‘ଭାରତ ପ୍ରତିଭା ସମ୍ମାନ’ ଉତ୍ସବ : ‘ସଫଳ ଇଚ୍ଛାଶକ୍ତି, କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର’

ଯୁବମାନସ ପାଇଁ ଉଦାହରଣ ସାଜିଛି ଭାରତ ମସଲା: କେନ୍ଦ୍ରମନ୍ତ୍ରୀ ତୋମାର

କଟକ/ବାରଙ୍ଗ : ପ୍ରବଳ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର। କର୍ମ ସଂସ୍ଥାନ ପଛରେ ନଗୋଡ଼ାଇ ନିଜେ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଆଜିର ଯୁବମାନସଙ୍କ ପାଇଁ ଉଦାହରଣ ସାଜିଛି ଭାରତ ମସଲା। ‘ଜୟ ଭାରତ ଫାଉଣ୍ତେସନ୍‌’ ପକ୍ଷରୁ ଆୟୋଜିତ ୨୦ତମ ‘ଭାରତ ପ୍ରତିଭା ସମ୍ମାନ-୨୦୧୯’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହା କହିଛନ୍ତି।

ବାରଙ୍ଗ ରାମଦାସପୁରସ୍ଥିତ କମ୍ପାନି ପରିସରରେ ଫାଉଣ୍ଡେସନ୍‌ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଗୃହ ଓ ନଗର ଉନ୍ନୟନ, ଆଇନ୍‌ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋ‌ଗଦେଇ ମାତ୍ର କେଇ ଶହ ଟଙ୍କାରେ ଆରମ୍ଭ ହୋଇଥିବା ଭାରତ ମସଲା ବ୍ୟବସାୟ ଆଜି ଶହ ଶହ କୋଟି ଟଙ୍କାର କମ୍ପାନିରେ ପରିଣତ ହୋଇଛି ବୋଲି କହିଥିଲେ। ଏହା ରାଜ୍ୟ ନୁହେଁ, ଭାରତର ସମସ୍ତ ଉଦ୍ୟୋଗପତିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ସାଂସଦ ଭର୍ତ୍ତୃହରି ମହତାବ, ବିଧା‌ୟକ ଦେବୀ ରଂଜନ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଭାରତୀୟ ରାଜସ୍ବ ସେବା ବିଭାଗର ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍ସବ ଅବସର‌େର ‘ଭାରତ ଗୌରବ’ ସମ୍ମାନରେ ପାଣିପାଗ ବିଭାଗର ପରିଚାଳନା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ‘ସେବା ଭାରତ’ ସମ୍ମାନରେ ସାଂସଦ ପ୍ରମିଳା ବି‌େଶାଇ, ‘କଥା ଭାରତ’ ସମ୍ମାନରେ ଲେଖକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ, ‘ସ˚ସ୍କୃତି ଭାରତ’ ସମ୍ମାନରେ ଚଳଚ୍ଚିତ୍ର ନାୟିକ ଆକାଶ ଦାସନାୟକ, ‘କ୍ରୀଡା ଭାରତ’ ସମ୍ମାନରେ କ୍ରିକେଟ ଖେଳାଳି ମାଧୁରି ମେହେଟା, ‘ବିଦ୍ୟା ଭାରତ’ ସମ୍ମାନରେ ଜୟପୁର, ବିକ୍ରମ ଦେବ ଜୁନିୟର କଲେଜର କଳା ଛାତ୍ର ଅଜୟ ପାତ୍ର, ଫକିରମୋହନ ଜୁନିୟର କଲେଜର ବିଜ୍ଞାନ ଛାତ୍ର ପ୍ରୀତିଶ ବେହେରା ଓ ରାଉରକେଲା ସରକାରୀ ଜୁନିୟର କଲେଜର ବାଣିଜ୍ୟ ଛାତ୍ର ଶୁଭମ ଶର୍ମାଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜୟ ଭାରତ ଫାଉଣ୍ତେସନ୍‌ର ଅଧୢକ୍ଷ ସୁରେନ୍ଦ୍ର ନାଥ ପଣ୍ତା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଫାଉଣ୍ତେସନ୍‌ର ମହାପ୍ରବନ୍ଧକ ଅରୁଣ କୁମାର ନାୟକ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ତା ଜୟ ଭାରତ ଫାଉଣ୍ତେସନ୍‌ ତଥା ଭାରତ ମସଲାର ଯାତ୍ରା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବକୃଷ୍ଣ ପ୍ରଧାନ, ପ୍ରଫୁଲ୍ଲ ସିଂହ, ନନ୍ଦିତା ପଣ୍ଡା, ନମିତା ପଣ୍ଡା, ଦିଗନ୍ତ ପଣ୍ଡା, ଶ୍ରୀମନ୍ତ ପଣ୍ଡା, ସୁମନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୁଲଗ୍ନା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନା ଯୋଗ୍ୟ ଯେ ଜୟ ଭାରତ ଫାଉଣ୍ତେସନ୍‌ ଦ୍ବାରା ପ୍ରତିଷ୍ଠିତ ଭାରତ ମସଲା କଂପାନି ତିନି ଶହ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କାରବାର କରୁଥିବାବେଳେ ୫ ହଜାର ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇଛି। କମ୍ପାନିର ୨୦ ବର୍ଷର ଯାତ୍ରା ମଧୢରେ ଏବେ ଏହା ଦ୍ବାରା ପ୍ରସ୍ତୁତ ସାମଗ୍ରୀ ୧୫ରୁ ଅଧିକ ଦେଶରେ ପହଞ୍ଚି ପାରିଛି।

ସମ୍ବନ୍ଧିତ ଖବର