ଚଳିତ ମାସ ୧୯ରେ ବାରିପଦା ଓ ରାଇରଙ୍ଗପୁର ବିଧାୟକଙ୍କ ବାସଭବନ ଆଗରେ ଧାରଣା ଦେବ ଭଞ୍ଜସେନା

ବାରିପଦା : ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ସହିତ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲ ସହ ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସାଳୟଗୁଡ଼ିକରେ ଖାଲିପଡ଼ିଥିବା ଡାକ୍ତର, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ କର୍ମଚାରୀ ପଦବୀକୁ ଅବିଳମ୍ବେ ପୂରଣ କରାଯିବା, ଜନସାଧାରଣଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଚିକିତ୍ସାଳୟଗୁଡ଼ିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଆବଶ୍ୟକୀୟ ଉପକରଣ ଆଦି ଯୋଗାଇ ଦେବା ନିମନ୍ତେ ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ବାରମ୍ବାର ଅନୁରୋଧ କରିଛନ୍ତି। ଏଥିସହିତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାର ବିଧାୟକ ଏବଂ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଯଦି ଜିଲ୍ଲାର ସାଂସଦ ଓ ବିଧାୟକମାନେ ଏ ଦିଗରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ବାସ ଭବନ ସମ୍ମୁଖରେ ଭଞ୍ଜସେନା ପକ୍ଷରୁ ଧାରଣା ପ୍ରଦାନ କରାଯିବ ବୋଲି ପୂର୍ବରୁ ଚେତାବନୀ ମଧ୍ୟ ଦେଇଥିଲେ।

ମାତ୍ର ଏ ଦିଗରେ ବିଧାୟକ ଓ ସାଂସଦମାନେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସେନା ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝି ଓ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ବାସଭବନ ସମ୍ମୁଖରେ କରୋନା କଟକଣା ଅନୁପାଳନ ପୂର୍ବକ ଚଳିତ ଅକ୍ଟୋବର ୧୯ ତାରିଖରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରାଯିବ ବୋଲି ଭଞ୍ଜସେନା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର