ଭଞ୍ଜନଗର : ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ତଥା ଗଞ୍ଜାମ ପ୍ରୋଟୋକଲ୍ ବିଚାରପତି ଡ.ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ସୋମବାର ଭଞ୍ଜନଗର ଗସ୍ତ କରିଛନ୍ତି। ସ୍ଥାନୀୟ ବନ ବିଭାଗ ବିଶ୍ରାମାଗାରରେ ଜିଲ୍ଲାର ବିଭିନ୍ନ ବିଚାରପତି, ଭଞ୍ଜନଗର ଓକିଲ ସଂଘ କର୍ମକର୍ତ୍ତା ଏବଂ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମାନଙ୍କ ସହ ସ୍ଥାନୀୟ କୃଷକ ବଜାର ପାଖରେ ହେବାକୁ ଥିବା ନୂତନ କୋର୍ଟ କୋଠା ନିର୍ମାଣ ସଂର୍ପକରେ ଆଲୋଚନା କରିଥିଲେ। ଜିଲ୍ଲାସ୍ତରୀୟ କୋର୍ଟ ଢାଞ୍ଚାରେ ନୂତନ କୋଠା ନିର୍ମାଣ ହେବା ନେଇ ଆଲୋଚନା ହୋଇଥିବା ବେଳେ ଏଥିପାଇଁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବ‌ୋଲି ଓକିଲ ସଂଘ ସଭାପତି ସନ୍ତୋଷ ନାୟକ ସୂଚନା ଦେଇଛନ୍ତି। ଉଚ୍ଚନ୍ୟାୟାଳୟ ପକ୍ଷରୁ ଏହି କୋଠା ପାଇଁ ଅନୁମୋଦନ ମିଳିସାରିଥିବା ବେଳେ ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଥିବା ସେ ପ୍ରକାଶ କରିଛନ୍ତି।

Advertisment

ଏଥିସହ ଭଞ୍ଜନଗର ଠାରେ ସ୍ବତନ୍ତ୍ର ଭିଜିଲାନ୍ସ୍‌ ସର୍କିଟ କୋର୍ଟ ଖୋଲାଯାଇଥିବାରୁ ବିଚାରପତି ଡ.ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏଥିସହ ସଂଘ ପକ୍ଷରୁ ଏଠାରେ ଜୁଭେନାଇଲ୍ ଏବଂ ପୋକ୍ସ‌ୋ କୋର୍ଟ ଖୋଲିବା ପାଇଁ ଅନୁରୋଧ କରାଯାଇଥିଲା। ପ‌ରେ ସେ କୁଲାଡ଼ ବ୍ୟାଘ୍ରଦେବୀ ଏବଂ ଭଞ୍ଜନଗର ଠାକୁରାଣୀ ମନ୍ଦିର ଯାଇ ଦେବୀଙ୍କ ଦର୍ଶନ କରିଥିଲେ। ଏହାପରେ ଫୁଲବାଣୀ ଅଭିମୁଖେ ଗସ୍ତ କରିଥିଲେ। ଜିଲ୍ଲା ଦୌରାଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା, ଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର, ଭଞ୍ଜନଗର ଏଡିଜେ ଡ.ଅରୁଣ କୁମାର ସାହୁ, ନାଜିର ଲିଙ୍ଗରାଜ ବେହେରା, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ମହାନ୍ତି, ସହକାରୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା, ବରିଷ୍ଠ ଆଇନଜୀବୀ ଏମ୍‌.ତାଜ୍ ଆଦେନୀ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବିନୟ କୁମାର ରଥ, ଗୋପାଳ ପ୍ରଧାନ, ରବିନାରାୟଣ ଦାଶ, ରଜତ ଦାଶ, ତ୍ରିନାଥ ମଳିକ, ଅଳକା ମଞ୍ଜରୀ ପଟ୍ଟନାୟକ ଓ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।