ସ୍କୁଲରେ ହେବ ‘ଭାଷା ସଙ୍ଗମ’

ଭୁବନେଶ୍ବର : ସ୍କୁଲରେ ପାଳନ ହେବ ‘ଭାଷା ସଙ୍ଗମ’। ଭାଷା ବିବିଧତାରେ ଏକତା ସଂକ୍ରାନ୍ତ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) ପକ୍ଷରୁ ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ମାନଙ୍କୁ ନିର୍ଦେଶ ଦିଆଯାଇଛି। ଗତ ନଭେମ୍ବର ୨୦ରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପ୍ରତ୍ୟେକ ଶ୍ରେଣୀ ପ୍ରାର୍ଥନା ‌ସଭାରେ ଦିନକୁ ଗୋଟିଏ ଲେଖାଏ ଭାଷାରେ କାର୍ଯ୍ୟକ୍ରମ କରାଯିବ। ସମୁଦାୟ ୨୨ଟି ଭା‌ଷାରେ କାର୍ଯ୍ୟକ୍ରମ ହେବ। ଏଥିପାଇଁ ପ୍ରତ୍ୟେକ ଭାଷାରେ ଅନୁଦିତ ଉଚ୍ଚାରଣ ଡିପିସିମାନଙ୍କୁ ପଠାଯାଇଛି। ଆହୁରି କୁହାଯାଇଛି ଯେ ଯଦି ନିର୍ଦେଶାବଳୀରେ ଉଲ୍ଲେଖଥିବା ନିର୍ଦ୍ଧାରିତ ଦିନଟି ଛୁଟି ରହିଥା‌ଏ, ତେବେ ସେହି ଦିବସର ‘ଭାଷା ସଙ୍ଗମ’ କାର୍ଯ୍ୟକ୍ରମ ସମୁଦାୟ କାର୍ଯ୍ୟକ୍ରମର ଶେଷ ଦିବସ‌ର ପରବର୍ତୀ ଦିନଠାରୁ କ୍ରମାନୁସାରେ ଅନୁଷ୍ଠିତ ହେବ। ଏସମ୍ପର୍କିତ ଦୈନିକ ବିବରଣୀ, ଫଟୋ ଓ ଭିଡ଼ିଓ କ୍ଲିପ୍‌ ଆଦି ଅପ୍‌ଲୋଡ୍‌ କରିବାକୁ ହେବ।

ଦିଆଯାଇଥିବା ତାରିଖ ଅନୁଯାୟୀ ଗତ ୨୦ରେ ଆସାମୀ, ୨୨ରେ ବଙ୍ଗଳା ଭାଷାରେ ହେବାକୁ ଥିଲା। ସେହିପରି ନଭେମ୍ବର ୨୬ରେ ବୋଡୋ, ୨୭ରେ ଡୋଗରି, ୨୮ରେ ଗୁଜୁରାଟି, ୨୯ରେ ହିନ୍ଦୀ, ୩୦ରେ କାନାଡା, ଡିସେମ୍ବର ୩ରେ କଶ୍ମୀର, ୪ରେ କୋଙ୍କଣି, ୫ରେ ମୈଥାଳି, ୬ରେ ମାଲାୟଲମ୍‌, ୭ରେ ମଣିପୁରୀ, ୧୦ରେ ମରାଠୀ, ୧୧ରେ ନେପାଳି, ୧୨ରେ ଓଡ଼ିଆ, ୧୩ରେ ପଞ୍ଜାବୀ, ୧୪ରେ ସଂସ୍କୃତି, ୧୭ରେ ସାନ୍ତାଳି, ୧୮ରେ ସିନ୍ଧି, ୧୯ରେ ତାମିଲ, ୨୦ରେ ତେଲୁଗୁ ଓ ଡିସେମ୍ବର ୨୧ରେ ଉର୍ଦ୍ଦୁ ଭାଷାରେ କାର୍ଯ୍ୟକ୍ରମ ହେବ। ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ୧୯ ତାରିଖରେ ଓପେପା ପକ୍ଷରୁ ଡିପିସିମାନଙ୍କୁ ଚିଠି କରାଯାଇଥିଲେ ମଧ୍ୟ ଅଧିକାଂଶ ବିଦ୍ୟାଳୟ ପାଳନ କରିନାହାନ୍ତି। ‌ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପୁଣିଥରେ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର