କଟକ: ଭରତପୁର ଥାନାରେ ସେପ୍ଟେମ୍ବର ୧୫ରେ ଘଟିଥିବା ଘଟଣାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯେଉଁ ଦୁଇ ଜଣ ଅଭିଯୋଗକାରୀଙ୍କୁ ନେଇ ଏବେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ସେମାନଙ୍କ ନାଁ, ପରିଚୟ ଓ ଅନ୍ୟାନ୍ୟ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ଘଟଣାକୁ ନେଇ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। କୋର୍ଟ ସିଧା ସିଧା କହିଛନ୍ତି, ଏଣିକି ସେମାନଙ୍କ ନାଁ ଓ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ। ସେହି ଦୁଇ ବ୍ୟକ୍ତିଙ୍କ ସମ୍ମାନ ସୁରକ୍ଷା ପାଇଁ ଆଜିର ନିର୍ଦ୍ଦେଶରେ ମଧ୍ୟ ସେମାନଙ୍କ ନାଁ ଉଲ୍ଲେଖ କରାଯାଉ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଛୁଟିରେ ଆସିଥିବା ଜଣେ ସେନା ଅଧିକାରୀଙ୍କ ସହିତ ଏଭଳି ଘଟଣା ଘଟିବାକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ବିଭିନ୍ନ ପରିସ୍ଥିତିରେ ସେନା ବାହିନୀର କର୍ମଚାରୀଙ୍କ ମର୍ଯ୍ୟାଦାର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କି ପ୍ରକାର ଯୋଜନା ରହିଛି, ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି। ଅକ୍ଟୋବର ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଅନ୍ୟପଟେ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ହାଇକୋର୍ଟ ଅନୁଧ୍ୟାନ କରିବାର କୌଣସି କାରଣ ନାହିଁ ବୋଲି ସ୍ପ‌ଷ୍ଟ କରି ଦେଇଛନ୍ତି।

Advertisment

ହାଇକୋର୍ଟ ଆଜି ଶୁଣାଣି ସମୟରେ କହିଛନ୍ତି ଯେ ଦୁଇ ଜଣ ଥାନାକୁ କୌଣସି ଅପରାଧ ଘଟାଇବା ପାଇଁ ନୁହେଁ, ଅଭିଯୋଗ ରୁଜୁ କରିବା ପାଇଁ ଯାଇଥିଲେ। ଥାନା ଭିତରେ କଣ ହେଲା ତାହା ଏବେ ବି ରହସ୍ୟମୟ। ଏହାର ତଦନ୍ତ କରାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗରେ ଏତଲା ପଞ୍ଜୀକରଣ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ ସଂପୃକ୍ତ ଥାନାରେ ସିସି କ୍ୟାମେରା ବ୍ୟବସ୍ଥା ନଥିଲା। ଥାନାରେ ସିସି କ୍ୟାମେରା ବ୍ୟବସ୍ଥା ନଥିବାକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହିତ ମୁଖ୍ୟାଳୟରେ ଉପଲବ୍ଧ ଥିବା ତଥ୍ୟ ଆଧାରରେ ରାଜ୍ୟର ସମସ୍ତ ପୁଲିସ ଥାନାରେ ସିସି କ୍ୟାମେରା ବ୍ୟବସ୍ଥା ପ୍ରସଙ୍ଗରେ ଦୁଇ ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାକୁ ପୁଲିସ ଏଡିଜି(ଆଧୁନିକୀକରଣ) ଦୟାଲ ଗଙ୍ଗୱାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଥାନାରେ ସିସି କ୍ୟାମେରା ସ୍ଥିତି ସଂକ୍ରାନ୍ତରେ ରିପୋର୍ଟରେ ଉଲ୍ଲେଖ କରାଯିବ।

ରାଜ୍ୟର ୬୫୦ ଥାନାରୁ ୫୯୩ରେ ସିସି କ୍ୟାମେରା ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟରେ ଏହି ବ୍ୟବସ୍ଥା ପାଇଁ ଓକାକ୍‌ ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ହେଲେ ହାଇକୋର୍ଟ ଏହି ପ୍ରସଙ୍ଗରେ ମଧ୍ୟ ରିପୋର୍ଟ ତଲବ କରିଛନ୍ତି। ବିଭିନ୍ନ ଥାନାରେ ଥିବା ସିସି କ୍ୟାମେରା ବ୍ୟବସ୍ଥା ବାସ୍ତବରେ କାର୍ଯ୍ୟକ୍ଷମ ଅଛି କି ନାହିଁ ସେ ନେଇ ରିପୋର୍ଟରେ ସ୍ପଷ୍ଟ କରିବାକୁ ଶ୍ରୀ ଗଙ୍ଗୱାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଥାନା ସିସି କ୍ୟାମେରା ଷ୍ଟୋରେଜ କ୍ଷମତା ନେଇ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯିବ। ଥାନା ଗୁଡ଼ିକରେ ସିସି କ୍ୟାମେରା ବ୍ୟବସ୍ଥା ରକ୍ଷଣାବେକ୍ଷଣର ତ୍ରୁଟିଶୂନ୍ୟ ପ୍ରକ୍ରିୟା ନେଇ ଶ୍ରୀ ଗଙ୍ଗୱାର ପ୍ରସ୍ତାବ ଦେବେ। ଶ୍ରୀ ଗଙ୍ଗୱାର ଏପରି ରିପୋର୍ଟ କୋର୍ଟଙ୍କ ଜଣେ ଅଧିକାରୀ ଭାବେ ଦାଖଲ କରି‌ବେ। ଯଦି ଶ୍ରୀ ଗଙ୍ଗୱାର ରାଜ୍ୟରେ ଅନ୍ୟ କୌଣସି ପଦବିରେ ଅବସ୍ଥାପିତ ହୁଅନ୍ତି ତେବେ ମଧ୍ୟ ସେ ଏହି ମାମଲାରେ କୋର୍ଟଙ୍କୁ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି। 

୨ ଜଣ ଥାନାକୁ ଅଭିଯୋଗ ନେଇ ଯାଇଥିଲେ, ଅପରାଧ ପାଇଁ ନୁହେଁ
ଗଣମାଧ୍ୟମରେ ଦୁଇ ଅଭିଯୋଗକାରୀଙ୍କ ନାମ ପ୍ରକାଶରେ ଅଙ୍କୁଶ 
ସିସିଟିଭି ବ୍ୟବସ୍ଥା ପ୍ରସଂଗରେ ରିପୋର୍ଟ ତଲବ
ତଦନ୍ତ ପ୍ରକ୍ରିୟା ଅନୁଧ୍ୟାନ କରିବାକୁ ମନା କଲେ ହାଇକୋର୍ଟ
ଆମିକସ୍ କ୍ୟୁରି ଭାବେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ନିଯୁକ୍ତି

ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସଂପୂର୍ଣ୍ଣ କାର୍ଯ୍ୟକାରୀ ପାଇଁ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ରିପୋର୍ଟ ମିଳିବା ପରେ ଏହି ପ୍ରସଙ୍ଗରେ ଅଧିକ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି। 
ଏହି ଘଟଣାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଥିବା ବେଳେ ହାଇକୋର୍ଟ ତାହାର ଅନୁଧ୍ୟାନ କରି ପାରିବେ ବୋଲି ସରକାରଙ୍କ ତରଫରୁ ଆଜି ଶୁଣାଣି ସମୟରେ ଦର୍ଶାଯାଇଥିଲା। ରାଜ୍ୟ ପ୍ରଶାସନ ତରଫରୁ ଏହି ମାମଲାରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଚାରକୁ ନେଇ ହାଇକୋର୍ଟ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟା ହାଇକୋର୍ଟ ଅନୁଧ୍ୟାନ କରିବାର କିଛି କାରଣ ନାହିଁ। ତଦନ୍ତକାରୀ ଏଜେନ୍ସି ସ୍ବାଧୀନ ଓ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରିବା ଉଚିତ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ମାମଲାରେ ଆମିକସ୍ କ୍ୟୁରି ଭାବେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ହାଇକୋର୍ଟ ଆଜି ନିଯୁକ୍ତି ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ଭରତପୁର ଥାନା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଭରତପୁର ଥାନାର ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଡିଏସ୍‌ପି ପାହ୍ୟାର ଅଧିକାରୀ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ବେଳେ ଏଡିଜି ତଦନ୍ତ ତଦାରଖ କରୁଛନ୍ତି। ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଦୁଇ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ସବ୍-ଇନ୍ସପେକ୍ଟରଙ୍କ ଅଭିଯୋଗ ଆଧାରରେ ରୁଜୁ ମାମଲା, ଘଟଣା ସହିତ ଜଡିତ ଚନ୍ଦକା ଥାନାରେ ରୁଜୁ ମାମଲା ଓ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ବ‌ ନେବା ପରେ ରୁଜୁ କରିଥିବା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଉଚ୍ଚସ୍ତରୀୟ ବୈଠକରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ନିଯୁକ୍ତି ଦିଆଯାଇଛି। ସବୁ ଥାନାରେ ସିସି କ୍ୟାମେରା ବ୍ୟବସ୍ଥା କରିବା ପାଇଁ ଓକାକ୍‌କୁ ଦାୟିତ୍ବ ଦିଆଯାଇଛି। ସରକାର ଏହି ଘଟଣାରେ ତ୍ବରିତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଆଡଭୋକେଟ ଜେନେରାଲ ଦର୍ଶାଇଥିଲେ। 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୧୮ରେ ହାଇ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସେନାବାହିନୀର ଏରିଆ ଜେନେରାଲ ଅଫିସର କମାଣ୍ଡିଂ ପି.ଏସ.ଶେଖାୱତ ସେପ୍ଟେମ୍ବର ୧୫ ଘଟଣାକୁ ନେଇ ଏକ ଚିଠି ଲେଖିଥିଲେ। ଏହି ଚିଠିକୁ ବିଚାରକୁ ନେଇ ହାଇକୋର୍ଟ ନିଜ ଆଡ଼ୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାମଲାରେ ଗୃହ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ପୁଲିସ କମିସନର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।