ଭୁବନେଶ୍ବର : ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ପାଳନ ପ୍ରଭାବରେ ଓଡ଼ିଶାରେ ଆଜି ୪୦୦୦ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଛି। ରାଜ୍ୟରେ ଥିବା ୨୦ ଲକ୍ଷ ବ୍ୟବସାୟୀ ଏଥିରେ ଅଂଶଗ୍ରହଣ କରିବା ସହ ନିଜ ଦୋକାନ ବନ୍ଦ ରଖିଥିଲେ। ଫଳରେ ସେମାନଙ୍କର ଗୋଟିଏ ଦିନର ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ସରକାର ମଧ୍ୟ ୫୦୦ କୋଟି ଟଙ୍କାର ଟିକସ ହରାଇଛନ୍ତି। ଜିଏସ୍‌ଟି ଠାରୁ ଆରମ୍ଭ କରି ଉତ୍ପାଦନ ଶୁଳ୍କ ପର୍ଯ୍ୟନ୍ତ ଅନେକ ପ୍ରକାର ଟିକସ ଆଦାୟ ପ୍ରଭାବିତ ହୋଇଛି।

Advertisment

ଆଜିର ଭାରତ ବନ୍ଦ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ବନ୍ଦ ସଫଳ ହୋଇଛି। ବ୍ୟବସାୟୀଙ୍କୁ ସାଧାରଣ ଜନତା ମଧ୍ୟ ସମର୍ଥନ ଦେଇଛନ୍ତି। ସେଥିପାଇଁ ଆମେ ଲୋକମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଛୁ। ଆଜିର ବନ୍ଦ ଯୋଗୁଁ ସାରା ଦେଶରେ ୪ ଲକ୍ଷ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଥିବା ବେଳେ ୪୦ ହଜାର କୋଟି ଟଙ୍କାର ଟିକସ ହାନି ହୋଇଛି। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଥିଲା। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଜିଏସ୍‌ଟି ନିୟମରେ ବାରମ୍ବାର କରାଯାଉଥିବା ସଂଶୋଧନ ଏବଂ ଯେଉଁଭଳି ଭାବେ ଏହି ଆଇନକୁ ବ୍ୟବସାୟୀମାନଙ୍କ ଉପରେ ଲଦି ଦିଆଯାଉଛି ତାହାକୁ ଆମେ ବିରୋଧ କରୁଛୁ। ଷ୍ଟୋର୍‌ ଖୋଲି କାରବାର କରୁଥିବା ବ୍ୟବସାୟୀମାନଙ୍କ ପାଇଁ ଅନେକ ଆଇନ ରହିଛି। ଅନ୍‌ଲାଇନ୍ ବ୍ୟବସାୟକୁ ମଧ୍ୟ ସେହି ଆଇନ ପରିସରକୁ ଅଣାଯାଉ ବୋଲି ଆମେ ଦାବି କରୁଛୁ। ସମ୍ବିଧାନ ଆମକୁ ଯେଉଁ ଅଧିକାର ଦେଇଛି ତାହାକୁ ଜିଏସ୍‌ଟି ଆଇନ ଜରିଆରେ ଛଡ଼ାଇ ନିଆଯାଇଛି। ନିଜ ପକ୍ଷ ରଖିବାର ଅଧିକାର ସମ୍ବିଧାନ ଆମକୁ ଦେଇଛି। କିନ୍ତୁ ଜିଏସ୍‌ଟି ଆଇନରେ ସେହି ସୁଯୋଗ ନାହିଁ। ଅଧିକାରୀମାନେ ବିନା କୌଣସି ସୂଚନାରେ ପଦକ୍ଷେପ ଗ୍ରହଣ କରିପାରୁଛନ୍ତି ବୋଲି ସେ କହିଛନ୍ତି। ଏହି ଆନ୍ଦୋଳନର ପରବର୍ତୀ ପଦକ୍ଷେପ ବିଷୟରେ ସେ କହିଛନ୍ତି ଯେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ଆମର ଆଜିର ଭାରତ ବନ୍ଦ ସଫଳ ହୋଇଛି। ମହାସଂଘର ସର୍ବଭାରତୀୟ କାର୍ଯ୍ୟକାରୀ ପରିଷଦ ଆଲୋଚନା ମାଧ୍ୟମରେ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ। ପରିଷଦରେ ଯେଉଁ ନିଷ୍ପତ୍ତି ନିଆଯିବ ତାହାକୁ ଆମେ ପାଳନ କରିବୁ ବୋଲି ସେ କହିଛନ୍ତି।