ମାଲକାନଗିରି: ଆଦିବାସୀଙ୍କ ଉପରେ ହେଉଥିବା ର୍ନର୍ଯାତନା ବିରୋଧକୁ ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ସେମାବାର ଭାରତ ବନ୍ଦ ପାଳନ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନାନୁଷ୍ଠାନ କମିଟି ପକ୍ଷରୁ ମାଲକାନଗିରି ସହର ସହ ବିଭିନ୍ନ ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଜିଲ୍ଲାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡିଥିଲା। ଏଥିସହ ସୀମାନ୍ତରେ ବହୁ ମାଲବାହୀ ଗାଡିଗୁଡିକ ଅଟକି ରହିଥିବା ବେଳେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିଲା। ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା। ବନ୍ଦ ପାଳନ ଯୋଗୁଁ ବହୁ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଇଥିଲେ। ଏଥିସହ ଆନ୍ଦୋଳନ ସ୍ଥାନମାନଙ୍କରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ।
ଦେଶର ମୂଳବାସୀନ୍ଦା ଆଦିବାସୀଙ୍କ ଉପରେ ହେଉଥିବା ନିର୍ଯାତନା ବିରୁଦ୍ଧରେ ସଂସଦରେ ବାରମ୍ବାର ନୂତନ ଆଇନ ପ୍ରଣୟନ କରିବା, ସମାନ ନାଗରିକ ସଂହିତା, ବିକାଶ ନାମରେ ଜଳ, ଜଙ୍ଗଲ ଓ ଜମିରୁ ଆଦିବାସୀଙ୍କୁ ବିସ୍ଥାପନ କରିବା, ମଣିପୁର ରାଜ୍ୟରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କର କରିବା ସହ ନଗ୍ନ କରି ଚଲାଇବାକୁ ବିରୋଧ କରି ଜିଲ୍ଲାରେ ଥିବା ବିଭିନ୍ନ ଆଦିବାସୀ ସଂଗଠନର ସଦସ୍ୟମାନେ ସୋମବାର ସକାଳ ୬ଟା ବେଳକୁ ମାଲକାନଗିରି ସହରର ବସଷ୍ଟାଣ୍ଡ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ଧାରଣାରେ ବସିଥିଲେ। ସହରରେ ଥିବା ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିବା ବେଳେ ଜାତୀୟ ରାଜପଥ ଖାଁ ଖାଁ ଦେଖାଯାଉଥିଲା। କେବଳ କିଛିଟା ବାଇକ ହିଁ ସହର ମଧ୍ୟରେ ଚଳାଚଳ କରୁଥିଲା। ହୋଟେଲଗୁଡିକ ବନ୍ଦ ହୋଇଥିବା ଯୋଗୁଁ ଯାତ୍ରାମାନେ ଖାଇବାରେ ମଧ୍ୟ ବହୁ ଅସୁବିଧା ଭୋଗିଥିଲେ।
ମାଲକାନଗିରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ହୋଇଥିଲା। ଛାତ୍ରଛାତ୍ରୀମାନେ ମଧ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଇନପାରି ଘରକୁ ଫେରିଯାଇଥିଲେ। ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି ଓ ସୀମାଗୋଡି ଗ୍ରାମ ଛକରେ ଏବଂ ସହରର ବସଷ୍ଟାଣ୍ଡ, ଡିଏନକେ, କୋର୍ଟ ଛକ ଓ ମେଡିକାଲ ଛକ ଠାରେ ଆନ୍ଦୋଳନକାରୀମାନେ ଗାଡିକୁ ଅଟକାଉଥିଲେ। କେବଳ ଯେ ସହର ନୁହେଁ ଜିଲ୍ଲାର ବିଭିନ୍ନ ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଛତିଶଗଡ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଆସୁଥିବା ଗାଡିଗୁଡିକ ମଧ୍ୟ ଅଟକି ରହିଥିଲା। ଏହି ଆନ୍ଦୋଳନରେ ଏସ୍ଟି ଏସ୍ସି ମିଳିତ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ଉପଦେଷ୍ଟା ପ୍ରଭାକର ହନ୍ତାଳ, କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ଆଦିବାସୀ ସମାଜ ମହାସଂଘ ଜିଲ୍ଲା ସଭାପତି ଘନଶ୍ୟାମ ମାଡକାମୀ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଜିଲ୍ଲା ସଂଯୋଜକ ହରିବନ୍ଧୁ ଗୋଲରୀ, ମୁକୁନ୍ଦ ପଡିଆମୀ, ବ୍ରଜ ମାଝୀ, ଭଦ୍ର ଦୁରୁଆ, ମଙ୍ଗଳା ଦୁରୁଆ ଓ ଜରାଶବର ମାଢ଼ୀ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।