ଯୀଶୁଙ୍କ ଜନ୍ମଦିନ ବାବଦରେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ସାଂସଦ ଭର୍ତ୍ତୃହରି

ଭୁବନେଶ୍ୱର: ନିଜର ଲେଖା ଓ ବୟାନବାଜି ପାଇଁ ଅନେକ ସମୟରେ ବିବାଦ ଓ ବିତର୍କ ମଧ୍ୟରେ ରହୁଥିବା କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି। ଏବଂ ଏହି ଘଟଣାକୁ ନେଇ ଏବେ ଅଡ଼ୁଆ ପରିସ୍ଥିତିରେ ପଡ଼ିଯାଇଛନ୍ତି ସାଂସଦ ମହତାବ।

କଟକର ଶ୍ରୀରାମଚନ୍ଦ୍ର ଭବନରେ ଗତ ରବିବାର ସନ୍ଧ୍ୟାରେ ‘ଫ୍ରି ଥିଙ୍କର୍ସ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭର୍ତ୍ତୃହରି ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ଦିନ ଭାବେ ପାଳନ କରନ୍ତି ସତ; କିନ୍ତୁ ପ୍ରକୃତରେ ଏହା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ନୁହେଁ! ଏଥିସହ ସେ କହିଥିଲେ ଯେ ଖ୍ରୀଷ୍ଟଧର୍ମରେ ପୋପ୍‌ଙ୍କ ଆଧିପତ୍ୟ ବଢିବା ପରେ ଡିସେମ୍ବର ୨୫କୁ ବଡଦିନ ଭାବେ ପାଳନ କରାଯାଉଛି। ମାତ୍ର ଦୁଇ ହଜାର ବର୍ଷର ଇତିହାସକୁ ଦେଖିଲେ ଯୀଶୁଙ୍କ ଯେଉଁ ଚିତ୍ର ଏବେ ଦେଖିବାକୁ ମିଳୁଛି, ତାହା ବାସ୍ତବ ନୁହେଁ ବୋଲି ଶ୍ରୀ ମହତାବ କହିଥିଲେ।

ଅନ୍ୟପଟେ ସାଂସଦ ଶ୍ରୀ ମହତାବଙ୍କ ଏହି ମତକୁ ନେଇ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। କଟକ- ଭୁନେଶ୍ୱରର ଆର୍କ ବିଶପ୍‌ ଜନ୍‌ ବରଓ୍ଵା କହିଛନ୍ତି ଯେ ବାଇବେଲର ତଥ୍ୟ ଆଧାରରେ ବଡ଼ଦିନ ଓ ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥାଏ। ଏ ପରିପ୍ରେକ୍ଷୀରେ ଇତିହାସ ଓ ଖ୍ରୀଷ୍ଟଧର୍ମ ଉପରେ କୌଣସି ଜ୍ଞାନ ନଥିବା ଭର୍ତ୍ତୃହରି ବାବୁ ଏପରି ଶସ୍ତା ରାଜନୈତିକ ବୟାନବାଜିରୁ ନିଜକୁ କ୍ଷାନ୍ତ ରଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ସେହିପରି କଟକର ଜଣେ ଖୀଷ୍ଟ୍ରଧର୍ମ ଗୁରୁ କହିଛନ୍ତି, ଭର୍ତ୍ତୃହରି ବାବୁ କ’ଣ ପାଇଁ ଏ କଥା କହିଲେ ତାହା ତାଙ୍କୁ ଜଣାନାହିଁ, କେବଳ ସେ ହିଁ ଏହାର ଉତ୍ତର ଦେଇପାରିବେ। ତେବେ, ବାଇବେଲ୍‌ କହେ, ଡିସେମ୍ବର ୨୪ ତାରିଖ ରାତିରେ ପ୍ରଭୁ ଯୀଶୁ ଜନ୍ମ ହୋଇଥିଲେ ଏବଂ ୨୫ ତାରିଖରେ ତାଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା ବୋଲି ସଂପୃକ୍ତ ଧର୍ମଗୁରୁ କହିଛନ୍ତି।

ସମ୍ବନ୍ଧିତ ଖବର