ବିଶ୍ବମ୍ବର ଜେନା
ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରେ ଭଞ୍ଜନଗର ତିନି ଦଶନ୍ଧି ଧରି ବିଜେଡିର ଅପରାଜେୟ ଗଡ଼ ଭାବେ ପରିଗଣିତ ହୋଇଛି। ବର୍ତ୍ତମାନର ଅର୍ଥମନ୍ତ୍ରୀ ତଥା ପୂର୍ବତନ ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ୧୯୯୫ ମସିହାରୁ ଏଯାବତ୍ ଲଗାତାର ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିରଳ ରେକର୍ଡ଼ ହାସଲ କରିଛନ୍ତି। ଏହାସହ ବିଜେଡି ନିଜ ସଫଳତାର ଧାରା ବଜାୟ ରଖିଛି। ୨୦୨୪ରେ ମଧ୍ୟ ବିଜୟ ଧ୍ବଜା ଉଡ଼ାଇବାକୁ ଶାସକଦଳ ରଣକୌଶଳ ପ୍ରସ୍ତୁତି କରିସାରିଛି। ସେପଟେ ବିରୋଧୀ ବିଜେପି ମଧ୍ୟ ବଳ ଗୋଟାଉଥିବା ବେଳେ କଂଗ୍ରେସ ନୂଆ ଚେହେରା ନା ଅଭିଜ୍ଞ ନେତାଙ୍କୁ ସୁଯୋଗ ଦେବ ଏଥିପାଇଁ ନାନା କଳ୍ପନାଜଳ୍ପନା ଲାଗିରହିଛି।
ଇତିହାସକୁ ଅବଲୋକନ କଲେ, ଦିନେ ଭଞ୍ଜନଗର ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ୧୯୫୭ରେ କମ୍ୟୁନିଷ୍ଟ୍ ନେତା ସୁମା ନାୟକ ବିଜୟୀ ହୋଇଥିଲେ। ୧୯୬୧ ମସିହାରେ କଂଗ୍ରେସରୁ ମାଗୁଣି ଚରଣ ପ୍ରଧାନ, ୧୯୬୭ରେ କଂଗ୍ରେସରୁ ଦୀନବନ୍ଧୁ ବେହେରା ଓ ୧୯୭୧ ଏବଂ ୧୯୭୪ ମସିହାରେ କଂଗ୍ରେସ ପ୍ରାର୍ଥୀ ସୋମନାଥ ରଥ ବିଜୟୀ ହୋଇଥିଲେ। ଫଳରେ କଂଗ୍ରେସ ହ୍ୟାଟ୍ରିକ୍ କରିଥିଲା। ତେବେ ୧୯୭୭ ମସିହାରେ କଂଗ୍ରେସର ବିଜୟ ରଥକୁ ଜନତା ପାର୍ଟି ଅଟକାଇଥିବା ବେଳେ ଦଳୀୟ ପ୍ରାର୍ଥୀ ଜେ. ସୁବାରାଓ ପୃଷ୍ଟି ବାଜିମାତ୍ କରିଥିଲେ। କିନ୍ତୁ ୧୯୮୦ରେ କଂଗ୍ରେସ ପୁଣି ବିଜୟଧାରାକୁ ଫେରିଥିବା ବେଳେ ସୋମନାଥ ରଥ ନିର୍ବାଚିତ ହୋଇଥିଲେ। ଏହାସହ ୧୯୮୫ରେ କଂଗ୍ରେସରୁ ଉମାକାନ୍ତ ମିଶ୍ର ବିଧାୟକ ହୋଇଥିଲେ। ତିନି ତିନି ଥର ବିଧାୟକ ହୋଇଥିବା ସୋମନାଥ ସ୍ବାସ୍ଥ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ପଦ ଅଳଙ୍କୃତ କରିଥିଲେ।
୧୯୯୦ ମସିହା ପରଠୁ କଂଗ୍ରେସ ଆଉ ବିଜୟଧାରାକୁ ଫେରିବାରେ ସଫଳ ହୋଇପାରି ନାହିଁ। ୧୯୯୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ନେତୃତ୍ବରେ ଜନତା ଦଳର ପ୍ରାର୍ଥୀ ରାମକୃଷ୍ଣ ଗୌଡ଼ କଂଗ୍ରେସ ପ୍ରାର୍ଥୀ ଉମାକାନ୍ତ ମିଶ୍ରଙ୍କୁ ପରାସ୍ତ କରିଥିଲେ। ୧୯୯୫ ମସିହାରେ ବିକ୍ରମ କେଶରୀ ଆରୁଖ କଂଗ୍ରେସକୁ କଡ଼ା ଟକ୍କର୍ ଦେଇ ବରିଷ୍ଠ ନେତା ସୋମନାଥଙ୍କୁ ପରାସ୍ତ କରିଥିଲେ। ଏହାପରଠୁ ବିକ୍ରମ ପଛକୁ ଫେରିନାହାନ୍ତି। ୨୦୦୦ ଓ ୨୦୦୪ରେ କଂଗ୍ରେସରୁ ଦଣ୍ଡପାଣି ପାତ୍ର ଟିକଟ୍ ପାଇଥିଲେ ମଧ୍ୟ ସେ ବିକ୍ରମଙ୍କଠୁ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ପରେ ଭଞ୍ଜନଗର ବ୍ଲକ୍, ଏନଏସି ଓ ଜଗନ୍ନାଥପ୍ରସାଦ ବ୍ଲକ୍କୁ ନେଇ ଭଞ୍ଜନଗର ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। ଏହିବର୍ଷ ବିଜେଡି ପ୍ରାର୍ଥୀ ବିକ୍ରମ ସର୍ବାଧିକ ୭୩ହଜାର ୩୬୭ ଭୋଟ୍ ପାଇଥିଲେ। ଯାହାକି ରାଜ୍ୟରେ ସର୍ବାଧିକ ଥିଲା। କଂଗ୍ରେସ ପ୍ରାର୍ଥୀ ଦେବୀ ବିଷୋୟୀଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ୨୦୧୪ରେ କଂଗ୍ରେସ ପୁଣି ପ୍ରାର୍ଥୀ ପରିବର୍ତ୍ତନ କରି ବିନାୟକ ତ୍ରିପାଠୀ ଓ ୨୦୧୯ରେ ସଞ୍ଜୟ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଉଭୟ ନିର୍ବାଚନରେ ବିକ୍ରମ ହିଁ ବାଜି ମାରି ନେଇଥିଲେ। କିନ୍ତୁ ୨୦୧୯ରେ ବିଜେଡିକୁ ବିଜେଡି କଡ଼ା ଟକ୍କର୍ ଦେଇଥିଲା। ପ୍ରଦ୍ୟୁମ୍ନ ନାୟକ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସକୁ ପଛରେ ପକାଇ ବିଜେପି ଦ୍ବିତୀୟ ସ୍ଥାନରେ ରହିଥିଲା।
ଏବେ ୨୦୨୪ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସଜବାଜ ହୋଇସାରିଲେଣି। ଲଗାତାର ସପ୍ତମ ଥର ପାଇଁ ଏଠାରୁ ବିଜୟ ଧ୍ବଜା ଉଡ଼ାଇବାକୁ ବିକ୍ରମ ଗୋଟିଚାଳନା ଆରମ୍ଭ କରିଛନ୍ତି। ତେବେ ବିଜେପି ମଧ୍ୟ କଡ଼ା ଟକ୍କର୍ ଦେବାକୁ ସ୍ବତନ୍ତ୍ର ରଣକୌଶଳ ଏବେଠୁ ପ୍ରସ୍ତୁତ କରିଛି। ଆଉ ଦଳ ପାଇଁ ସବୁଠୁ ବଡ଼ଅସ୍ତ୍ର ହେଉଛି ଗତ ନିର୍ବାଚନର ଭୋଟ୍ ହାର ବୃଦ୍ଧି। ୨୦୦୯ରେ ଏହି ଆସନରୁ ବିଜେଡି ସର୍ବାଧିକ ୭୬.୫୦ ପ୍ରତିଶତ ଭୋଟ୍ ପାଇ ସାରା ରାଜ୍ୟରେ ରେକର୍ଡ଼ କରିଥିଲା। କିନ୍ତୁ ୨୦୧୯ରେ ବିଜେଡି ବିଜୟ ଲାଭ କରିଥିବା ସତ୍ତ୍ବେ ଭୋଟ୍ହାର ପ୍ରତିଶତ ୪୮.୫୬କୁ ହ୍ରାସ ପାଇଛି। ପ୍ରାର୍ଥୀ ହେବାକୁ ମାଳମାଳ ଆଶାୟୀ ବି ସକ୍ରିୟ ହୋଇଉଠିଲେଣି। କିନ୍ତୁ ଗତ ନିର୍ବାଚନରେ ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରଦ୍ୟୁମ୍ନଙ୍କୁ ପୁଣି ସୁଯୋଗ ମିଳିବ, ନା ଯୁବନେତା ଓ ବରିଷ୍ଠଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିବ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଗତ ପଞ୍ଚାୟତ ନିର୍ବାଚନରେ ଯୁବନେତା ଅଯୋଧ୍ୟା ମହାପାତ୍ରଙ୍କ ନେତୃତ୍ବରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ସେହିପରି କଂଗ୍ରେସ ପୂର୍ବ ସ୍ଥିତିକୁ ଫେରିପାଇବାକୁ ଉଦ୍ୟମ ଆରମ୍ଭ କରିଛି। ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଷୋୟୀ ଏବଂ ଦେବୀ ବିଷୋୟୀ ଦଳୀୟ ମଙ୍ଗ ଧରିଛନ୍ତି। କିନ୍ତୁ ଦଳ କାହା ଉପରେ ଆସ୍ଥା ପ୍ରକଟ କରିବ ଏନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇପାରୁନି।