୬ ବର୍ଷରେ ୧୫ ହଜାର କୁକୁର କାମୁଡ଼ାର ଶିକାର

୫ ବର୍ଷରେ ଆହତଙ୍କ ସଂଖ୍ୟା ବୃଦ୍ଧି

ଭଞ୍ଜନଗର : ଭଞ୍ଜନଗର ସହର ଓ ଉପକଣ୍ଠ ଅଞ୍ଚଳରେ ବୁଲାକୁକୁର ମାନଙ୍କ ଦୌରାତ୍ମ୍ୟ ଚିନ୍ତାର କାରଣ ପାଲଟିଛି। ସହରର ଗଳିକନ୍ଦିଠୁ ଆରମ୍ଭ କରି ଗାଁ ମୁଖ୍ୟରାସ୍ତା ସବୁ ଜାଗାକୁ କୁକୁରପଲ ୨୪ ଘଣ୍ଟା ଅକ୍ତିଆର କରୁଛନ୍ତି। ଫଳରେ ଯାନବାହନ ଚାଳକ ଦୁର୍ଘଟଣା ଓ ପଥଚାରୀମାନେ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଦିନକୁ ଦିନ କୁକୁର କାମୁଡ଼ାରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରୁ ମିଳିଥିବା ତଥ୍ୟାନୁସାରେ, ୬ ବର୍ଷରେ ୧୫ ହଜାର ଜଣ କୁକୁର କାମୁଡ଼ାର ଶିକାର ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ,  ୨୦୧୭ ମସିହାରେ ୧,୩୬୧ ଜଣ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ ୨୦୧୮ରେ ୨,୭୧୮ ଜଣ, ୨୦୧୯ରେ ୩,୫୯୧ ଜଣ ଓ ୨୦୨୦ରେ ୩,୦୩୨ ଜଣଙ୍କୁ କୁକୁର କାମୁଡ଼ିଥିଲା। ତେବ‌େ ୨୦୨୧ ମସିହାରେ ସର୍ବାଧିକ ୩,୧୯୬ ଜଣ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ ଗତବର୍ଷ ୧,୫୧୨ଜଣ କୁକୁର କାମୁଡ଼ାରେ ଆହତ ହୋଇଥିଲେ।
ଫଳରେ ଦିନକୁ ଦିନ କୁକୁର କାମୁଡ଼ାରେ ଆହତଙ୍କ ସଂଖ୍ୟା ବଢ଼ିଚାଲିଥିବା ଉପରୋକ୍ତ ସଂଖ୍ୟାରୁ ଜଣାପଡ଼ୁଛି। କୁକୁର କାମୁଡ଼ିରେ ଏଆର୍‌ଭି (ଆଣ୍ଟି ରୢାବିସ୍ ଭ୍ୟାକ୍ସିନ୍) ଇଞ୍ଜେକ୍ସନ୍ ଦିଆଯାଇଥାଏ। ଏହାକୁ ରାଜ୍ୟ ସରକାର ମାଗଣାରେ ଯୋଗାଇଦିଅନ୍ତି। ଏଥିସହ କୁକୁର କାମୁଡ଼ିଥିବା ବ୍ୟକ୍ତିଙ୍କ କ୍ଷତ ଦେଖି

୨୮ ଦିନ ଭିତରେ ୪ଟି ଇଞ୍ଜେକ୍ସନ୍ ଦିଆଯାଇଥାଏ। ଏହିକ୍ରମ‌େ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ‌କୁ ମାସିକ ହାରାହାରି ୮୦ରୁ ୧୦୦ ଭାଇଲ୍ ଦରକାର ପଡୁଥିବା ବେଳେ ବର୍ତ୍ତମାନ ୪୦ଟି ଭାଇଲ୍ ରହିଥିବା ଜଣାପଡ଼ିଛି।
କିନ୍ତୁ ବର୍ତ୍ତମାନ ଭଞ୍ଜନଗର ସହରରେ ବୁଲାକୁକୁରଙ୍କ ଦୌରାତ୍ମ୍ୟ ଚିନ୍ତା ବଢ଼ାଇଛି।  ଏଠାରେ ଉପଖଣ୍ଡସ୍ତରୀୟ ସରକାରୀ କାର୍ଯ୍ୟାଳୟ ଥିବାରୁ ବିଭିନ୍ନ ସ୍ଥାନରୁ ଜନସାଧାରଣ ନିୟମିତ ଆସୁଛନ୍ତି। ସେହିପରି ସ୍ଥାନୀୟ ଲୋକଙ୍କ ସମେତ ବିଭିନ୍ନ ସରକାରୀ ଓ ବ୍ୟାବସାୟିକ କାମରେ ଆସୁଥିବା ଜନସାଧାରଣ ମୁଖ୍ୟରାସ୍ତା ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଶତାଧିକ ଗାଡ଼ି ଦୁଇ ପ୍ରମୁଖ ରାସ୍ତା ଉପରେ ଯାତାୟାତ କରିଥାଏ। ତେବେ ୨୪ ଘଣ୍ଟା ଧରି କୁକୁର ଜମା ହୋଇ ରହୁଥିବାରୁ  ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ରାତିରେ କୁକୁରପଲ ଜନସାଧାରଣଙ୍କୁ ଗୋଡ଼ାଇ କାମୁଡ଼ୁଛନ୍ତି। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ୧୦ରୁ ୧୫କୁକୁର ଜମା ହୋଇ ରହୁଥିବାରୁ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ଭଞ୍ଜନଗର ଏନ୍‌ଏସି ପକ୍ଷରୁ ବୁଲାକୁକୁରଙ୍କୁ ଧରିବା ଦିଗରେ ପଦକ୍ଷେପ ନିଆଯାଉନି କି ବନ୍ଧ୍ୟାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ ହୋଇନି। ଏଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର