ଭୁବନେଶ୍ବର: ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ। ଆଜି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଛି। ଏହା ସହ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ଆଜି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଉଥିଲା ବେଳେ ଆଜି ସରକାର ତାହାକୁ ମାନି ନେଇଛନ୍ତି। ତେଣୁ ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକର ପରବର୍ତ୍ତୀ ପଦକ୍ଷେପ ‌କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯେହେତୁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ବିଳମ୍ବିତ ରାତିରେ ଆସିଲା, ତେଣୁ ବିରୋଧୀ ଦଳର ପ୍ରତିକ୍ରିୟା ମିଳିପାରି ନାହିଁ। 

Advertisment

କେନ୍ଦୁଝର ଗସ୍ତରୁ ଫେରିଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଆଡ୍‌ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ପୁଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ଉପସ୍ଥିତ ଥିଲେ।

ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ହେବ ତଦନ୍ତ
୬୦ ଦିନ ମଧ୍ୟରେ ଆସିବ ରିପୋର୍ଟ
ମନ୍ତ୍ରୀ ଓ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଆଇନର ଶାସନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଆସିଛନ୍ତି। ଏହା ସହିତ ଭାରତୀୟ ସେନା ପ୍ରତି ମଧ୍ୟ ରାଜ୍ୟ ସରକାରଙ୍କ ସମ୍ମାନ ରହିଛି। ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଯତ୍ନବାନ ଅଛନ୍ତି। ଏହି ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀମାନଙ୍କୁ ନିଲମ୍ବିତ କରାଯିବା ସହିତ ସେମାନଙ୍କ ବିରୋଧରେ ମାମଲା ମଧ୍ୟ କରାଯାଇଛି। ଘଟଣାରେ ସଂପୃକ୍ତ ଯୁବକମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଇନ ଅନୁଯାୟୀ ଦେଷୀସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ପଦକ୍ଷେପ ନେଇଛନ୍ତି। 
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟ ଅତିଥି ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହିତ ସେନା ଅଧିକାରୀ ଓ ତାଙ୍କର ମହିଳା ବନ୍ଧୁ ଆଲୋଚନା କରିଛନ୍ତି। ମହିଳାଙ୍କ ପିତା ଓ ଅନ୍ୟ ବରିଷ୍ଠ ସେବା ନିବୃତ୍ତ ସେନା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।