ଭୁବନେଶ୍ୱର : ଚଳିତ ମାସ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ସାଧାରଣ ଧର୍ମଘଟର ସଫଳତା ପାଇଁ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ବାଧୀନ ଫେଡେରେସନମାନଙ୍କର ରାଜ୍ୟସ୍ତରୀୟ ମିଳିତ ସମ୍ମେଳନ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ, ମହିଳା, ଦଳିତ ବିରୋଧୀ ନୀତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି।

Advertisment

ସରକାରଙ୍କ ଭୁଲ୍ ନୀତି ପାଇଁ ଦେଶର ଆର୍ଥିକ ସ୍ଥିତିରେ ବିପର୍ଯ୍ୟୟ ଦେଖାଦେଇଛି। ଶ୍ରମିକ ବିରୋଧୀ ଆଇନ୍ ପ୍ରତ୍ୟାହାର, କୃଷକ ବିରୋଧୀ କୃଷି ଆଇନ ରଦ୍ଦ, ଆୟକର ଦେଉନଥିବା ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ଓ ମୁଣ୍ଡ ପିଛା ୧୦ କେଜି ଚାଉଳ ପ୍ରଦାନ, ଶ୍ରମିକଙ୍କୁ ମନରେଗା ଜରିଆରେ ବାର୍ଷିକ ୨୦୦ ଦିନର କାମ ଓ ବର୍ଦ୍ଧିତ ମଜୁରି ପ୍ରଦାନ, ବ୍ୟାଙ୍କ୍‌ ବୀମା ଓ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ, ନିର୍ମାଣ ଶ୍ରମିକଙ୍କୁ ନୂତନ ପଞ୍ଜୀକରଣ କରାଇବା ଆଦି ପ୍ରମୁଖ ଦାବି ନେଇ ଏହି ଧର୍ମଘଟ କରାଯିବ ବୋଲି ଆଜିର ସମ୍ମେଳନରେ ନିଷ୍ପତ୍ତି ନିଆଯାଇଛି। ଆଇଏନ୍‌ଟିୟୁସିର ମଦନ ଧଳ, ଏଆଇଟିୟୁସିର ଏନ୍ ନାରାୟଣ ରେଡ୍ଡି, ଏଚ୍‌ଏମ୍‌ଏସ୍‌ର ବୀରେନ୍ଦ୍ର ପ୍ରତାପ ଦାସ, ସିଆଇଟିୟୁର ବିମାନ ମାଇତି, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା ଏବଂ ଏଆଇୟୁଟିୟୁସିର ଶମ୍ଭୁନାଥ ନାଏକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମେଳନକୁ ପରିଚାଳନା କରିଥିଲେ।

ଏଆଇଟିୟୁସିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା ହେବାକୁ ଥିବା ଧର୍ମଘଟର ଭିତ୍ତିପତ୍ର ଉପସ୍ଥାପନା କରିଥିଲେ। ଆଇଏନ୍‌ଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଏଚ୍‌ଏମ୍‌ଏସ୍‌ର ଆଶିଷ ନନ୍ଦ, ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏଆଇସିସିଟିୟୁର ରାଧାକାନ୍ତ ସେଠୀ, ଏଆଇୟୁଟିୟୁସିର ପୂର୍ଣ୍ଣଚନ୍ଦ୍ର ବେହେରା, ସୁର ଜେନା, କିଶୋର ଜେନା, ଲିଟୁଲାଲ ଦେବସୁବୁଦ୍ଧି, କେନ୍ଦ୍ର ସରକାର କର୍ମଚାରୀ ସଂଘର ରବିନ୍ଦ୍ର ନାଥ ଧଳ, ରାଜ୍ୟ ସରକାରୀ କର୍ମଚାରୀ ସଂଘର ନରୋତ୍ତମ ପାର୍ଥ ସାରଥି ଜେନା, ଏଆଇବିଇଏର ତ୍ରିଲୋଚନ ପ୍ରଧାନ, ଏଆଇବିଓଏର ପ୍ରଫୁଲ୍ଲ ତ୍ରିପାଠୀ, ସରକାରୀ ଶିକ୍ଷକ ସଂଘର ଅମିୟ କୁମାର ମହାନ୍ତି, ଏଓବିଇଏଫ୍‌ର ପ୍ରକାଶ ଚନ୍ଦ୍ର ରାୟ, ଜୀବନ ବୀମାର ଅଭୟ କୁମାର ଦାସ, ସାଧାରଣ ବୀମାର ରବିନ୍ଦ୍ର ବାରିକ, ବିଦ୍ୟୁତ୍ ଫେଡେରେସନର ଯତୀନ୍ଦ୍ର କୁମାର ରାୟ, ଡିଆର୍‌ଡିଓ ୟୁନିୟନ୍‌ର ଜୟନ୍ତ କୁମାର ଦାସ ପ୍ରମୁଖ ଏହି ସର୍ବଭାରତୀୟ ଧର୍ମଘଟର ସଫଳତା ପାଇଁ ଆସନ୍ତା ନଭେମ୍ବର ୧୮ରେ ଜିଲ୍ଲା ସ୍ତରରେ ସମ୍ମେଳନ ଓ ପ୍ରତ୍ୟେକ ୟୁନିୟନ ସାଧାରଣ ସଭା କରିବ ବୋଲି ନିଷ୍ପତ୍ତି ନେଇଥିଲେ।