସହ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରାଯାଉଛି। ଫଳରେ କିଛି ସମ୍ବେଦନଶୀଳ ଇଲାକାରେ ନିୟମିତ ପାଟ୍ରୋଲିଂ ହୋଇପାରୁନି।

ଭଞ୍ଜନଗର ଥାନାରେ ଜଣେ ଥାନାଧିକାରୀଙ୍କ ସମେତ ୩ ଜଣ ଏଏସ୍‌ଆଇ ଜଣେ ହାବିଲ୍‌ଦାର ଏବଂ ଜଣେ ଏଫ୍‌ଓ ପଦବି ଖାଲି ରହିଛି। ଏହାର ଅଧୀନରେ ଭେଜିପୁଟ ଓ ଜିଲୁଣ୍ତି ଟାଉନ୍‌ପୋଷ୍ଟ, କୁଲାଡ ବିଟ୍‌ ହାଉସ୍‌ ଓ ଟ୍ରାଫିକ୍ ପୋଷ୍ଟ୍ ଆଦି ପରିଚାଳିତ ହେଉଛି। ଭେଜିପୁଟ ଟାଉନ୍‌ପୋଷ୍ଟରେ ସମସ୍ତ ପଦବି ପୂରଣ ଥିବା ବେଳେ ଜିଲୁଣ୍ଡିରେ ଜଣେ ହାବିଲଦାର ଓ ୫ ଜଣ କନେଷ୍ଟବଲ୍‌ ପଦବି ଖାଲି ପଡ଼ିଛି। ଟ୍ରାଫିକ୍‌ ପୋଷ୍ଟରେ ଜଣେ ମାତ୍ର ହାବିଲଦାର କାମ ଚଳାଉଛନ୍ତି। ବିଦ୍ୟୁତ୍‌ ଥାନାରେ ଥାନାଧିକାରୀଙ୍କ ସମେତ ୨ ଜଣ ଏସ୍‌ଆଇ, ୨ଜଣ ଏଏସ୍ଆଇ, ଜଣେ ହାବିଲଦାର୍ ଏବଂ ୭ ଗୋଟି କ‌ନଷ୍ଟେବଲ୍‌ ପଦବି ଖାଲି ରହିଛି। ନୂତନ ଭାବେ ସ୍ଥାପିତ ବେଲଗୁଣ୍ଠା ଥାନାରେ ଥାନାଧିକାରୀଙ୍କ ସମେତ ଜଣେ ଲେଖାଏଁ ଏସ୍‌ଆଇ ଏବଂ ଏଏସ୍‌ଆଇ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଅଧିକାରୀ ପଦବି ପୂରଣ କରାଯାଇନାହିଁ। ବୁଗୁଡ଼ା ଥାନାରେ ୩ ଗୋଟି ଏଏସ୍‌ଆଇ ପଦବି ଖାଲି ଥିବା ବେଳେ ଜଣେ ଅତିରିକ୍ତ ଏସ୍‌ଆଇଙ୍କୁ ଏଠାରେ ନିଯୁକ୍ତ କରାଯାଇଛି। ବାଲିପଦର ଫାଣ୍ଡିରେ ଜଣେ ଏସ୍‌ଆଇ ଏବଂ ୫ ଜଣ କନଷ୍ଟେବଲ୍ ରହିଥିବା ବେଳେ ଗୋଟିଏ ଏଏସ୍‌ଆଇ ପଦବି ଖାଲି ପଡ଼ିଛି। କରସିଂ ଏଇଡ୍‌ ପୋଷ୍ଟରେ ୨ଟି କନେଷ୍ଟବଲ୍‌ ପଦବି ରହିଥିବା ବେଳେ ସେଠାରେ କେହି ବି ନାହାନ୍ତି। ତାରସିଂ ଥାନାରେ ଥାନାଧିକାରୀଙ୍କ ସମେତ ଜଣେ ଏଏସ୍‌ଆଇ ପଦବି ଖାଲି ପଡ଼ିଛି। ଗାଲେରି ଫାଣ୍ଡିରେ ଜଣେ ଏସ୍‌ଆଇ କାର୍ଯ୍ୟ କରୁଥିବା ବେଳେ ଜଣେ ଏଏସ୍‌ଆଇ ଏବଂ ୩ ଗୋଟି କ‌ନ୍‌ଷ୍ଟେବଲ୍‌ ପଦବି ଖାଲି ରହିଛି। ଗାଙ୍ଗପୁର ଥାନାରେ ଗୋଟିଏ ଏସ୍‌ଆଇ ଓ ୩ ଗୋଟି ଏଏସ୍‌ଆଇ ପଦବି ଏବଂ ଜିଲ୍ଲା ଗୁଇନ୍ଦା ବ୍ୟୁ‌ରୋରେ ୨ଟି କନେଷ୍ଟବଲ୍‌ ପଦବି ଖାଲି ପଡ଼ିଛି।

ଅନ୍ୟପକ୍ଷରେ କର୍ମଚାରୀ ଅଭାବ ଥିବା ବେଳେ ଥାନାରେ ମାମଲା ସଂଖ୍ୟା ବଢ଼ିଛି। ଗତବର୍ଷ ଲକଡାଉନ୍ ସମୟରେ ମାମଲା ସଂଖ୍ୟା ୨୦୧୯ ତୁଳନାରେ ବୃଦ୍ଧି ପାଇଛି। ଭଞ୍ଜନଗର ଥାନାରେ ୨୦୧୯ରେ ୪୮୯ ଗୋଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ରେକର୍ଡ଼ସଂଖ୍ୟକ ୬୫୬ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୪ଟି ହତ୍ୟାକାଣ୍ଡ, ୬ଟି ଦୁଷ୍କର୍ମ ଏବଂ ୬୯ଟି ଚୋରି ଓ ଲୁଟ୍ ଭଳି ମାମଲା ରହିଛି। ସେହିପରି ଗାଙ୍ଗପୁର ଥାନାରେ ୨୦୧୯ରେ ୨୪୪ ଏବଂ ୨୦୨୦ରେ ୩୮୬ ମାମଲା, ବୁଗୁଡ଼ା ଥାନାରେ ୨୦୧୯ରେ ୩୨୦ ଏବଂ ୨୦୨୦ରେ ୩୯ଟି ମାମଲା, ଜଗନ୍ନାଥପ୍ରସାଦ ଥାନାରେ ୨୦୧୯ରେ ୨୨୫ଟି ଏବଂ ୨୦୨୦ରେ ୩୧୪ଟି ମାମଲା, ତାରସିଂ ଥାନାରେ ୨୦୧୯ରେ ୨୦୦ ଟି ଏବଂ ୨୦୨୦ରେ ୨୭୩ ଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର