ଭରତପୁର ଖଣିରେ ଉଦ୍ଧାର କାର୍ଯ୍ୟ ସପ୍ତମ ଦିନରେ ମାଟି ତଳୁ କଟା ଗୋଡ଼, ହାତ ଠାବ

ଡିଏନ୍‌ଏ ଟେଷ୍ଟ ପାଇଁ ଗଲା ନମୁନା, ୫ ଲକ୍ଷର ସହାୟତା ଦେଲେ ରାଜ୍ୟ ଶ୍ରମ ମନ୍ତ୍ରୀ

ତାଳଚେର: ଏମ୍‌ସିଏଲର ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ଆଜି ସପ୍ତମ ଦିନରେ ପହଞ୍ଚିଛି। ମାଟି ଓ କୋଇଲା ଗଦା ତଳେ ଚାପି ହୋଇ ରହିଥିବା ନିଖୋଜ ଶ୍ରମିକ ଲକେଇପଶି ଗ୍ରାମର ରମେଶ ଦାସଙ୍କ ସନ୍ଧାନ ପାଇଁ ଏନଡିଆରଏଏଫ ଟିମ୍‌ ପକ୍ଷରୁ ଆଜି ଉଦ୍ୟମ କରାଯାଇଥିଲା। ବହୁ ଉଦ୍ୟମ ପରେ ଉଦ୍ଧାରକାରୀ ଦଳ ମାଟି ଓ କୋଇଲା ଗଦା ତଳୁ ଏକ କଟା ହାତ, ଗୋଡ଼ ଓ ଶରୀରର କିଛି ଅଂଶ ଠାବ କରିଥିଲେ। ଏହାକୁ ମଣ୍ଡାପାଳ ଡାକ୍ତରଖାନାକୁ ଆଣି ବ୍ୟବଚ୍ଛେଦ କରାଇବା ସହ ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅବଶିଷ୍ଟ ଅଂଶକୁ ନିଖୋଜ ଥିବା ଲକେଇପଶି ଗ୍ରାମର ରମେଶଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ନିଖୋଜ ଶ୍ରମିକ ସୁଶାନ୍ତଙ୍କ ଶରୀରର ଅନ୍ୟ ଅଂଶ ଉଦ୍ଧାର ଲାଗି ଟିମ୍‌ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିବ ବୋଲି ଏମସିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ଅପରାହ୍ଣରେ ଭରତପୁୁର ଖଣି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪ଜଣ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଭେଟି ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ୫ ଲକ୍ଷ ଟଙ୍କା ଲେଖାଏଁର ଚେକ୍ ପ୍ରଦାନ କରିଥିଲେ। ଚେକ୍ ପ୍ରଦାନ ବେଳେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ଶ୍ରମିକଙ୍କ ସୁରକ୍ଷା ଦାବିରେ ବିଜେପି ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। କ୍ରମାଗତ ଷଷ୍ଠ ଦିନ ପାଇଁ ଏମ୍‌ସିଏଲର ତାଳଚେରଠାରେ ଥିବା ସମସ୍ତ ୯ଟି ଯାକ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ନାଲକୋ, ଏନ୍‌ଟିପିସି ଓ ତାଳଚେର ଥର୍ମାଲ୍‌ରେ କୋଇଲା ସଙ୍କଟ ଜାରି ରହିଛି।

ସମ୍ବନ୍ଧିତ ଖବର