ପ୍ରଥମ ଦିନରେ ରାଜ୍ୟ ଠପ୍ : ଆଜି ବି ବନ୍ଦ

ଦ୍ବିତୀୟ ଦିନରେ ୨୨ ଜିଲ୍ଲାରେ ସ୍କୁଲ୍‌ ବନ୍ଦ

ଭୁବନେଶ୍ବର : ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରାର ପ୍ରଭାବ ଆଜି ସାରା ରାଜ୍ୟରେ ପଡ଼ିଛି। ଦିନତମାମ ଠପ୍ ହୋଇଯାଇଥିଲା। ବସ୍, ଅଟୋ ବନ୍ଦ ହେବା ସହ ଗମନାଗମନ ବ୍ୟବସ୍ଥା ଭୀଷଣ ପ୍ରଭାବିତ ‌େହାଇଥିଲା। ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଦୋକାନବଜାର ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାରୁ ମୁଖ୍ୟ ରା‌ସ୍ତାଗୁଡ଼ିକରେ ଗାଡ଼ିମୋଟର ଚଳାଚଳ କରି ପାରି ନ ଥିଲା। ତେବେ କିଛି ସ୍ଥାନରେ ଗଣ୍ଡଗୋଳ ହୋଇଥିଲେ ବି ବଡ଼ ଧରଣର ହିଂସାକାଣ୍ଡ ଦେଖିବାକୁ ମିଳି ନ ଥିଲା। ଆସନ୍ତାକାଲି ମଧ୍ୟ ହରତାଳ ଜାରି ରହିବ।

୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟକୁ ବିଜେପି ବାଦ୍ ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ଯଦିଓ ସେମାନେ ସିଧାସଳଖ ରାସ୍ତାକୁ ଓହ୍ଲାଇ ନାହାନ୍ତି, ତେବେ ସେମାନଙ୍କର ସମର୍ଥନରୁ ଧର୍ମଘଟର ଜବରଦସ୍ତ ପ୍ରଭାବ ପଡ଼ିବା ନେଇ ଅନୁମାନ କରାଯାଉଥିଲା। ଆଜି ମଧ୍ୟ ତାହା ଦେଖିବାକୁ ମିଳିଥିଲା। ଧର୍ମଘଟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଥିବାରୁ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ। ଯେହେତୁ ଆସନ୍ତାକାଲି ମଧ୍ୟ ଧର୍ମଘଟ ଜାରି ରହିବ, ତେଣୁ ଆଜି ସନ୍ଧ୍ୟାରେ ବି ବହୁ ସ୍ଥାନରେ ଜନଜୀବନ ସ୍ବାଭାବିକ ହୋଇ ନ ଥିଲା।

ବିଭିନ୍ନ ଶ୍ରମିକ ସଂଗଠନର ରାଜ୍ୟସ୍ତରୀୟ ନେତୃବୃନ୍ଦ ରାଜଧାନୀରେ ସକାଳୁ ସକାଳୁ ପିକେଟିଂ କରିଥିଲେ। ସହରର ପ୍ରମୁଖ ସ୍ଥାନରେ ଶୋଭାଯାତ୍ରା ବାହାରିଥିଲା। ଭୁବନେଶ୍ବର ଷ୍ଟେସନ୍‌ରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରେଳ ଅଟକାଇଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯେହେତୁ ଦୋକାନବଜାର ସ୍ବତଃପ୍ରବୃତ୍ତ ବନ୍ଦ ହୋଇଯାଇଥିଲା, ତେଣୁ ରାସ୍ତାଘାଟ ଶୂନ୍‌ଶାନ୍ ଥିଲା। ଚାରି ଚକିଆ ଯାନ କାଁ ଭାଁ ଦେଖିବାକୁ ମିଳୁଥିଲା। ବନ୍ଦ ପାଳନକାରୀମାନେ ମଧ୍ୟ ସେମାନଙ୍କୁ ଅଟକାଇ ଫେରାଇ ଦେଉଥିଲେ। ତେବେ ଦୁଇ ଚକିଆ ଯାନ ଚଳାଚଳ ସ୍ବାଭାବିକ ଥିଲା।

ସରକାର ପୂର୍ବରୁ ସ୍କୁଲ୍, କଲେଜ, ବିଶ୍ବବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରିଥିବାରୁ ତାହା ଖୋଲି ନ ଥିଲା। ବୁଧବାର ଧର୍ମଘଟର ଦ୍ବିତୀୟ ଦିବସ ଥିବାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ ନା ଖୋଲା ରହିବ ସେନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଏନେଇ ଉଭୟ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପଠାଯାଇଛି। ଏଥିରେ କୁହାଯାଇଛି ଯେ ପ୍ରଥମ ଦିନର ଆନ୍ଦୋଳନ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଆସନ୍ତକାଲି ବି ଆନ୍ଦୋଳନ ଜାରି ରହିବ। ତେଣୁ ଜିଲ୍ଲାରେ ଆନ୍ଦୋଳନର ପ୍ରଭାବକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଯଦି ଉତ୍ତେଜନା ମୂଳକ ପରିସ୍ଥିତି ଲାଗିରହିଥିବ ତେବେ ନିଜ ସ୍ତରରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଉଭୟ ବିଭାଗରୁ ଚିଠି ମିଳିବା ପରେ ଜିଲ୍ଲାପାଳମାନେ ମଧ୍ୟ ନିଜ ସ୍ତରରେ ପଦକ୍ଷେପ ନେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ଅଧିକାଂଶ ଜିଲ୍ଲାପାଳ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ରାତି ୯ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଖୋର୍ଧା ସମେତ ଅନୁଗୁଳ, ପୁରୀ, ଗଞ୍ଜାମ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, କୋରାପୁଟ, ନବରଙ୍ଗପୁର, ଜଗତ୍‌ସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କେନ୍ଦୁଝର, କଟକ, ବଲାଙ୍ଗୀର, ବୌଦ୍ଧ ଓ ଗଜପତି ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ପୂର୍ବ ସୂଚନା ଅନୁଯାୟୀ ବୁଧବାର ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।

ଅନ୍ୟପକ୍ଷରେ ଆଜି ଭାରତ ବନ୍ଦ ଭିତରେ ସାରା ରାଜ୍ୟରେ ଜେଇଇ ମେନ୍‌ର ପ୍ରଥମ ଦିନ ପରୀକ୍ଷା ଶେଷ ହୋଇଛି। ନିର୍ଦ୍ଧାରତ ସମୟରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବାଇକ୍‌ରେ ଯେଉଁମାନେ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ ସେମାନେ ବିଶେଷ ଅସୁବିଧାରେ ପଡ଼ି ନ ଥିଲେ। ହେଲେ କାର୍, ଟ୍ୟାକ୍ସି ଓ ବସ୍‌କୁ ଅପେକ୍ଷା କରିରହିଥିବା ଛାତ୍ରଛାତ୍ରୀ ସମସ୍ୟାରେ ପଡ଼ିଥିଲେ। କେତେକ ସ୍ଥାନରେ ପରୀକ୍ଷାର୍ଥୀ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନପାରି ହଟହଟା ହୋଇଥିଲେ। ୯ଟି ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଆଜି ପେପର୍‌-୨ ପରୀକ୍ଷା ଦେଇଛନ୍ତି। ବୁଧବାରଠାରୁ ଜାନୁଆରି ୧୨ ପର୍ଯ୍ୟନ୍ତ ପେପର୍‌-୧ ପରୀକ୍ଷା ଅନୁଷ୍ଠିତ ‌ହେବ। ଆସନ୍ତାକାଲି ଆନ୍ଦୋଳନ ହେବାକୁ ଥିବାରୁ ତାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି।

ଧର୍ମଘଟର ପ୍ରଭାବ ରେଳ ସେବା ଉପରେ ପଡ଼ିଛି। ଆଜି ପ୍ରଥମ ଦିନରେ ପୂର୍ବତଟ ରେଳପଥ ଅଧୀନରେ ଚଳାଚଳ କରୁଥିବା ୭ଟି ଟ୍ରେନ୍‌କୁ ଉଭୟ ପାର୍ଶ୍ବରୁ ବାତିଲ୍‌ କରାଯାଇଥିବା ବେଳେ ଦୁଇଟିକୁ ଗୋଟିଏ ପାର୍ଶ୍ବରୁ ବାତିଲ୍‌ କରାଯାଇଛି। ୨୦ଟି ଟ୍ରେନ୍‌ ବିଭିନ୍ନ ଷ୍ଟେସନରେ କିଛି ସମୟ ଅଟକି ରହିବା ପରେ ପୁଣିଥରେ ଚଳାଚଳ କରିଛି। ବୁଧବାର ଆନ୍ଦୋଳନ ଚାଲିବାକୁ ଥିବାରୁ ଏହାର ପ୍ରଭାବ ଟ୍ରେନ୍‌ ସେବା ଉପରେ ପଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର