ଭରତପୁର ଖଣି ଦୁର୍ଘଟଣା ପ୍ରସଙ୍ଗ : ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ତାଳଚେର : ବର୍ଷା ଯୋଗୁ ଏମ୍‌ସିଏଲ୍‌ର ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାଟି ଓ କୋଇଲା ଗଦା ତଳେ ଚାପି ହୋଇ ରହିଥିବା ଜଣେ ଶ୍ରମିକ ଏବେ ବି ନିଖୋଜ ଅଛନ୍ତି। ଅନ୍ୟପଟେ, ଖଣି ବନ୍ଦ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି।

ଗତ ୨୩ ତାରିଖ ଦିନ କୋଇଲା ଖଣିରେ ଦୁର୍ଘଟଣା ଘଟିଥିଲା। ଇତିମଧ୍ୟରେ ୩ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ଶ୍ରମିକ ଏବେବି ନିଖୋଜ ଅଛନ୍ତି। ଆଜି ନିଖୋଜ ଶ୍ରମିକଙ୍କ ଉଦ୍ଧାର କରିବା ପାଇଁ ଉଦ୍ୟମ ହୋଇଥିଲା। ମାତ୍ର,ବର୍ଷା ଯୋଗୁଁ ଆଜି ଦିନ ଏଗାରଟା ପରଠାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଦୁର୍ଘଟଣାସ୍ଥଳରେ ଜମିଥିବା ପାଣି ବାହାର କରିବା ପରେ ଆସନ୍ତାକାଲିଠାରୁ ପୁନର୍ବାର ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଶ୍ରମିକଙ୍କୁ ସୁରକ୍ଷା, ମୃତକର ପରିବାରଙ୍କୁ ୫୦ ଲକ୍ଷ କ୍ଷତିପୂରଣ ସହ ନିଯୁକ୍ତି ଆଦି ଦାବି କରି ବିଜେପି ପକ୍ଷରୁ ଦିଆଯାଇଥିବା ଖଣି ବନ୍ଦ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ବିଜେପି କର୍ମୀମାନେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ବରେ ବିଭିନ୍ନ ଖଣି ଅଞ୍ଚଳରେ ଧାରଣା ଦେବା ଫଳରେ ତାଳଚେରର ସମସ୍ତ ୯ ଟି କୋଇଲା ଖଣିର ଉତ୍ପାଦନ ଓ ପରିବହନ ବନ୍ଦ ରହିଛି।

ସୂଚନାଯୋଗ୍ୟ, ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ଶହେ ଫୁଟ୍ ଉଚ୍ଚର ଏକ ମାଟି ଓ କୋଇଲା ଗଦା ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାରିଜଣ ଶ୍ରମିକ ଚାପି ହୋଇ ରହିଥିଲେ। ବୁଧବାର ଜଣେ ଶ୍ରମିକ ଓ ଶୁକ୍ରବାର ଆଉ ଦୁଇଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ଶ୍ରମିକଙ୍କ ପତ୍ତା ମିଳୁ ନାହିଁ।

ସମ୍ବନ୍ଧିତ ଖବର