ଭଞ୍ଜନଗର: ନବଜାତ ଶିଶୁଙ୍କ ଜନ୍ମ ପରେ ସେମାନଙ୍କ ସ୍ବତନ୍ତ୍ର ଚିକିତ୍ସା ଓ ନିରୀକ୍ଷଣ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ନବଜାତ ଶିଶୁ ଚିକିତ୍ସାକେନ୍ଦ୍ର (ଏସ୍ଏନ୍ସିୟୁ) ସ୍ଥାପିତ ହୋଇଥିଲା। ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ପାଖାପାଖି ୪ ବର୍ଷ ଧରି ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ ବିନା ଡାକ୍ତରରେ ଚାଲିଥିଲା। ବର୍ଷେ ହେଲା ଜଣେ ଆସିଷ୍ଟାଣ୍ଟ୍ ସର୍ଜନ୍ଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଗୁରୁତର ଅବସ୍ଥାରେ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ନବଜାତ ଶିଶୁ ଅଧିକାଂଶ କ୍ଷେତ୍ରରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଡାକ୍ତରଖାନାରୁ ସଂଗୃହୀତ ତଥ୍ୟ ଅନୁସାରେ ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର କେବଳ ଛଅମାସ ଭିତରେ ଏହି କେନ୍ଦ୍ରରେ ୨୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି।
ଏହି କେନ୍ଦ୍ର ପାଇଁ ସ୍ବତନ୍ତ୍ର ଭାବେ ୪ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଛି। କିନ୍ତୁ ଡାକ୍ତରଖାନାରେ କାର୍ଯ୍ୟରତ ଦୁଇ ଜଣ ଶିଶୁ ବିଶେଷଜ୍ଞ ହିଁ ଏହି କେନ୍ଦ୍ରରେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଚଳିତବର୍ଷ ଏପ୍ରିଲ୍ ମାସରୁ ସେପ୍ଟେମ୍ବର ମଧ୍ୟରେ ୩୦୨ଜଣ ଶିଶୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏଠାରେ ଏପ୍ରିଲରେ ୩, ମେରେ ୬, ଜୁନ୍ରେ ୪, ଜୁଲାଇରେ ୫, ଅଗଷ୍ଟରେ ୪, ସେପ୍ଟେମ୍ବରରେ ୫ ଶିଶୁଙ୍କ ମୃତ୍ୟୁ ହୋଇଛି। ସବୁ ପ୍ରକାର ଆନୁଷଙ୍ଗିକ ଭିତ୍ତିଭୂମି ସୁବିଧା ଥିବା ସତ୍ତ୍ବେ ଡାକ୍ତର ଅଭାବ ଏଠାରେ ମୁଖ୍ୟ ସମସ୍ୟା ଭାବେ ଛିଡ଼ା ହୋଇଛି। ଏଠାରେ ଶିଶୁମାନଙ୍କ ପାଇଁ ୧୨ଟି ଶଯ୍ୟା ରହିଛି। ଅଧିକାଂଶ ସମୟରେ ଷ୍ଟାଫନର୍ସମାନେ ହିଁ ଶିଶୁଙ୍କ ଯତ୍ନ ନେଉଛନ୍ତି। ଯଦି କୌଣସି ଜଟିଳତା ଦେଖାଦିଏ, ତାହେଲେ କର୍ମଚାରୀମାନେ ଡାକ୍ତରଖାନାର ଦୁଇଜଣ ବିଭାଗୀୟ ଡାକ୍ତରଙ୍କ ମଧ୍ୟରୁ ଜଣେ ଡାକ୍ତରଙ୍କୁ ଯୋଗାଯୋଗ କରିଥାନ୍ତି। ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣେ ଛୁଟିରେ ଗଲେ ଘୋର ସମସ୍ୟା ସୃଷ୍ଟି ହେଉଛି। କେନ୍ଦ୍ରରେ ବିଶେଷଜ୍ଞ ନିଯୁକ୍ତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/sfsfhfshfhshfs.jpg)