ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ପଞ୍ଚାୟତ ସମିତିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ନାମରେ ଗୁରୁତର ଅଭିଯୋଗ ଆଣି ଥାନାରେ ଏଫ୍ଆଇଆର୍ ଦାଖଲ କରିଛନ୍ତି ଅଧ୍ୟକ୍ଷା। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କେତେକ ସମିତି ସଭ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି। ପଞ୍ଚାୟତ ସମିତିରେ ସମସ୍ତ ୨୦ ଜଣ ସରପଞ୍ଚ ଓ ସମିତି ସଭ୍ୟ ବିଜେଡିର ଥିବା ବେଳେ ଏଭଳି ଘଟଣା ଦଳ ଭିତରେ ଫାଟକୁ ପଦାରେ ପକାଇଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ସମିତି ଅଧ୍ୟକ୍ଷା ଶାନ୍ତିଲତା ବେହେରା, ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ନାମରେ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଗତ ଦୁଇ ବର୍ଷ ହେବ ଉପାଧ୍ୟକ୍ଷ ଶ୍ରୀ ପରିଡ଼ା, ବେଆଇନ ଭାବେ ଅଧ୍ୟକ୍ଷାଙ୍କ ଦସ୍ତଖତ, ଲେଟରପ୍ୟାଡ୍, ଷ୍ଟାମ୍ପ୍ ଆଦି ବ୍ୟବହାର କରି ବିଭିନ୍ନ କାର୍ଯ୍ୟ କରିଛନ୍ତି। ଏପରିକି ୨ ଲକ୍ଷରୁ ଅଧିକ ଟଙ୍କାର କାର୍ଯ୍ୟାଦେଶ ନିମନ୍ତେ ଅଧ୍ୟକ୍ଷାଙ୍କ ଦସ୍ତଖତ ଦରକାର ହେଉଥିବା ବେଳେ ଉପାଧ୍ୟକ୍ଷ ଏଥିରେ ଜାଲିଆତି କରିଥିବା, ଅଧ୍ୟକ୍ଷାଙ୍କ ଦସ୍ତଖତକୁ ଜାଲିଆତି କରି ଅନେକ ବିଲ୍ ପେମେଣ୍ଟ୍ ହୋଇଛି। ଅଧ୍ୟକ୍ଷାଙ୍କ ଦସ୍ତଖତକୁ ଜାଲିଆତି କରି ଭାପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ନିମ୍ନମାନର କାମ, ଏପରିକି କେବଳ କାଗଜପତ୍ରରେ ଅନେକ କାମ କରାଯାଇଥିବା ଅଧ୍ୟକ୍ଷା ଏତଲାରେ ଦର୍ଶାଇଛନ୍ତି। ଏହାର ପ୍ରତିବାଦ କରିବାରୁ ଉପାଧ୍ୟକ୍ଷ ଶ୍ରୀ ପରିଡ଼ାଙ୍କ ସମେତ ତାଙ୍କର ଦୁଇ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା, ଯୋଗେନ୍ଦ୍ର କୁମାର ସ୍ବାଇଁ ଅଶ୍ଳୀଳ ଗାଳିଗୁଲଜ ସହ ଜାତିଆଣ ଆକ୍ଷେପ ଓ ମାରି ଦେବାକୁ ଧମକ ଦେଉଥିବା ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି।
ଅଧ୍ୟକ୍ଷାଙ୍କ ଅଭିଯୋଗ ଆଧାରରେ ଫତେଗଡ଼ ଥାନାରେ ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୪୭୨, ୪୭୩, ୫୦୬, ୩୪ରେ ମାମଲା ରୁଜୁ ହୋଇଛି। ଏ ସଂପର୍କରେ ଏସ୍ପି ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ ଉପାଧ୍ୟକ୍ଷଙ୍କ ନାମରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ପ୍ରମାଣ ମିଳିଲେ ଗିରଫ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟ ପକ୍ଷରେ, ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ନୋଟିସ ଦେଇଛନ୍ତି କେତେକ ସମିତି ସଭ୍ୟ। ଏହାର ଯାଞ୍ଚ ପାଇଁ ବିଡିଓଙ୍କ ନିକଟକୁ ପଠାଇଛନ୍ତି ଉପଜିଲ୍ଲାପାଳ। ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ତେବେ ସମଗ୍ର ଘଟଣାକୁ ନେଇ ଭାପୁରରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Fategarh_Police_Station_Fategarh.jpg)