ଓଡ଼ିଶାରେ ଭାରତ ବନ୍ଦ ଯୋଗୁଁ ରାସ୍ତାରେ ଗଡ଼ୁନି ଗାଡ଼ି, ବିଭିନ୍ନ ସ୍ଥାନରେ ଅଟକିଛି ଟ୍ରେନ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦେଇଛି। ୧୭ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଦେଇଥିବାରୁ ସମଗ୍ର ଦେଶରେ ବନ୍ଦ ପାଳିତ ହେଉଛି। ଏ ପରିପ୍ରେକ୍ଷୀରେ ଓଡ଼ିଶାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ବନ୍ଦ ପାଳିତ ହେଉଛି। ବନ୍ଦ ଯୋଗୁଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡିକ ଟ୍ରେନ୍‌ ଅଟକାଇଛନ୍ତି। ଫଳରେ ବିଭିନ୍ନ ଷ୍ଟେସନରେ ଟ୍ରେନ୍‌ଗୁଡ଼ିକ ଅଟକି ରହିଛି।


ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନ ପରେ ଏବଂ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିଥିବା ଏହି ବଡ଼ ସୁଯୋଗକୁ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି। ଏହି ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ନେତାମାନେ ଲାଗି ପଡ଼ିଛନ୍ତି। ବିଧାନସଭା ଅଧିବେଶନ ଚାଲିଥିଲେ ବି କଂଗ୍ରେସ ସଭ୍ୟମାନେ ଗୃହକୁ ନ ଯାଇ ବିଭିନ୍ନ ସ୍ଥାନରେ ପିକେଟିଂରେ ସାମିଲ୍‌ ହୋଇଛନ୍ତି। ତେବେ ବନ୍ଦ ବେଳେ ଆମ୍ବୁଲାନ୍ସ, ମେଡିସିନ୍‌ ଷ୍ଟୋର୍‌ ଛାଡ଼ି ବସ୍‌, ଅଟୋ ଚଳାଚଳ ସହିତ ଦୋକାନବଜାର ବନ୍ଦ ରହିଛି। ଆଜି ସରକାର ସ୍କୁଲ ଛୁଟି ଘୋଷଣା କରିଥିବାରୁ କୌଣସି ସ୍କୁଲ ବସ ଗଡ଼ି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ କଂଗ୍ରେସ ନେତା ମହମ୍ମଦ ମୁକିମ୍‌ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରେଳରୋକ କରିଛନ୍ତି। ବିକ୍ଷୋଭକାରୀମାନଙ୍କ ରେଳରୋକ ଯୋଗୁଁ କଟକ ଷ୍ଟେସନରେ ହାୱଡ଼ା-ଚେନ୍ନାଇ ସୁପରଫାଷ୍ଟ୍‌ ଏକ୍ସପ୍ରେସ ଟ୍ରେନ୍‌ ଅଟକିଛି।


ସେହିପରି ବଲାଙ୍ଗୀର ଷ୍ଟେସନରେ ଠାରେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ରେଳରୋକ କରିଥିବାରୁ ବଲାଙ୍ଗିର ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ ଅଟକି ରହିଛି ।
ଭୁବନେଶ୍ୱରରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରେଳରୋକ କରିଥିବା ବେଳେ ଭଦ୍ରକରେ ମଧ୍ୟ ଏକ ଟ୍ରେନ୍‌କୁ କଂଗ୍ରେସ କର୍ମୀମାନେ ଅଟକାଇଛନ୍ତି।

ସେହିପରି ସମ୍ବଲପୁର ଷ୍ଟେସନ୍‌ରେ କଂଗ୍ରେସ କର୍ମୀ ରେଳ ରୋକ କରିଛନ୍ତି। ଫଳରେ ଷ୍ଟେସନ୍‌ରେ ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ୍‌ ଅଟକି ରହିଛି।


ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ବାଣୀବିହାର ଛକ ଠାରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ତୈଳଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନୁଗୁଳରେ ମଧ୍ୟ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରୁଥିବାରୁ ଜାତୀୟ ରାଜପଥ ଉପରେ ହଜାର ହଜାର ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଛି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଏହି ବନ୍ଦକୁ ଲୋକେ ସ୍ୱାଭାବିକଭାବେ ସମର୍ଥନ କରିଥିବାରୁ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ସମର୍ଥନ ପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର