ଚାଷୀଙ୍କୁ କଂଗ୍ରେସ ଓ ଶ୍ରମିକ ସଂଗଠନର ସମର୍ଥନ, କନ୍ଧମାଳରେ ଭାରତ ବନ୍ଦ ଶତ ପ୍ରତିଶତ ସଫଳ

ଫୁଲବାଣୀ: ନୂତନ କୃଷି ବିଲ ପ୍ରତ୍ୟାହାର ଦାବିରେ ଚାଷୀଙ୍କ ଆନ୍ଦୋଳନକୁ କନ୍ଧମାଳରେ କଂଗ୍ରେସ ଓ ଶ୍ରମିକ ସଂଗଠନ ସମର୍ଥନ ଜଣାଇଛି, ଯାହା ଫଳରେ ନବ ନିର୍ମାଣ କୃଷକ ସଂଗଠନ ଆହ୍ବାନକ୍ରମେ ଆଜି ଭାରତ ବନ୍ଦ କନ୍ଧମାଳରେ ଶତ ପ୍ରତିଶତ ସଫଳ ହୋଇଛି। ନୂତନ କୃଷି ବିଲ ଦ୍ବାରା କନ୍ଧମାଳର ଚାଷୀକୂଳ ବେଶୀ ପ୍ରଭାବିତ ହେବେ। ଚାଷୀ ଧାନ, ହଳଦି, ଅଦା, ମାଣ୍ଡିଆ ଚାଷ ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବ ନାହିଁ। ତେଣୁ ନୂତନ କୃଷି ବିଲ ପ୍ରତ୍ୟାହାର କରିବାକୁ ନବ ନିର୍ମାଣ କୃଷକ ସଂଗଠନ ଦାବି କରିଛି। ଏହାକୁ ନେଇ କଂଗ୍ରେସ ଓ ଶ୍ରମିକ ସଂଗଠନ ବି ସମର୍ଥନ ଜଣାଇଛି।

କନ୍ଧମାଳ ଜିଲ୍ଲା ସଦର ମହକୁମାରେ ପିକେଟିଂ କରା ଯାଇଥିଲା। ଚାଷୀଙ୍କ ପାଇଁ ଭାରତ ବନ୍ଦ ଡାକରାକୁ ‌ଜିଲ୍ଲାବାସୀ ବି ସ୍ବତସ୍ପୃତ ସମର୍ଥନ ଜଣାଇଥିଲେ। ସବୁ ଦୋକାନ ବଜାର ସହ ସରକାରୀ ଅଫିସ ଓ ବ୍ୟାଙ୍କ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଯାନାବ‌ାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଜରୁରୀ ସେବା ଦୋକାନ ଖୋଲା ରହିଥିଲା।

ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଚାଣକ୍ୟ କହଁର, ଅଚ୍ୟୁତ ଜାନି, ଜିଲ୍ଲା ପ୍ରଭାରୀ ସନ୍ତୋଷ ପାତ୍ର, ଉପଦେଷ୍ଠା ଅଶୋକ ପରିଡା, ବିଶ୍ବାମିତ୍ର ଦିଗାଲ, ଉମାଚରଣ କହଁର, ଭାବିନ୍ଦ୍ର କହଁର, ସଦାନନ୍ଦ କର ଓ ଜଳନ୍ଧର କହଁର, କଂଗ୍ରେସର ଜିଲ୍ଲା ସଭାପତି ଅନାମ କହଁର, ବରିଷ୍ଠ ନେତା ବିଜୟ କୁମାର ମହାନ୍ତି, ହେମନ୍ତ କର, ବଳଦେବ ବେହେରା, ଗୌରଚରଣ ବେହେରା,ଶିବଶଙ୍କର ବେହେରା,ସଂଜୟ କୁମାର ଭଂଜ ଏବଂ ଶ୍ରମିକ ନେତା ତଥା ଏଆଇସିସି ସଭ୍ୟ ଘନକୁମାର ଶବର, ପ୍ରଫୁଲ୍ଲ କୁମାର ବେହେରାଙ୍କ ସମେତ ବହୁ କୃଷକ ନେତା ଓ ଚାଷୀ ଏହି ବନ୍ଦ ପିକେଟିଂରେ ସାମିଲ ହୋଇ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ପୁଲିସ ପାଟ୍ରୋଲିଂ କରିଥିଲା। କେଉଁଠି ଅପ୍ରୀତିକରଣ ଘଟଣା ଘଟି ନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର