ଭର୍ତ୍ତୃହରିଙ୍କ ‘ଟିକା’ କଟାକ୍ଷ: ରାଜ୍ୟ ସରକାରର ନୀତି, ଆଭିମୁଖ୍ୟକୁ ନେଇ ଉଠାଇଲେ ପ୍ରଶ୍ନ

କଟକ : ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସରକାରର ନୀତି ଆଉ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇ ଏବେ ପୁଣି ଚର୍ଚ୍ଚାରେ କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। କରୋନା ଟିକାକୁ ନେଇ ଦେଶରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଜାରି ରହିଥିବାବେଳେ ଭର୍ତ୍ତୃହରିଙ୍କର ଏ ସଂପର୍କିତ ଟିପ୍ପଣୀ ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଭିନ୍ନ ଅଦାଲତଙ୍କ ରାୟ ଆଧାରରେ ସେ କେନ୍ଦ୍ର ସରକାରଙ୍କ ଟିକା ନୀତିକୁ ନିଜ ଖବର କାଗଜର ସଂପାଦକୀୟରେ କିଛି ପରିମାଣରେ ସମାଲୋଚନା, କିଛି ପରିମାଣରେ ସମର୍ଥନ ବି କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କୁ ଯେତିକି କଟାକ୍ଷ କରି ନାହାନ୍ତି, ତାହାଠୁ ଅଧିକ ଶାଣିତ କଟାକ୍ଷ କରିଛନ୍ତି ରାଜ୍ୟରେ ବିଜେଡି ନେତୃତ୍ବାଧୀନ ସରକାରର ନୀତି ନିଷ୍ପତ୍ତିକୁ। ବିଜେଡିର ସାଂସଦ ହୋଇ ଭର୍ତ୍ତୃହରି ଏଭଳି କିଛି ପ୍ରଶ୍ନ ଉଠାଇଛନ୍ତି, ଯାହାକି ତାଙ୍କ ସରକାରର ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ଓଡ଼ିଶାରେ ରାଜ୍ୟ ସରକାରଙ୍କ ‘ଟିକା’ ସଂପର୍କିତ ନିଷ୍ପତ୍ତି ସଂପର୍କରେ ଭର୍ତ୍ତୃହରି ଉଲ୍ଲେଖ କରିଛନ୍ତି, ‘ ଓଡ଼ିଶା କେବିନେଟ ମଇ ୧୦ ତାରିଖରେ ଗ୍ଲୋବାଲ ଟେଣ୍ତର କରିବାର ଘୋଷଣା ନେଲେ। ୧୯ ତାରିଖଯାଏ କେହି ଟେଣ୍ତର ନ ପକାଇବା କାରଣରୁ ସେଥିରେ କିଛିଟା କୋହଳ କଲେ ଓ ୨୧ ତାରିଖରେ କେବିନେଟରେ ଟେଣ୍ତରରେ ସଂଶୋଧନ କରାଗଲା। ତେବେ ମଇ ୨୮ରେ କୁହାଗଲା ୟାସ୍‌ ବାତ୍ୟା ଯୋଗୁଁ ଜୁନ୍ ୪ରେ ଯାଇ ଟେଣ୍ତର ଖୋଲାଯିବ। ଇତିମଧ୍ୟରେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ଯେ କେହି ରାଜ୍ୟକୁ ଟିକା ବିକ୍ରି କରିବାକୁ ପ୍ରସ୍ତୁତ ନୁହନ୍ତି, ତେଣୁ କେନ୍ଦ୍ର ଟିକା କିଣିକରି ଯୋଗାଉ। ଜୁନ୍ ଦୁଇ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଉ ଏକ ଚିଠି ଲେଖି ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ, ସମସ୍ତେ ଗୋଟିଏ ସ୍ବରରେ କେନ୍ଦ୍ରକୁ କୁହନ୍ତୁ ଟିକା ଯୋଗାଇବା ପାଇଁ।… ’

ଜୁନ୍ ୪ ତାରିଖ ଓପରଓଳି ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ଜଣାଇଛନ୍ତି ଯେ ଟେଣ୍ତରରେ ଦୁଇଟି ବିଡ୍ ପଡ଼ିଛି। ପ୍ରାଇଜ୍‌ ବିଡ୍ ୯ ତାରିଖରେ ଯାଇ ଖୋଲାଯିବ। ତେବେ ମୁଖ୍ୟମନ୍ତ୍ରୀ ଯେଉଁ ଚିଠି ଅନ୍ୟସବୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖି କହିଛନ୍ତି କେନ୍ଦ୍ର ସରକାର କୋରୋନା ଟିକା କିଣି ରାଜ୍ୟଙ୍କୁ ଯୋଗାନ୍ତୁ, ତାହା କ’ଣ? ଓଡ଼ିଶା ଯେଉଁ ଟେଣ୍ତର କରିଛି ତାହା କ’ଣ ସ୍ବତନ୍ତ୍ର? କେନ୍ଦ୍ର ସରକାର ବିଦେଶରୁ ଟିକା କିଣିବା ଲାଗି ଅନୁମତି ଦେଲେ ଓଡ଼ିଶା ବି ଟିକା କିଣିବ? ତେବେ କେନ୍ଦ୍ର ସରକାର ସବୁ ଟିକା କିଣି ରାଜ୍ୟମାନଙ୍କୁ ଦେଉ ବୋଲି ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ କାହିଁକି? କେନ୍ଦ୍ର ସରକାର ସବୁ ଟିକା କିଣି, ରାଜ୍ୟମାନଙ୍କୁ ଦେଉ ବୋଲି ଆଜି ଯେଉଁ ସ୍ବର ଉଠୁଛି, ତାହା ମାର୍ଚ୍ଚ, ଏପ୍ରିଲରେ କାହିଁକି କୁହାଯାଇନଥିଲା? କ’ଣ ସେତେବେଳେ ପଣ୍ତିତମାନେ ଜାଣି ନଥିଲେ, ଟିକା ଏମିତି ଔଷଧ ଦୋକାନରେ କମ୍ପାନୀ ବିକ୍ରି କରେନା ଯେ ଯିଏ ଯେତେବେଳେ ଯାଇ କିଣି ଆଣିପାରିବ?

ଭର୍ତ୍ତୃହରିଙ୍କ ଏଭଳି ପ୍ରଶ୍ନଭରା ଚିଠି ବି ଅନେକ ନୂଆ ପ୍ରଶ୍ନ ସୃଷ୍ଟି କରୁଛି। ଭର୍ତ୍ତୃହରି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଯାଥାର୍ଥତାକୁ ନେଇ ତ ପ୍ରଶ୍ନ କରିଛନ୍ତି, ଅନ୍ୟପଟେ ସିଏ ‘ପଣ୍ଡିତ ବୋଲି ମୁଖ୍ୟମନ୍ତ୍ରୀଙ୍କୁ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନା ସଚିବ ମାନଙ୍କୁ ଇଙ୍ଗିତ କରିଛନ୍ତି, ତାହାକୁ ବି ନେଇ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାରଙ୍କ ଓଡ଼ିଆ ବିଶ୍ବବିଦ୍ୟାଳୟ ଯୋଜନା, କଟକରେ ବିଶ୍ବସ୍ତରୀୟ ନେତାଜୀ ବସ୍ ଟର୍ମିନାଲକୁ ନେଇ ରାଜ୍ୟ ସରକାରଙ୍କ ପ‌ଦକ୍ଷେପ ସଂପର୍କରେ ଭର୍ତ୍ତୃହରି ପୂର୍ବରୁ ବି ଅଡୁଆ ପ୍ରଶ୍ନ ଉଠାଇ ସାରିଛନ୍ତି। ତାଙ୍କୁ ଦଳର ବରିଷ୍ଠ ନେତାମାନେ ବି ଖୋଲା ବିରୋଧ କରିଛନ୍ତି ଏସବୁ ପ୍ରସଙ୍ଗରେ। ଏବେ ଟିକାକୁ ନେଇ ଭର୍ତ୍ତୃହରିଙ୍କ ଏଭଳି ସଂପାଦକୀୟ ଆଲ୍ଲେଖ୍ୟକୁ ଦଳର ନେତା କିଭଳି ଗ୍ରହଣ କରୁଛନ୍ତି, ତାହା ହୁଏତ ଆଗକୁ ସ୍ପଷ୍ଟ ହେବ। ’

ସମ୍ବନ୍ଧିତ ଖବର