ରାଜ୍ୟରେ ଭାରତ ବନ୍ଦର ପ୍ରଭାବ : ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନର ଧାରଣା, ବିକ୍ଷୋଭ ଓ ରାସ୍ତାରୋକ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ୨୪ଘଣ୍ଟିଆ ଧର୍ମଘଟରେ ବ୍ୟାବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ଗାଡ଼ି ମଟର, ଟ୍ରେନ, ବସ୍ ଚଳାଚଳ ବନ୍ଦ ରଖିବାକୁ ସିଟୁ ପକ୍ଷରୁ ଆହ୍ୱାନ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳ ଠାରୁ ଆରମ୍ଭ ହୋଇଛି ପିକେଟିଂ, ରାସ୍ତାରୋକ । ରାୟଗଡ଼ା ଓ ଗୁଣୁପୁରରେ ଟାୟାର ଜାଳି ରାସ୍ତା ରୋକ କରାଯାଇଛି । ଭୁବନେଶ୍ୱର ବିଭିନ୍ନ ଛକରେ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି । ରାଜଧାନୀର ବାଣୀବିହାର ଛକରେ ମଧ୍ୟ ରାସ୍ତାରେ ବିକ୍ଷୋଭ ଏବଂ ପିକେଟିଂ କରାଯାଇଛି ।

ରାସ୍ତାରୋକ କରି ଧାରଣାରେ ବସିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ। ନାଲକୋ ସ୍ମଲଟର ପ୍ଲାଣ୍ଟ ଓ ସିପିପି ପ୍ଲାଣ୍ଟ ଆଗ‌ରେ ସମସ୍ତ ଶ୍ରମିକ ସଂଗଠନ ଆଇଏନଟିୟୁସି, ଏଚଏମଏସ୍ , ସିଟୁ ଏଆଇୟୁଟିୟୁସି ପକ୍ଷରୁ ଧାରଣା ଦିଆଯାଇଛି। ସେହିଭଳି କନ୍ଧମାଳ, ଭଦ୍ରକ, ଭୁବନେଶ୍ବର ସମେତ ଅନେକ ସ୍ଥାନରେ ଶ୍ରମିକ ସଂଗଠନମାନେ ଧାରଣା ଦେଇଛନ୍ତି।

ଦେଓଗାଁ

ସର୍ବ ଭାରତୀୟ ମିଳିତ ଟ୍ରେଡ଼ ୟୁନିୟନ ଦେଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରେ ଦେଖିବାକୁ ମିଳିଛି। ଏଠାରେ ଏହି ବନ୍ଦକୁ କଂଗ୍ରେସ ସମର୍ଥନ କରି ପିକେଟିଂ କରିଛି। ଜାତୀୟ ରାଜପଥ ୨୬ର ଦେଓଗାଁ ବସ୍‌ଷ୍ଟାଣ୍ଡ ଉପରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ନାରାବାଜି କରିବା ସହ ଯାନବାହନ ଚଳାଚଳ ବନ୍ଦ କରିଥିଲେ। ବ୍ଲକ୍‌, ତହସିଲ ଅଫିସ୍‌ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଦେଓଗାଁର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ଦଲର ଜୋନ୍‌ ସଭାପତି ଓ ବିଧାୟକ ପ୍ରତିନିଧିଙ୍କ ଅଞ୍ଚଳ ବନ୍ଧପଡ଼ାଠାରେ ସମସ୍ତ ଦୋକାନ ଖୋଲା ରହିଥିବାରୁ ଦେଓଗାଁ କଂଗ୍ରେସର ସଂଗଠନକୁ ନେଇ ଆଲୋଚନା ହେଉଛି। ଅନ୍ୟର ଦୋକାନକୁ ବନ୍ଦ କରି ନିଜ ଅଞ୍ଚଳର ବ୍ୟବସାୟିକ ସ୍ଥଳ ଖୋଲା ରଖିବା କେତେ ଯୁକ୍ତିଯୁକ୍ତ ବୋଲି ଦୋକାନୀମାନେ ପ୍ରଶ୍ନ କରିଛନ୍ତି। ଆଜିର ଏହି ବନ୍ଦ ପାଳ‌ନରେ ଦେଓଗାଁର କଂଗ୍ରେସ ନେତା ଜନ୍ମେଜୟ ସାହୁ, ପପୁ ପାତ୍ର, କୁନା ସାହୁ, ସମୀର ସାହୁ, ପିଣ୍ଟୁ ପୋଡ଼, ଜଗୁ ସାହୁଙ୍କ ସହ ଅନେକ କଂଗ୍ରେସ କର୍ମୀ ସାମିଲ ଥିଲେ।

ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମିଳିତ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଂଟାବାଞ୍ଜି ସହରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ସି.ପି.ଆଇ, ଏ.ଆଇ.ଟି.ୟୁ.ସି, ସିଟୁ, ଏଚ.ଏମ.ଏସ ଆଦି ମିଳିତ ଟ୍ରେଡ୍‌ ୟୁନିୟନର ସଦସ୍ୟମାନେ ସ୍ଥାନୀୟ ଇନ୍ଦିରା ଛକ, ଗୋରୁବାଜାର ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀମାନେ ମୋଦୀ ସରକାର ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ପ୍ରଣୟନ କରୁଛନ୍ତି ବୋଲି ଅଭିଯୋଗ କରି କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ଏହା ସହ ସେମାନେ ରାସ୍ତା ଉପରେ ମଟରସାଇକଲ ରଖି ରାସ୍ତା ଅବରୋଧ କରିଥିଲେ। କଂଟାବାଞ୍ଜି ସହରରେ ଦୋକାନ ବଜାର ବନ୍ଦ ଥିବା ଦେଖାଯାଇଥିଲା। ଆଇନ ଶୃଂଖଳା ପରରିସ୍ଥିତିକୁ ନଜରରେ ରଖି କଂଟାବାଞ୍ଜି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଅନୁଗୁଳ

ଅଖିଳ ଭାରତ ସଂଘର୍ଷ ସମନ୍ୱୟ ସମିତିର ଆହ୍ଵାନରେ ପାଳଲହଡାରେ ବନ୍ଦ ପାଳନ କରାଯାଇଛି। ସିପିଆଇଏମ ପକ୍ଷରୁ ଆଜି ଖମାର ବଜାର ଛକ ଠାରେ ସିପିିଆଇଏମ୍ ନେତ୍ରୀ ମୀନାରାଣୀ ପ୍ରଧାନ ଏବଂ ଜମେଶ୍ୱର ସାମନ୍ତରାୟଙ୍କ ନେତୃତ୍ଵରେ ଶହଶହ କର୍ମୀ ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ସକାଳ ୬ ଟାରୁ ବନ୍ଦ କରି ଧାରଣା ଦେଇଛନ୍ତି । ପାଳଲହଡା ଖମାର ବଜାର ଛକ ୪୯ ନଂ ଜାତୀୟ ରାଜପଥକୁ ସକାଳ ୬ ଟାରୁ ବନ୍ଦ କରିବାରୁ ଶହ ଶହ ଗାଡି ରାସ୍ତାରର ଉଭୟ ପାଖରେ ଛିଡା ହୋଇଛନ୍ତି। ଖମାର ପୁଲିସ ଘଟଣା ସ୍ଥଳରେ ରହି ନଜର ରଖିଛି।

ଢ଼େଙ୍କାନାଳ

ଭାରତ ବନ୍ଦକୁ ସମର୍ଥନ କରି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର କଂଗ୍ରେସ କମିଟିି ତରଫରୁ ବନ୍ଦ କରାଯାଇଛି । କଂଗ୍ରେସ ନେତା ପ୍ରଭୁଦତ୍ତ ଭଟଙ୍କ ନେତୃତ୍ୱରେ ଏହି ବନ୍ଦ ହୋଇଛି । ଏଠାରେ କଂଗ୍ରେସ କମିଟିର ନେତା ଆଉ କର୍ମୀମାନେ ଉପସ୍ଥିତ ଅଛନ୍ତି।

ସୁନ୍ଦରଗଡ

ଏହା ସହ ଭାରତ ବନ୍ଦର ପ୍ରଭାବ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ପଡିଛି l ଆଜି ସକାଳ ଛଅଟି ଶ୍ରମିକ ସଙ୍ଗଠନର ନେତା କର୍ମୀମାନେ ବିର୍ସା ମୁଣ୍ଡା ଛକରେ ଏକାଠି ହୋଇ ବିକ୍ଷୋଭ କରିଛନ୍ତି l ସିଆଇଟିୟୁର ସର୍ଭଭାରତୀୟ ଉପ ସଭାପତି ବିଷ୍ଣୁ ମହାନ୍ତି, ଏଚଏମଏସର ଶଶଧର ନାୟକ , ଆଇଏନଟିୟୁସିର ପ୍ରଶାନ୍ତ ବେହେରା, କଂଗ୍ରେସ ଜିଲ୍ଲା ସଭାପତି ଜର୍ଜ ତିର୍କୀ, ଜିଏମଏମର ଗୋପାଳ ଦାସଙ୍କ ସମେତ ଅନ୍ୟ ସଙ୍ଗଠନର ଅଜିତ ଦାସ, ବିଷ୍ଣୁ ପଣ୍ଡା , ନିହାର ଦାଶ, ବିମାନ ମାଈତି ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି l ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ବୁଝାଉଛନ୍ତି l ରାଉରକେଲା ପରି କଲୁଙ୍ଗା ଶିଳ୍ପାଞ୍ଚଳ, ସାରନଗରୀ, ବଣାଇ, କୋଇଡା, ବରସୁଆଁ , ସୁନ୍ଦରଗଡ଼, ବେଦବ୍ୟାସ ଆଦି ସ୍ଥାନରେ ଶ୍ରମିକ ସଙ୍ଗଠନ ଗୁଡିକ ଏକାଠି ହୋଇ ରାସ୍ତା ଅବରୋଧ ସହ ଦୋକାନ ବଜାର ବନ୍ଦ କରୁଛନ୍ତି l ବନ୍ଦ ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି l ସୁରକ୍ଷା ଦୃଷ୍ଟିରୁ ପ୍ରମୁଖ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି l

ପାରାଦୀପ

୧୦ଟି ଶ୍ରମିକ ସଂଗଠନ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ବନ୍ଦର ନଗରୀ ପାରାଦୀପରେ ବି ଆଜି ଦେଖିବାକୁ ମିଳିଛି | ସରକାରୀ କ୍ଷେତ୍ରରେ ଘରୋଇକରଣ ତଥା ନୂତନ କୃଷି ଆଇନ୍ ଭଳି କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଏହି ଭାରତ ବନ୍ଦ ଡାକରା ଦିଆଯାଇଛି | ଏହି ବନ୍ଦରେ ସାମିଲ ଥିବା ଶ୍ରମିକ ସଂଗଠନ ପକ୍ଷରୁ ପାରାଦୀପର ସମସ୍ତ୍ ଫାଟକ ଅଠରବାଙ୍କୀ, ଦୋଛକି, ଆଇଓସିଏଲ୍ ଆଗରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରି କେନ୍ଦ୍ରସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି | ଫଳରେ ପାରାଦୀପ ବନ୍ଦର ସମେତ ଅନେକ କମ୍ପାନିରେ କାର୍ଯ୍ୟ ଅନେକାଂଶରେ ଠପ୍ ହେବା ସହ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି | ବନ୍ଦକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍ଥ‌ା ବ୍ୟବସ୍ଥା କରାଯାଇଛି |

ଅନ୍ୟପଟେ ଭାରତ ବନ୍ଦ ନେଇ କୌଣସି ସୂଚନା ସଂଘକୁ ଦିଆଯାଇ ନଥିବାରୁ ଘରୋଇ ବସ୍‌ ଚାଲିବ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସହରର ପ୍ରମୁଖ ଛକ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ପ୍ରଭୃତି ୧୭ଟି ସ୍ଥାନରେ ପିକେଟିଂ କରିବାକୁ ସଂଗଠନ ସମୂହ ଯୋଜନା କରିଛନ୍ତି। ଏଥିପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତ ରହିଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ସରକାରୀ କ୍ଷେତ୍ରର ଘରୋଇକରଣ ତଥା ନୂତନ ଚାଷ ଆଇନ ଭଳି କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଏହି ଭାରତ ବନ୍ଦ ଆରମ୍ଭ ହୋଇଛି। ଏହି ବନ୍ଦ ପାଇଁ ଆହ୍ଵାନ ଦେଇଥିବା ଶ୍ରମିକ ସଂଗଠନଗୁଡ଼ିକ ହେଲେ ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (ଏଆଇଟିୟୁସି), ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ ୟୁନିଅନ (ଏଆଇସିସଟିୟୁ), ସେଣ୍ଟର ଅଫ୍‌ ଇଣ୍ଡିଆନ ଟ୍ରେଡ୍‌ ୟୁନିୟନ (ସିଆଇଟିୟୁ), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ ସେଣ୍ଟର (ଏଆଇୟୁଟିୟୁସି) ପ୍ରମୁଖ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର