ଭୁବନେଶ୍ବର: ରାଜ୍ୟ ସରକାର ସିଙ୍ଗାପୁରର ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟ୍ୱର୍କ (ଜିଏଫ୍ଟିଏନ୍), ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟ ଓ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ଫାଇନାନ୍ସ ସହଯୋଗରେ ‘ଭାରତନେତ୍ର’ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ଅଗ୍ରଣୀ ଫିନ୍ଟେକ୍ ହବ୍ରେ ପରିଣତ କରିବା। ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ପାଞ୍ଚ ବର୍ଷରେ ୭୦୦୦ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସାରା ରାଜ୍ୟରୁ ଚୟନ କରାଯାଇଥିବା ୩୭୫ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ବ୍ଲକ୍ଚେନ୍, ଫିନ୍ଟେକ୍ ଓ ଇନ୍ସ୍ୟୁରଟେକ୍ ଉପରେ ତାଲିମ ପ୍ରଦାନ କରାଯିବ। ୨୦୨୬ ଜାନୁଆରିରୁ ପ୍ରଥମ ବ୍ୟାଚ୍ ଆରମ୍ଭ ହେବ। ଏଥିରେ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ଫାଇନାନ୍ସ ପକ୍ଷରୁ ପ୍ରସ୍ତୁତ ସାର୍ଟିଫିକେସନ୍ ପାଠ୍ୟକ୍ରମ ପ୍ରଦାନ କରାଯିବ।
୫ ବର୍ଷରେ ୭୦୦୦ ଛାତ୍ରଛାତ୍ରୀଙ୍କୁ ତାଲିମ
ଫିନ୍ନେଟ୍, ଜିସିସି ନୀତି ଖୁବ୍ଶୀଘ୍ର: ମୁଖ୍ୟମନ୍ତ୍ରୀ
ଓଡ଼ିଶା ଜରିଆରେ ବିକଶିତ ଭାରତ ଲକ୍ଷ୍ୟ ହାସଲ ହେବ: ଧର୍ମେନ୍ଦ୍ର
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଯାନ ଓଡ଼ିଶାର ଆର୍ଥିକ ଭବିଷ୍ୟତ ଗଠନ କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କେବଳ ଏକ ବିକଶିତ ଓଡ଼ିଶା ଜରିଆରେ ବିକଶିତ ଭାରତ ଲକ୍ଷ୍ୟ ହାସଲ ହୋଇପାରିବ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିଙ୍ଗାପୁର ଜିଏଫ୍ଟିଏନ୍ର ଗ୍ରୁପ୍ ସିଇଓ ସ୍ବପ୍ନେନ୍ଦୁ ମହାନ୍ତିଙ୍କ ସହ ଶ୍ରୀ ପ୍ରଧାନ ଏକ ବାର୍ତ୍ତାଳାପରେ ଭାଗ ନେଇଥିଲେ।
ଏହି ଅବସରରେ ଭାରତନେତ୍ର ହାକାଥନ୍ ୱେବସାଇଟ୍ ଓ ଜିସିସି+ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆରମ୍ଭ କରିଥିଲେ। ୨୦୨୬ ଫେବ୍ରୁଆରିରେ ଭୁବନେଶ୍ବରରେ ସମ୍ମାନଜନକ ବ୍ଲାକ୍ ସ୍ବାନ୍ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଜିଏଫ୍ଟିଏନ୍ର ଗ୍ରୁପ୍ ସିଇଓ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଓ ବଜାଜ୍ ଆଲିଆଞ୍ଜ ଜେନେରାଲ୍ ଇନ୍ସ୍ୟୁରାନ୍ସର ଏମ୍ଡି ତଥା ସିଇଓ ଡ.ତପନ ସିଂଘେଲ ଉପସ୍ଥିତ ଥିଲେ।