ଭୁବନେଶ୍ବର: ଏଣିକି ପୁଲିସ ପୋଷାକରେ ଲାଗିବ ବଡି କ୍ୟାମେରା। ଥାନାକୁ ଆସିଥିବା ଅଭିଯୋଗକାରୀ ଓ ଅଭିଯୋଗ ଗ୍ରହଣ କରୁଥିବା ପୁଲିସ ଅଧିକାରୀଙ୍କ କଥୋପକଥନକୁ ଏହି ବଡି କ୍ୟାମେରା କଏଦ କରିବ। ତେଣୁ ପରବର୍ତ୍ତୀ ସମୟରେ ଅଭିଯୋଗ ଗ୍ରହଣକୁ ନେଇ ଉପୁଜୁଥିବା ବିବାଦରେ ମିଛ କହିବାକୁ କୌଣସି ପକ୍ଷର ଜୁ’ ନଥିବ। ଉଭୟ ଅଭିଯୋଗକାରୀ ଓ ଅଭିଯୋଗପତ୍ର ରଖୁଥିବା ପୁଲିସ ଅଧିକାରୀ କେହି କାହାକୁ ଖରାପ ବ୍ୟବହାର କରିବାକୁ ସାହସ କରିବେ ନାହିଁ। ଭରତପୁର ଥାନା ମାମଲାରେ କମିସନରେଟ୍‌ ପୁଲିସ ଚେତିଛି। ସେହିଭଳି ଖଣ୍ଡଗିରି ଥାନାରେ ନିଶାରେ ଚୁର୍‌ ଜଣେ ମହିଳାଙ୍କ ଉତ୍ପାତ ମାମଲା କମିସନରେଟ୍‌ ପୁଲିସକୁ ଏହି ବୁଦ୍ଧି ଶିଖାଇଛି। ଏଣିକି ପୁଲିସ ଅଭିଯୋଗକାରୀଙ୍କୁ ଠିକ୍‌ ବ୍ୟବହାର ପ୍ରଦର୍ଶନ କରିବ ଏବଂ ଅଭିଯୋଗକାରୀ ମଧ୍ୟ ଥାନାରେ ଯଥୋଚିତ ଆଚରଣ କରିବ। ତେଣୁ ଦ୍ବୈତନଗରୀ‌ର ୩୨ ଥାନାକୁ ମିଳିଛି ବଡି କ୍ୟାମେରା। ଅଭିଯୋଗପତ୍ର ଗ୍ରହଣ କରିବାକୁ ଉପସ୍ଥିତ ଥିବା ପୁଲିସ ଅଧିକାରୀ ବା କର୍ମଚାରୀଙ୍କ ପୋଷାକରେ ଏହି ବଡି କ୍ୟାମେରା ଲାଗିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।   

Advertisment

ପୁଲିସ କମିସନର ସୁରେଶ ଦେବଦତ୍ତ ସିଂଙ୍କ ନିର୍ଦେଶକ୍ରମେ କଟକ ଭୁବନେଶ୍ବରର ୫୨ ଥାନା ମଧ୍ୟରୁ ୩୨ ଥାନାକୁ ଏହି ବଡି କ୍ୟାମେରା ଯୋଗାଇ ଦିଆଯାଇଛି। ଆଜି ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ ଓ ଡିସିପି ପିନାକ ମିଶ୍ର ରାଜଧାନୀର ବିଭିନ୍ନ ଥାନାକୁ ଯାଇ ଯୋଗାଇ ଦିଆଯାଇଥିବା ବଡି କ୍ୟାମେରାଗୁଡ଼ିକର କାର୍ଯ୍ୟକାରିତା ଯାଞ୍ଚ କରିଛନ୍ତି। ଅତିରିକ୍ତ ପୁଲିସ କମିସନର ଶ୍ରୀ ଦାଶ କହିଛନ୍ତି ଯେ ଥାନାକୁ ଅଭିଯୋଗ କରିବାରକୁ ଆସୁଥିବା ବ୍ୟକ୍ତିଙ୍କ ପ୍ରତି ପୁଲିସର ବ୍ୟବହାର ଉପରେ ନଜର ରଖାଯିବ। ଯେଉଁ କର୍ମଚାରୀ ରିସେପ୍‌ସନ୍‌ ଦାୟିତ୍ବରେ ରହିବେ, ସେ ହିଁ ବଡି କ୍ୟାମେରା ପିନ୍ଧି ବସିବେ। ସେମାନେ ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର କରୁଛନ୍ତି କି ନାହିଁ, ଠିକ୍‌ ଭାବେ ସେମାନଙ୍କ ଅଭିଯୋଗକୁ ଶୁଣୁଛନ୍ତି କି ନାହିଁ, ଅଭିଯୋଗ ରଖିବା ବଦଳରେ ପୁଲିସ କର୍ମଚାରୀ ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି କି, ସେସବୁ ଚିତ୍ର ଏହି କ୍ୟାମେରାରେ କଏଦ ହୋଇରହିବ। ସେହିଭଳି ଅଭିଯୋଗକାରୀଙ୍କ ଆଚରଣର ଦୃଶ୍ୟ ମଧ୍ୟ ପୁଲିସ ପୋଷାକରେ ଥିବା ବଡି କ୍ୟାମେରାରେ ସାଇତି ହୋଇ ରହିବ।  ଏହି କ୍ୟାମେରାରେ ଏକ ଚିପ୍‌ ରହିଛି, ଯାହାକି ଏକ ମାସ ପର୍ଯ୍ୟନ୍ତ ସମସ୍ତ ତଥ୍ୟକୁ ରେକର୍ଡ କରି ରଖିବ। ଏହାଛଡ଼ା ଉକ୍ତ କ୍ୟାମେରାଗୁଡ଼ିକ ସବୁବେଳେ ଆକ୍ଟିଭ୍‌ ରହିବ।

ଯଦି କେହି କେବେ ବି ଉଦ୍ଦେଶ୍ୟମୂଳକ ଭାବେ କ୍ୟାମେରାକୁ ବନ୍ଦ କରି ରଖେ, ତୁରନ୍ତ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ବା ଅଧିକାରୀଙ୍କ ମୋବାଇଲ୍‌ରେ ଆଲାରାମ୍‌ ବାଜିବ। କେଉଁ ଥାନାରେ ବଡି ‌କ୍ୟାମେରା ବନ୍ଦ ରହିଛି, ତାହା ତୁରନ୍ତ ଜଣାପଡ଼ିବ। ଅନ୍ୟପକ୍ଷରେ ଅଭିଯୋଗକାରୀ ଥାନା ଭିତରେ ଉତ୍ପାତ କଲେ, ବଡି କ୍ୟାମେରା ପିନ୍ଧିଥିବା ପୁଲିସ କର୍ମଚାରୀ ତୁରନ୍ତ କ୍ୟାମେରାରେ ଥିବା ଜରୁରୀକାଳୀନ ବଟନ୍‌ ଦବାଇବେ। ଫଳରେ କଣ୍ଟ୍ରୋଲ୍‌ ରୁମ୍‌ ଓ ଅଧିକାରୀଙ୍କ ନିକଟରେ ଥିବା ମୋବାଇଲ୍‌ରେ ମଧ୍ୟ ଆଲାରାମ୍‌ ବାଜିବ। ସେହି ସମୟର ଭିଡିଓ ଓ ଅଡିଓ ମଧ୍ୟ ରେକର୍ଡ ହୋଇଯିବ। ଅଧିକାରୀମାନେ ଘଟଣାର ଲାଇଭ୍‌ ଦେଖିପାରିବେ। ଫଳରେ ପରେ ବିବାଦ ହେଲେ, ପୁଲିସ ନା ଅଭିଯୋଗକାରୀ କିଏ ସତ କହୁଛି, କିଏ ମିଛ କହୁଛି, ପର୍ଦ୍ଦାଫାସ ହୋଇଯିବ। ଆଜି କ୍ୟାପିଟାଲ୍‌ ଥାନାରେ ଏକ ବଡି କ୍ୟାମେରାକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି। ୧୫ଦିନ ପରେ ଏହାର ଯାଞ୍ଚ କରାଯିବ। ପରେ ପ୍ରତି ଥାନାକୁ ଅପ୍‌ଗ୍ରେଡ୍‌ କରାଯିବ ବୋଲି ଅତିରିକ୍ତ ସିପି ଶ୍ରୀ ଦାଶ କହିଛନ୍ତି। 

ଅନ୍ୟପଟେ ଗତ ୨୦୧୭-୧୮ ମସିହାରେ ଏଜି ଛକରେ ଦୁଇ ଜଣ ଟ୍ରାଫିକ ପୁଲିସଙ୍କୁ ଆକ୍ରମଣ ହେବା ପରେ ସୁରକ୍ଷା ନେଇ କମିସନରେଟ୍‌ ପୁଲିସ ତତ୍ପରତା ଦେଖାଇଥିଲା। ତତ୍କାଳୀନ ପୁଲିସ କମିସନର ୱାଇବି ଖୁରାନିଆଙ୍କ ନିର୍ଦ୍ଦେଶ ପରେ ଟ୍ରାଫିକ ପୁଲିସକୁ ୨୪୦ ବଡି କ୍ୟାମେରା ଓ ୧୬ଟି ଡ୍ରାସ୍‌ବୋର୍ଡ କ୍ୟାମେରା ପ୍ରଦାନ କରାଯାଇଥିଲା।