କେନ୍ଦୁଝରରେ ଭାରତ ବନ୍ଦ ସଫଳ : ଗଡ଼ିଲାନି ଗାଡ଼ି, ଖୋଲିଲାନି ବଜାର

କେନ୍ଦୁଝର: କେନ୍ଦ୍ର ସରକାରଙ୍କ କୃଷି ବିଲ୍‌ ପ୍ରତ୍ୟାହାର ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା କେନ୍ଦୁଝରରେ ସଫଳ ହୋଇଛି। ସହରରେ ଆଜି ବଜାର ବନ୍ଦ ରହିଥିଲା। କାଁ ଭାଁ ଦୋକାନ ଖୋଲାଥିବାରୁ ଆନ୍ଦୋଳନକାରୀମାନେ ସେଗୁଡ଼ିକୁ ବନ୍ଦ କରିଥିଲେ। ସେହିପରି ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ମଧ୍ୟ ବନ୍ଦ ରହିଥିଲା। ସହରରେ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଥିଲା। ସେହିପରି ଯୋଡ଼ା, ବିଡ଼ବିଲ, ଆନନ୍ଦପୁର, ଘଟଗାଁ, ତେଲକୋଇ, ପାଟଣା, ସାହାରପଡ଼ା ସମେତ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା।

ଆଜି ସକାଳ ପ୍ରାୟ ୭ଟା ବେଳେ କୃଷକ ସଂଗଠନ କର୍ମକର୍ତ୍ତା, କଂ‌ଗ୍ରେସ ଦଳର ନେତା, କର୍ମୀ, ବିଭିନ୍ନ ଟ୍ରେଡ୍‌ ୟୁନିଅନ୍‌ ଓ ବାମଦଳର ସମର୍ଥକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକକୁ ବନ୍ଦ କରିଥିଲେ। ଏହାପରେ ଗାନ୍ଧୀଛକରେ ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ କରିବା ସହ ଗାଡ଼ିମୋଟର ଅଟକାଇ ଥିଲେ। ଆନ୍ଦୋଳନକାରୀ ନାରାବାଜି କରିବା ସହ ରାସ୍ତା ଉପରେ ବସିଥିଲେ। ଫଳରେ ଯାତାୟାତରେ ସମସ୍ୟା ହୋଇଥିଲା। ବସ୍‌ ଚଳାଚଳ ବନ୍ଦ ଥିବାରୁ ଦୂରଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ରାସ୍ତାରେ ଶହଶହ ଟ୍ରକ୍‌ ଅଟକି ରହିଥିଲେ। କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍‌ ପ୍ରତ୍ୟାହାର କରିବା, ତୈଳଦର ହ୍ରାସ ଓ ନୂତନ ବିଦ୍ୟୁତ୍ ବିଲ୍‌ରେ ପରିବର୍ତ୍ତନ ଆଣିବାକୁ ସଂଗଠନ ଗୁଡ଼ିକ ଦାବି କରିଥିଲେ।

ବନ୍ଦରୁ ଜରୁରି ସେବାକୁ ବାଦ୍‌ ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା।ଅପରାହ୍‌ଣ ୩ଟା ପରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ବନ୍ଦରେ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଲବ ମିଶ୍ର, ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ଆଲୋକ ମିଶ୍ର, ପୟୋଧର ବେହେରା, ଦେବାଶିଷ ସାହୁ, ନିରଞ୍ଜନ ମହାପାତ୍ର, ସୁଢଳ ସେଠୀ, ଉତ୍ତମ ସାହୁ, ଲୁଲୁ ମଙ୍ଗରାଜ, ବୁନୁ ପରିଡ଼ା, କୋଦଣ୍ଡ ଜେନା, କବୀନ୍ଦ୍ର ସାହୁ, ରତ୍ନାକର ଜେନା, ନବନିର୍ମାଣ କୃଷକ ସଂଗଠନ କେନ୍ଦୁଝର ଶାଖାର ଶ୍ୟାମସୁନ୍ଦର ମହାନ୍ତ, ଲକ୍ଷ୍ମୀଧର ପ୍ରଧାନ, ଓଡ଼ିଶା କୃଷକ ସଭା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଉତ, ସହସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ପବିତ୍ର ପାତ୍ର, ଭଗବାନ ଦେହୁରୀ, ଅନନ୍ତ ମହାନ୍ତ, ଏଆଇକେକେଏମ୍‌ଏସ୍‌ର ପ୍ରକାଶ ମଲ୍ଲିକ, ବେଣୁଧର ସର୍ଦ୍ଦାର, ଘନଶ୍ୟାମ ମହାନ୍ତ, ଖଗେଶ୍ୱର ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର