‘ଭାରତ ଯୋଡ଼ୋ-ଓଡ଼ିଶା’ ଉଦ୍‌ଯାପିତ: ଓଡ଼ିଶାରେ ପରିବର୍ତନର ସୂର୍ଯ୍ୟୋଦୟ ଆସିବ

ଭୁବନେଶ୍ବର : ଗତବର୍ଷ ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ-ଓଡ଼ିଶା’ ପରିବର୍ତନ ଯାତ୍ରା ଆଜି ଉଦ୍‌ଯାପିତ ହୋଇଛି। ରାଜ୍ୟର ପ୍ରାୟ ୨ହଜାର କି.ମିରୁ ଅଧିକ ପଦଯାତ୍ରା କରି ଏହି ଯାତ୍ରା ଆଜି ସଂଧ୍ୟାରେ ଶିଶୁ ଭବନ ଛକରେ ପହଞ୍ଚିଥିଲା। ଘଣ୍ଟ, ପାରମ୍ପରିକ ନୃତ୍ୟ ଓ ବାଜା ସହିତ ଭାରତ ଯୋଡ଼ୋ ଯାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ‘ନଫରତ ଛୋଡ଼ୋ, ଭାରତ ଯୋଡ଼ୋ, ଭେଦଭାବ ଛୋଡ଼ୋ, ଜାତପାତ୍‌ କି ବନ୍ଧନ ତୋଡ଼ୋ-ଭାରତ ଯୋଡ଼ୋ’ ନାରାରେ ରାସ୍ତା କମ୍ପିଥିଲା। ଏହି ପଦଯାତ୍ରା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ସମାପନ ଉତ୍ସବ ଆୟୋଜିତ ହୋଇଥିଲା।

ଉଦ୍‌ଯାପନ ଉତ୍ସବରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ଓ ‌ଦେଶରେ ଜନବିରୋଧୀ ସରକାର ଆଜି ଶାସନ ଗାଦିରେ ବସିଛନ୍ତି। ଦୀର୍ଘ ୨୨ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବିଜେଡି ଶାସନରେ ଥାଇ ମଧ୍ୟ ଓଡ଼ିଶାର ଯୁବକ ଆଜି ଦିଗହରା। ନିଯୁକ୍ତି ନାହିଁ, ଜଳସେଚନରେ ବିଫଳ, ଆଦିବାସୀ ବହୁଳ ଜିଲ୍ଲାରେ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ। ନାରୀ ନିର୍ଯାତନା ଓ ଦୁଷ୍କର୍ମ ଆଜି ଚରମ ସୀମାରେ। ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ତେଣୁ ଭାରତ ଯୋଡ଼ୋ-ଓଡ଼ିଶା ଯାତ୍ରା ଆଗାମୀ ଦିନରେ ରାଜ୍ୟରେ ପରିବର୍ତନର ନୂଆ ସୂର୍ଯ୍ୟୋଦୟ ଆଣିବାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି ଉତ୍ସବରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ‌, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ଅଧିରାଜ ପାଣିଗ୍ରାହୀ, ସୁରେଶ ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ବର ବେହେରା, ସୁଶୀଲ ତିରିଆ, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା ପ୍ରମୁଖ ଉତ୍ସବରେ ଯୋଗ ଦେବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିବର୍ତ୍ତନ ଯାତ୍ରାର ମୁଖ୍ୟ ସଂଯୋଜକ ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ନବଜ୍ୟୋତି ପଟ୍ଟନାୟକ, ସଂଜୀବ ଗିରି, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ରଜତ ଚୌଧୁରୀ, ସଂଜୟ ତ୍ରିପାଠୀ, ସ୍ମୃତିରଂଜନ ଲେଙ୍କା, ୟାସିର ନୱାଜ, ସୁରେଶ ମହାପାତ୍ର, କିଶୋର ଜେନା, ଭୁଜବଳ ମାଝୀ, ବାଙ୍କନିଧି ବେହେରା, ଲୋକନାଥ ମହାରଥୀ, ରଜନ ମହାନ୍ତି, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ଦୀପକ ମହାପାତ୍ର, ଜ୍ଞାନରଂଜନ ପଟ୍ଟନାୟକ, କୈଳାସ ସାହୁ, ସୁଶାନ୍ତ ତ୍ରିପାଠୀ, ମନୋଜ ଜେନା, ମନୋଜ ସାହୁ ଓ ମହମ୍ମଦ ସାହାଦୁଲ୍ଲା ପ୍ରମୁଖ ଯୋଗ ଦେଇଥିଲେ।

ପୂର୍ବରୁ ଏହି ଯାତ୍ରା ଖୋର୍ଧାରେ ପହଞ୍ଚିବା ପରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ପୃଥ୍ବୀବଲ୍ଲଭ ପଟ୍ଟନାୟକ ଓ ଅନ୍ୟ ନେତୃବୃନ୍ଦ ଭାରତ ଯୋଡ଼ୋ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଉଲ୍ଲେଖ ଯେ ଆସନ୍ତା ୩୦ ତାରିଖରେ ଶ୍ରୀନଗରଠାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ଯୋଡ଼ୋ’ ଯାତ୍ରା ସମାପନ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସକାଳ ୧୦ଟାରେ ଦେଶବ୍ୟାପୀ ଜାତୀୟ ପତାକା ଉତ୍ତୋଳନ କରାଯିବ। ତେଣୁ ରାଜ୍ୟରେ ଜିଲ୍ଲା ଓ ବ୍ଲକ୍‌ରେ ମଧ୍ୟ କଂଗ୍ରେସ କର୍ମୀମାନେ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର