କାର୍ଯ୍ୟକ୍ଷମ ହେଉନି ଭାପୁର ଆଦର୍ଶ ବିଦ୍ୟାଳୟ

ଭାପୁର: ଭାପୁର ଆଦର୍ଶ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିବାରୁ ବିଦ୍ୟାଳୟରେ ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଦୁଇ ବର୍ଷ ତଳେ ଭାପୁର ବ୍ଲକ୍‌ ଆଦର୍ଶ ବିଦ୍ୟାଳୟଟି ଫତେଗଡ଼ ଗ୍ରାମ ନିକଟରେ ଥିବା ପାହାଡ଼ ତଳେ ଶିକ୍ଷା ବିଭାଗ ତରଫରୁ ସ୍ଥାନ ଚିହ୍ନଟ କରାଯାଇଥିଲା। ୩ ଏକରରୁ ଊର୍ଦ୍ଧ୍ବ ସ୍ଥାନରେ ପ୍ରାୟ ସାଢ଼େ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରାଯାଇ ଦୁଇ ମହଲା ବିଶିଷ୍ଟ ଶ୍ରେଣୀଗୃହ ନିର୍ମାଣ ସରିଛି। ହେଲେ ଉକ୍ତ ଶ୍ରେଣୀ ଗୃହ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଭାପୁର ବ୍ଲକ୍‌ ଅଞ୍ଚଳର ଛାତ୍ରଛାତ୍ରୀମାନେ ଖଣ୍ତପଡ଼ା ବ୍ଲକ୍‌ ଅଧୀନରେ ଶିକ୍ଷାଲାଭ କରୁଥିବା ବ୍ଲକ୍‌ ଶିକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି। ୫ ଦିନ ହେଲା ଭାପୁର ବ୍ଲକ୍‌ ଆଦର୍ଶ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଯୋଗଦାନ କରିଥିବାରୁ ସେହି ଶିକ୍ଷକମାନେ ଅନ୍‌ଲାଇନରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଜଣାପଡ଼ିଛି। ଗତ ବର୍ଷ ଏହି ଅବ୍ୟବସ୍ଥାକୁ ନେଇ ବହୁ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟରୁ ଟିସି ନେଇ ଘରୋଇ ବିଦ୍ୟାଳୟରେ ନାମ ଲେଖାଇଥିବା ନଜିର୍‌ ରହିଛି। ଏଭଳି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ଅବ୍ୟବସ୍ଥା ନେଇ ସାଧାରଣ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ତୁରନ୍ତ ଭାପୁର ବ୍ଲକ୍‌ ଆଦର୍ଶ ବିଦ୍ୟାଳୟରେ ସୁଧାର ଆଣିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର