ଭରତପୁର ଖଣି ଦୁର୍ଘଟଣା : ମାଟିଗଦାରୁ ଆଉ ୨ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ଜାରି

୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସମସ୍ତ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ବନ୍ଦ, ଖଣି ମନ୍ତ୍ରୀଙ୍କ ଘଟଣାସ୍ଥଳ ପରିଦର୍ଶନ

ତାଳଚେର : ଏମ୍‌ସିଏଲ୍‌ର ତାଳଚେରସ୍ଥିତ ଭରତପୁର କୋଇଲା ଖଣି‌େର ପ୍ରାୟ ଶହେ ଫୁଟ ଉଚ୍ଚର ମାଟି ଓ କୋଇଲା ଗଦା ତଳେ ଚାପି ହୋଇ ରହିଥିବା ୪ ଜଣ ଶ୍ରମିକଙ୍କ ମଧ୍ୟରୁ ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା ବେଳେ ଆଜି ଅପରାହ୍ନ ସୁଦ୍ଧା ଆଉ ଦୁଇଜଣଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ଅନ୍ୟ ଜଣେ ନିଖୋଜ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ। ତାଙ୍କୁ ଉଦ୍ଧାର ପାଇଁ ଏନ୍‌ଡିଆରଏଫ୍ ଟିମ୍‌ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଛି। ଅନ୍ୟପକ୍ଷରେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଥିଲାବେଳେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଦୁର୍ଘଟଣା ପରେ ଗତକାଲି ପୋତି ହୋଇଯାଇଥିବା ଶ୍ରମିକଙ୍କ ଶବକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଏନଡିଆରଏଫ୍ ଟିମ୍ ସହ ସାମିଲ ଥିବା ସନ୍ଧାନୀ କୁକୁର ଯେଉଁ ସ୍ଥାନଗୁଡିକ ଚିହ୍ନଟ କରୁଥିଲେ, ସେହି ସ୍ଥାନରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ଦିନ ୧୧ଟାରୁ ୧୨ଟା ମଧ୍ୟରେ ଆଉ ଦୁଇ ଜଣ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇଛି। ମୃତକଦ୍ବୟ ହେଲେ ଗୋବରା ଗ୍ରାମର ରଶ୍ମିରଞ୍ଜନ ବେହେରା ଏବଂ ଶିବରାମପୁର ଗ୍ରାମର ରାଜକିଶୋର ମହାପାତ୍ର। ରଶ୍ମିରଞ୍ଜନ ସୁପରଭାଇଜର ଓ ରାଜକିଶୋର ପମ୍ପ ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ। ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ଲକେଇପଶି ଗ୍ରାମର ରମେଶ ଦାଶ ଏବେ ବି ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ତଲାସି କାର୍ଯ୍ୟ ଜୋରଦାର କରାଯାଇଛି। ତେବେ ସନ୍ଧାନୀ କୁକୁର ସମ୍ଭାବ୍ୟ ସ୍ଥାନଟିକୁ ଚିହ୍ନଟ କରି ସାରିଥିବାରୁ ଆଜି ରାତି ସୁଦ୍ଧା ତାଙ୍କ ପତ୍ତା ଲଗାଇବାରେ ଉଦ୍ଧାରକାରୀ ଦଳ ସମର୍ଥ ହେବ ବୋଲି ସୂଚନା ମିଳିଛି।

ଗତକାଲି ବର୍ଷା ଛାଡ଼ିଗଲା ପରେ ସନ୍ଧ୍ୟାରେ ସ୍ବତନ୍ତ୍ର ବିଜୁଳି ଆଲୋକ ବ୍ୟବସ୍ଥା କରାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ରାତିତମାମ ଦୁର୍ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି ଏମ୍‌ସିଏଲର ଭରତପୁର ଖଣି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ବରିଷ୍ଠ ଖଣି ଅଧିକାରୀ, ଖଣି ସୁରକ୍ଷା ନିର୍ଦେଶକଙ୍କ ସହ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ, ନିଯୁୂକ୍ତି, ଶ୍ରମିକଙ୍କୁ ସୁରକ୍ଷା ଓ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଦାବି କରି ଗତକାଲିଠାରୁ ଚାଲିଥିବା ବିଜେପିର ଖଣି ବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନ ଅତିକ୍ରମ କରିଛି। ଆନ୍ଦୋଳନର ପ୍ରଭାବରେ ଦ୍ୱିତୀୟ ଦିନ ପାଇଁ ଏମସିଏଲ୍‌ ତାଳଚେରଠା‌େର ଥିବା ସମସ୍ତ ୯ଟି ଯାକ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ସଂପୂର୍ଣ୍ଣ ବନ୍ଦ ରହିଛି।

ସମ୍ବନ୍ଧିତ ଖବର