ଭଞ୍ଜନଗର: ଭଞ୍ଜନଗର ଠାକୁରାଣୀ ଯାତ୍ରା ଅବସରରେ ଯାତ୍ରା କମିଟି ପକ୍ଷରୁ କବି ସମ୍ରାଟ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ଼ ଜମୁଛି। ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରଖ୍ୟାତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ମୁଖ୍ୟ ଆକର୍ଷଣ କରିଥିଲେ। ମଣ୍ଟୁଙ୍କ କଣ୍ଠରୁ ବିଭିନ୍ନ ଗୀତରେ ଦର୍ଶକ ବିଳମ୍ବିତ ରାତିଯାଏ ଝୁମିଥିଲେ। ମୁଖ୍ୟସଡ଼କରେ ଗହଳି ଅଣାୟତ୍ତ ହୋଇଯାଇଥିଲା। ସେହିପରି ଲୋକପ୍ରିୟ କଣ୍ଠଶିଳ୍ପୀ ଶୀତଲ କବି, ଜେ.ପତି, ସିମ୍ରାନ୍ ଦାସ ଓ ବୈଭବ ଶୁଭାଷିଶଙ୍କ କଳା ପରିବେଷଣ ମନ୍ତ୍ରମୁଗ୍ଧ କରିଥିଲା।
ସମ୍ବଲପୁରର ସ୍ବତନ୍ତ୍ର ବାଦ୍ୟଯନ୍ତ୍ର ଆକର୍ଷଣ ପାଲଟିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଶୋୟୀ, ଭଞ୍ଜନଗର ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ସୁଧୀର ରଞ୍ଜନ ବେହେରା ଓ ସୁଶାନ୍ତ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ସେହିପରି ଆଜି ସ୍ଥାନୀୟ ଓମ୍ ସଙ୍ଗୀତ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଅନ୍ୟପକ୍ଷରେ ଯାତ୍ରା ଆଜି ଦଶମ ଦିନରେ ପହଞ୍ଚିଛି। ସନ୍ଧ୍ୟା ଆଳତି ପରେ ମା’ବ୍ୟାଘ୍ରଦେବୀ ଓ ମା’ ଠାକୁରାଣୀ ଅସ୍ଥାୟୀ ମଣ୍ଡପରୁ ବାହାରି ସାହି ପରିକ୍ରମା କରିଥିଲେ। ସୁବୁଦ୍ଧି ସାହିରେ ରାଘବ ରାଓ ଓ ଚିରଞ୍ଜୀବୀ ପଟ୍ଟନାୟକ ସାହିରେ ରାମକୃଷ୍ଣ ମିଶ୍ରଙ୍କ ବାସଭବନରେ ଭୋଗ ଗ୍ରହଣ କରିଥିଲେ। ଯାତ୍ରାରେ ଦିନକୁ ଦିନ ଭିଡ଼ ଜମିବାରେ ଲାଗିଛି।