ଘଣ୍ଟାକ ଭିତରେ ସରିଗଲା ଭାରତ ମ୍ୟାଚ୍ ଟିକେଟ୍‌

ଅତିଥି ଓ ଖେଳାଳିଙ୍କୁ ଦିଆଯିବ ହସ୍ତତନ୍ତ ଓ ହସ୍ତଶିଳ୍ପ ଉପହାର

ଭୁବନେଶ୍ବର : ଭୁବନେଶ୍ବର ହକି ବିଶ୍ବକପ୍‌ର ଲାଗି ସୋମବାରଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ୍ ପାଖରେ ଥିବା ବକ୍ସ ଅଫିସ ସହ ଭୁବନେଶ୍ବରର ୧୮ ଏବଂ କଟକର ଦୁଇଟି ସ୍ଥାନରେ ଟିକେଟ୍ ବିକ୍ରି କରାଯାଇଛି। ଏଥିଲାଗି ସ୍ଥାନୀୟ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବିଶେଷ କରି କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ୍ ପାଖରେ ସକାଳୁ ହଜାର ହଜାର ହକିପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଠାରେ ଟିକେଟ୍ ବିକ୍ରି ନିର୍ଧାରିତ ସମୟ ଅର୍ଥାତ୍ ଦିନ ୧୦ଟାରୁ ଆରମ୍ଭ ହୋଇଥିଲା। ହେଲେ ବିଭିନ୍ନ ଘରୋଇ ଆଉଟଲେଟ ଓ ଦୋକାନଙ୍କୁ ଦିଆଯାଇଥିବା ଟିକେଟ୍ ବିକ୍ରି ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା। ଏଭଳି ଅଧିକାଂଶ କାଉଣ୍ଟରରେ ଆରମ୍ଭରୁ ଭାରତ ମ୍ୟାଚ୍‌ର ଟିକେଟ୍ ଉପଲବ୍ଧ ହୋଇ ନଥିଲା। କିଛି କାଉଣ୍ଟର ଭାରତ ମ୍ୟାଚ୍‌ର ସର୍ବାଧିକ ୨୦ ଟିକେଟ ପାଇଥିବା କହିଥିଲେ। କେତେକ ମନଇଚ୍ଛା ଜଣେ ଦୁଇ ଜଣ ଗ୍ରାହାକଙ୍କୁ ସବୁ ଭାରତ ମ୍ୟାଚ୍ ଟି‌‌‌କେଟ ବିକି ଦେଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଅଧଘଣ୍ଟାଏ ଭିତରେ ଭାରତର ସବୁ ମ୍ୟାଚ୍ ଟିକେଟ୍ ସରି ଯାଇଥିଲା। ଫଳରେ ସକାଳୁ ଧାଡ଼ିରେ ଠିଆ ହୋଇଥିବା ହକି ପ୍ରେମୀ ନିରାଶାର ସହ ଫେରିଥିଲେ। ଅନ୍ୟ କାଉଣ୍ଟର ଗୁଡ଼ିରେ ୧୦ ମିନିଟ୍ ଭିତରେ ହିଁ ଭାରତ ମ୍ୟାଚ୍ ଟିକେଟ ଉଭାନ ହୋଇ ଯାଇଥିଲା। ଯାହାକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଯେଉଁମାନେ ଟିକେଟ୍ ପାଇଥିଲେ ସେମାନେ ନିଜକୁ ଭାଗ୍ୟଶାଳୀ ମନେ କରିଥିଲେ।

ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଶ୍ବକପର ପ୍ରତ୍ୟେକ ମ୍ୟାଚ୍‌ର ୩୦ ପ୍ରତିଶତ ଟିକେଟ ଅନଲାଇନରେ ବିକ୍ରି ପାଇଁ ରଖା ଯାଇଥିଲା। ଭାରତ ମ୍ୟାଚ୍ ସହ କ୍ବାର୍ଟର ଫାଇନାଲ୍, ସେମିଫାଇନାଲ ଏବଂ ଫାଇନାଲ୍ ମ୍ୟାଚ୍ ଲାଗି ଅନଳାଇନରେ ମିଳୁଥିବା ଟିକେଟ ବହୁ ପୂର୍ବରୁ ସରି ଯାଇଛି। ଅଫଲାଇନରେ ବିକ୍ରି ହେବାକୁ ଥିବା ୭୦ ପ୍ରତିଶତ ଟିକେଟରୁ ଅଧାରୁ ଅଧିକ ବାଟ ମରଣା ହୋଇଥିବା କିନ୍ତୁ ଦର୍ଶକ ଅଭିଯୋଗ କରିଛନ୍ତି। କଳିଙ୍ଗ ଷ୍ଟାଡିୟମର ୧୫୦୦୦ ଦର୍ଶକ ଟିକେଟ ମଧ୍ୟରୁ ଭାରତ ମ୍ୟାଚ୍‌ର ମାତ୍ର ୧୦୦୦-୨୦୦୦ ଟିକେଟ କାଉଣ୍ଟରରେ ବିକ୍ରି ପାଇଁ ‌ରଖା ଯାଇଥିଲା ଏବଂ ସେଥିମଧ୍ୟରୁ ଭାରତ ମ୍ୟାଚ୍ ଟିକେଟକୁ କାଉଣ୍ଟରଗୁଡ଼ିକ ସାଧାରଣ ଦର୍ଶକଙ୍କୁ ନ‌ଦେଇ ଚାପି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହା ଫଳରେ ବିଶ୍ବକପ୍ ବେଳେ ଟିକେଟ କଳାବଜାରୀ ହେବାର ଆଶଙ୍କା ଦେଖା ଦେଇଛି। ସେହିଭଳି ସଂପୂର୍ଣ୍ଣ ପଶ୍ଚିମଷ୍ଟାଣ୍ଡକୁ ଭିଆଇପିଙ୍କ ପାଇଁ ସଂରକ୍ଷଣ ରଖାଯିବାକୁ ହକିପ୍ରେମୀ ତୀବ୍ର ନିନ୍ଦା କରିଛନ୍ତି। ଭାରତ ମ୍ୟାଚ୍ ଟିକେଟ୍ ସରି ଯାଇଥିଲେ ମଧ୍ୟ ଅନ୍ୟ ମ୍ୟାଚ୍ ଟିକେଟ୍ ଏବେବି ମିଳୁଥିବା ଜଣେ ଟିକେଟ୍‌ ବିକ୍ରି ଦାୟିତ୍ବରେ ଥିବା ସଂସ୍ଥାର ଜଣେ କର୍ମଚାରୀ କହିଛନ୍ତି।

ଅତିଥି ଓ ଖେଳାଳିଙ୍କୁ ଦିଆଯିବ ହସ୍ତତନ୍ତ ଓ ହସ୍ତଶିଳ୍ପ ଉପହାର

ଭୁବନେଶ୍ବର : ଆଗାମୀ ହକି ବିଶ୍ବକପ୍‌ରେ ହକି ଖେଳାଳି ଓ ବିଶିଷ୍ଟ ଅତିଥିମାନଙ୍କୁ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପରେ ପ୍ରସ୍ତୁତ ଆକର୍ଷଣୀୟ ଉପହାର ପ୍ରଦାନ କରାଯିବ। ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଉଥିବା ୬୦୦ଟି ଟ୍ରଫି, କଟକର ତାରକସି କାର୍ଯ୍ୟର ଟ୍ରଫି, ସମ୍ବଲପୁରୀ ବସ୍ତ୍ରାଳୟରୁ ପ୍ରାୟ ୬୧୦ଟି ଷ୍ଟୋଲ୍‌ ଆଦି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର