ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ଭିନ୍ନଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ସମ୍ବଲପୁର ସହରରେ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଥିଲାବେଳେ ହୀରାକୁଦରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ବୁର୍ଲାରେ ଦୋକାନ ବଜାର ବନ୍ଦ ରହିଥିଲା। ରେଢ଼ାଖୋଲରେ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନବଜାର ଖୋଲା ରହିଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ରେଳ ଚଳାଚଳ ସ୍ବାଭାବିକ ରହିଥିଲା।
ସମ୍ବଲପୁର ସହରରେ ଦୋକାନ, ବଜାର ବନ୍ଦ ସହିତ ରାସ୍ତା ଜନଶୂନ୍ୟ ରହିଥିଲା। ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ୫ଟି ସ୍ଥାନରେ ରାସ୍ତା ଅବରୋଧ କରା ଯାଇଥିଲା। ସମ୍ବଲପୁରର ବିଭିନ୍ନ ଶ୍ରମିକ ସଙ୍ଗଠନ, ବାମପନ୍ଥୀ ଦଳ ଗୁଡ଼ିକ କଚେରି ଛକରେ ବିକ୍ଷୋଭ ସହିତ ମାଜିଷ୍ଟ୍ରେଟଙ୍କୁ ଅଟକାଇ ଥିଲେ। ଏଥି ଯୋଗୁଁ ଅଦାଲତ ବନ୍ଦ ରହିଥିଲା। ସିଭିଲ ସୋସାଇଟି ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ, ମୂଲ ନିବାସୀ ସେନା ପକ୍ଷରୁ ମୁଦିପଡ଼ା ଛକ ସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କୃଷି ଆଇନ ବିରୋଧରେ ପ୍ରତିବାଦ ସଭା କରା ଯାଇଥିଲା। ସେହିପରି କଂଗ୍ରେସ୍ ପକ୍ଷରୁ ବନ୍ଦକୁ ସମର୍ଥନ ଜଣାଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବା ସହ ଲକ୍ଷ୍ମୀ ଟକିଜ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
/sambad/media/post_attachments/wp-content/uploads/2020/12/6f440fcf-6076-4d6d-b658-7c99fd371364-1024x682.jpg)
ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ସମ୍ବଲପୁର ସହର ଉପକଣ୍ଠ ତାଲବଠାରେ ବିଜୁ ଏକ୍ସପ୍ରେସ ୱେ’କୁ ଦିନ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ଅବରୋଧ କରା ଯାଇଥିଲା। ଏହି ଅବସରରେ ଦୁଇ ଚକିଆ ଯାନ, ଆମ୍ବୁଲାନ୍ସ ଓ ବରଯାତ୍ରୀ ଗାଡ଼ି ସମେତ ସମସ୍ତ ପ୍ରକାର ଜରୁରୀ ଗାଡ଼ିକୁ ଛାଡ଼ି ଦିଆ ଯାଇଥିଲା। ସେହିପରି ଗୋଶାଲା ବାବୁବନ୍ଧଠାରେ ୫୩ ନମ୍ବର ଜାତୀୟ ରାଜପଥ, ରେଢ଼ାଖୋଲଠାରେ ଓ ଯୁଯୁମୁୁରା କୟାକୁଦଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରା ଯାଇଥିଲା।
ଏହି ଅବସରରେ ଆନ୍ଦୋଳନକାରୀ ନୂଆଁ କୃଷି ଆଇନ ପ୍ରତ୍ୟାହାର, ଘରୋଇ ମଣ୍ଡି ବ୍ୟବସ୍ଥାର ବିରୋଧ, ସ୍ବାମୀନାଥନ କମିସନ ସୁପାରିସ କାର୍ଯ୍ୟକାରୀ, ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଅଧିକାର ପ୍ରଦାନ, କଟନିଛଟନି ବନ୍ଦ, ଜମି ମାଲିକାନାକୁ ଅକ୍ଷୁର୍ଣ୍ଣ ରଖାଯାଇ ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା, ସରକାରୀ ମଣ୍ଡି ବ୍ୟବସ୍ଥାକୁ ମଜଭୁତ କରିବା, ମଣ୍ଡି ସଂଖ୍ୟା ବୃଦ୍ଧି, ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥାରେ ସୁଧାର ଦାବି ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉକ୍ତିକୁ ନିନ୍ଦା କରା ଯାଇଥିଲା। କୃଷକ ସୁରକ୍ଷା ସଙ୍ଗଠନ ସଭାପତି ମୁରାରୀ ପୁରୋହିତ, ସରୋଜ, ଦେବେନ୍ଦ୍ର ପ୍ରଧାନ, ବ୍ୟୋମକେଶ ଠାକୁର, ଅଶ୍ବିନୀ ହୋତା, ବିପିନ ଭୋଇ, ଯୋଗେଶ ଭୋଇ, ବିଭୂ ପଟନାୟକ ପ୍ରମୁଖଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଭାଗ ନେଇଥିଲେ। କଂଗ୍ରେସ୍ ପକ୍ଷରୁ ଜିଲ୍ଲା କଂଗ୍ରେସ୍ କମିଟି ସଭାପତି ଅଶ୍ବିନୀ ଗୁରୁ, ନିରଂଜନ ତ୍ରିପାଠୀ, ତ୍ରିଲୋଚନ ପୁରୋହିତ, ବିଜୟଲକ୍ଷ୍ମୀ ବେହେରା, ଏମ୍ଡି ମୁକ୍ତାର, ରେହମନ କରିମ, ମୋହନ ସା, ସଂଜୀବ ଗର୍ଡିଆ, ଜିତୁ ପ୍ରଧାନ, ଦୀନବନ୍ଧୁ ପରିଡ଼ା, ଅଶୋକ ସୋନି, ରାଜେଶ ମିଶ୍ର, ଶ୍ୟାମୁ ଯୋଶୀ, ଆନନ୍ଦ ମିଶ୍ର, ସସ୍ମିତା ଦେହୁରୀ, ଆକବର ଚୌଧୁରୀ, ସେକ୍ ସାହାବୁଦ୍ଦିନ, ଅମଜାଦ ଖାନ, ଅଶୋକ ସିକନ୍ଦର, ଅମିତ ବାଗ, କ୍ରାନ୍ତୀ ମୁଖୀ ପ୍ରମୁଖ ଲକ୍ଷ୍ମୀ ଟକିଜ୍ ଛକରେ ଆନ୍ଦୋଳନ କରା ଯାଇଥିଲା।
/sambad/media/post_attachments/wp-content/uploads/2020/12/99e2f52d-7140-4f01-a9c1-56994d542676-1024x534.jpg)
ବୁର୍ଲାରେ ମଧ୍ୟ କଂଗ୍ରେସ୍ ଶାଖା ପକ୍ଷରୁ ବନ୍ଦକୁ ସମର୍ଥନ କରା ଯାଇଥିଲା। କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏବଂ ସିପିଆଇ ପକ୍ଷରୁ ବିଜୟ ମହାନ୍ତି, ଅଶୋକ ବିଶି, ଗୋକୁଳ ମେହେର, ଗଦାଧର କୁଅଁର, ଏନ ଗୋପାଳ, ମହେଶ୍ବର ଷଣ୍ଢ, ବବିତା ବଡ଼ପଣ୍ଡା, ପ୍ରଣୟ ନାଏକଙ୍କ ନେତୃତ୍ବରେ ଦଳ ଷ୍ଟେଟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ଏହାକୁ ବନ୍ଦ କରି ଦେଇଥିଲେ। ସିଭିଲ ସୋସାଇଟି ପକ୍ଷରୁ ପୂର୍ବତନ ସାଂସଦ ଭବାନୀ ହୋତା, ମହେଶ ସାୟତା, କଂଗ୍ରେସ ନେତା ସୁଧୀର ପଣ୍ଡା, ବିଜୟ ଭୂୟାଁ, ଅଶୋକ ପାଣିଗ୍ରାହୀ, ମହମ୍ମଦ ଅଜିମ ଅଜ୍ଜୁ, ପରଭେଜ ଅଲ୍ଲୀ ଖାଁ, ଆପ ନେତା ବିରେନ୍ଦ୍ର ପାଣିଗ୍ରାହୀ, ୱାକି ଖାଁ, ମହଫୁଜ ଆଲମ, ସରୋଜ ସାହୁ, ଅନୀଲ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ମୁଲନିବାସୀ ସେନା ପକ୍ଷରୁ ହେମନ୍ତ ଗର୍ଡିଆଙ୍କ ନେତୃତ୍ବରେ ଏକ ଦଳ ପ୍ରତିବାଦ କରା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/fc798877-34e9-438b-ae6c-a01a4ed6d673.jpg)