ଭଞ୍ଜନଗର: ୪୧ ଡିଗ୍ରିରେ ସିଝୁଛି ଭଞ୍ଜନଗର ସହର। ତା’ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନସାଧାରଣଙ୍କୁ କଲବଲ କଲାଣି। ପଦାକୁ ବାହାରିବା କ୍ଷଣି ଦେହରେ ଛୁଞ୍ଚି ପୋଡ଼ି ହେବା ଭଳି ଅନୁଭବ ହେଉଥିବା ବେଳେ ତଣ୍ଟି ଶୁଖିଯାଉଛି। ବାତ୍ୟାର ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆକଳନ ହେଉଥିଲା। ତେବ‌େ ଦିନକୁ ଦିନ ରୌଦ୍ର ବଢ଼ିବାରେ ଲାଗିଛି। ସକାଳ ୯ଟାରୁ ହିଁ ଖରାର ପ୍ର‌କୋପ ଅନୁଭୂତ ହେଉଥିବା ବେଳେ ୧୦ଟାରୁ ଏହା ବୃଦ୍ଧି ପାଉଛି। ଆଉ ମଧ୍ୟାହ୍ନ ୧୨ଟା ବାଜିବା କ୍ଷଣି ଘରୁ ବାହାରିବା ମଧ୍ୟ ମୁସ୍କିଲ୍ ହୋଇପଡ଼ୁଛି। ‌ଆଉ ରାସ୍ତା ଶୂନଶାନ୍ ପାଲଟୁଛି। ଜରୁରୀ କାମ‌ ଥିଲେ ହେଁ, ଲୋକେ ପଦାକୁ ବାହାରୁଛନ୍ତି। ଆଉ ମୁହଁରେ ଗାମୁଛା ବାନ୍ଧିବା ସହ ଚଷମା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।। ସେହିପରି ଘର ଭିତରେ ରହୁଥିବା ଲୋକଙ୍କୁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ମିଳୁନି।

Advertisment

ଲୋଭୋଲଟେଜ୍‌ଜନିତ ସମସ୍ୟା କାରଣରୁ ପଙ୍ଖା ଓ କୁଲର୍ ଠିକ୍ ଭାବେ କାମ ନକରିବା ସମସ୍ୟାକୁ ଦ୍ବିଗୁଣିତ କରୁଛି।  ସେହିପରି ମାଲ୍‌ ପରିବହନ କରୁଥିବା ରିକ୍ସାଚାଳକ ମାନେ ଗଛଛାଇ ଦେଖି ବିଶ୍ରାମ ନେଉଛନ୍ତି। ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀମାନେ ବସ୍‌ଷ୍ଟପ୍‌ରେ ସମୟ କାଟୁଥିବା ବ‌େଳେ ବୁଲା‌ ବେପାରୀମାନେ ବୁଲିବାକୁ ଉଚିତ ମଣୁନାହାନ୍ତି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହୁଛି।  ସନ୍ଧ୍ୟା ୭ଟାରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ତଥାପି ଗୁଳୁଗୁଳି ଥମିବା ନାଁ ନେଉନି। ସେହିପରି ସହରରେ ଯାତ୍ରାର ମାହୋଲ୍ ରହିଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବାହାରେ ବୁଲାବୁଲି କରୁଛନ୍ତି। ତେବେ ଗରମରୁ କେବେ ନିସ୍ତାର ମିଳିବ, ଏହାକୁ ସମସ୍ତେ ଚାହିଁ ରହିଛନ୍ତି। ଆଗାମୀ ଦିନରେ ମଧ୍ୟ ଗ୍ରୀଷ୍ମର ପ୍ରକୋପ ବଢ଼ିବା ଆକଳନ କରାଯାଉଛି। ବର୍ତ୍ତମାନ ଏନ୍‌ଏସି ପ୍ରଶାସନ ପକ୍ଷରୁ ଜନଗହଳି ସ୍ଥାନରେ ଜଳଛତ୍ର ଖୋଲାଯାଇଥିବା ବେଳେ ସ୍ଥାୟୀ ଜଳଛତ୍ର ନିର୍ମାଣ ଚାଲିଛି।