ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଭରୁଆମୁଣ୍ଡା ଛୋଟଲୋଡ୍ରା ଗ୍ରାମର ଭାନୋବାଇ ମାଝୀ ଗୁରୁବାର ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହି ଘଟଣା ଶୁକ୍ରବାର ଭିନ୍ନ ମୋଡ଼ ନେଇଛି। ବନ ବିଭାଗର ସୂଚନା ଅନୁଯାୟୀ ମହିଳାଙ୍କ ମୃତ୍ୟୁ ଭାଲୁ ଆକ୍ରମଣ ଯୋଗୁଁ ହୋଇଛି।

Advertisment

ଶୁକ୍ରବାର ସକାଳ ୬ଟାରେ ନୂଆପଡ଼ା ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଦିଲ୍ଲୀପ ଚମ୍ପତିରାୟଙ୍କ ନେତୃତ୍ବରେ ଫରେଷ୍ଟ ଗାର୍ଡ ଦେବାର୍ଚ୍ଚନ କୁଲଦୀପ, ଫେଣ୍ଡମ୍ କୁଲଦୀପ, ନୂଆରାମ ମାଝୀ ସହ ଭରୁଆମୁଣ୍ଡା ସରପଞ୍ଚ କାନ୍ତିଲାଲ ସାହୁ, ମୃତ ମହିଳାଙ୍କ ସ୍ବାମୀ ମକର ମାଝୀ, ପୁଅ ସୁନ୍ଦର ଧରୁଆ, ଦୁର୍ଜନ ଧରୁଆ, ଭଗବାନ ଧରୁଆ, ତିଲକ ଧରୁଆ ସହ ଗ୍ରାମର କିଛି ଲୋକ ମିଶି ମହିଳାଙ୍କ ଶବ ଉଦ୍ଧାର କରିବାକୁ ଯାଇଥିଲେ। ମହିଳାଙ୍କ ମୁହଁରୁ ସମସ୍ତ ମାଂସ ଭାଲୁଟି ଖାଇ ଦେଇଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରୁ ମାଂସ ମଧ୍ୟ ଖାଇ ଦେଇଥିବା ଦେଖିବାକୁ ମିଳିଥିଲା। ଏହାବାଦ୍‌ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ନଖ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଭାଲୁର ମଳ ଦେଖି ବନ୍ୟପ୍ରାଣୀ ବିଭାଗ ମହିଳାଙ୍କୁ ଭାଲୁ ଆକ୍ରମଣ କରିଥିବା ସୂଚନା ଦେଇଛି। ହେଲେ ଗ୍ରାମବାସୀଙ୍କ କହିବାନୁସାରେ ଗୁରୁବାର ସନ୍ଧ୍ୟାରେ ମହିଳାଙ୍କୁ ଖୋଜିବା ପାଇଁ ଯାଇଥିବା ବେଳେ ସେମାନେ ବାଘର ଗର୍ଜନ ଶୁଣିଥିଲେ। କିଛି ଦିନ ହେବ ଗାଁରେ ବାଘ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଗାଁର ଅବସ୍ଥିତି ସୁନାବେଡ଼ା ଅଭୟାରଣ୍ୟ ନିକଟରେ ହୋଇଥିବାରୁ ବାଘର ଗର୍ଜନ ସହ ସେମାନେ ବେଶ୍ ପରିଚିତ ବୋଲି ଗ୍ରାମବାସୀ କହିଛନ୍ତି। ଧରମବନ୍ଧା ପୁଲିସ୍‌ ଘଟଣାସ୍ଥଳରୁ ମହିଳାଙ୍କ ଶବ ଜବତ କରିଛି। ଥାନାରେ ଏକ ମାମଲା ରୁଜୁ କରି ଶବ ବ୍ୟବ‌େଛେଦ ପାଇଁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ଦିଲ୍ଲୀପ ଲାକ୍ରା ସୂଚନା ଦେଇଛନ୍ତି।

ବନ୍ୟପ୍ରାଣୀ ବିଭାଗ ଡିଏଫଓ ରମେଶ ଚନ୍ଦ୍ର ପ୍ରଧାନ ସକାଳ ୯ଟାରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ସାମ୍ବାଦିକଙ୍କୁ କହିଥିଲେ ଯେ ମହିଳାଙ୍କୁ ବାଘ ଆକ୍ରମଣ କରିନାହିଁ। ମହିଳା ଜଣକ ଜଙ୍ଗଲକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିଲେ। ସେହି ସମୟରେ ଭାଲୁଟି ତାଙ୍କୁ ଦେଖି ଆକ୍ରମଣ କରି ଶରୀରକୁ କ୍ଷତବିକ୍ଷତ କରିଛି। ଘଟଣା ସ୍ଥଳରେ ବୁଲିବା ସୟମରେ ଭାଲୁର ମଳ ବିଭିନ୍ନ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଛି ବୋଲି କହିଥିଲେ। ଯେହେତୁ ଗ୍ରାମବାସୀ ବାଘ ମାରିଥିବା ଦାବି କରୁଛନ୍ତି, ଏହା ଉପରେ ବି ତଦନ୍ତ ଚାଲିଛି ବୋଲି କହିଥିଲେ। ଯେକୌଣସ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସରକାରୀ ନିୟମ ଅନୁଯାଇ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥାଏ। ଉକ୍ତ ମହିଳାଙ୍କ ପରିବାରକୁ ମଧ୍ୟ ଉକ୍ତ ରାଶି ମିଳିବ ବୋଲି ସୂଚନା ଦେଇଛନ୍ତି।