ଭଟଲି ନିର୍ବାଚନମଣ୍ଡଳୀ : ବିଜେଡି ପାଇଁ ସୁଶାନ୍ତ ପକ୍କା!, ବିଜେପି, କଂଗ୍ରେସରେ ଆଶାୟୀ ଅନେକ

ବରଗଡ଼,(ଅଞ୍ଜନ ପ୍ରଧାନ): ଭଟଲି ନିର୍ବାଚନମଣ୍ଡଳୀ ଏଥର ‌ହେଭିୱେଟ୍‌ ନେତାଙ୍କ ମଧ୍ୟରେ ଟକ୍କର ଦେଖିବ। ବରଗଡ଼ ଜିଲ୍ଲାରେ ଏହା ସବୁଠୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋହେଲାରେ ଗତବର୍ଷ ଦେଖିବାକୁ ମିଳିଥିବା ସାଂଘାତିକ ରାଜନୈତିକ ସଂଘର୍ଷ। ବିଜେପୁର ଉପନିର୍ବାଚନ ପୂର୍ବରୁ ବନାବିରାଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ହୋଇଥିଲା। ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଜୟନାରାୟଣଙ୍କ ସମେତ ଡଜନେ ଗିରଫ ହୋଇଥିଲେ। ପରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଇରାଶିଷଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ପରେ ଭଟଲି ଗୁଳିକାଣ୍ଡ ଘଟଣାରେ ଇରାଶିଷ ବେଶ କିଛି ମାସ ଜାମିନ ନମିଳିବାରୁ ଜେଲ୍‌ରେ ରହି ଏବେ ମୁକୁଳିଛନ୍ତି।

ଏବେ ତେଣୁ ନିର୍ବାଚନୀ ଉଷ୍ଣତା ଏହି ନିର୍ବାଚନମଣ୍ଡଳୀରେ ଚରମ ସୀମାରେ ପହଂଚିଛି। ବିଜେଡି ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପଥ ପରିଷ୍କାର ରହିଛି। ହେଲେ ବିଜେପି ଏବଂ କଂଗ୍ରେସରେ ଏକାଧିକ ଆଶାୟୀ ଅଛନ୍ତି। ବିଜେପିରେ ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଭାବେ ଲଢ଼ି ଦ୍ବିତୀୟ ସ୍ଥାନରେ ଥିବା ସୁଶାନ୍ତ ମିଶ୍ର, ଯୁବନେତା ଇରାଶିଷ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌, ଜିଲ୍ଲା ସଭାପତି ଡା. ଅରୂପାନନ୍ଦ ସାହୁ ଏବଂ ଗତ ନିର୍ବାଚନର ଦଳୀୟ ପ୍ରାର୍ଥୀ ସୌରୀଚରଣ ବାରିକ ଟିକେଟ୍‌ ଦୌଡ଼ରେ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପାଇଁ ୫ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ପ୍ରକାଶଚନ୍ଦ୍ର ଦେବତା ତାଙ୍କ ପୁଅ ସତ୍ୟନାରାୟଣ ଦେବତାଙ୍କ ପାଇଁ ବାଟ ଛାଡ଼ି ଦେଇଛନ୍ତି। ଏହାବାଦ ଆଉ ଏକ ନୂଆ ମୁହଁ ସରୋଜ ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି। ବରଗଡ଼ ଜିଲ୍ଲାରେ ଏହି ନିର୍ବାଚନମଣ୍ଡଳୀ ସର୍ବାଧିକ ମନ୍ତ୍ରୀ ସୃଷ୍ଟି କରିଛି। ୧୯୬୧ ଓ ୧୯୬୭ରେ ସରସ୍ବତୀ ପ୍ରଧାନ (କଂଗ୍ରେସ), ୧୯୮୦ ଓ ୧୯୮୫ରେ ମୋହନ ନାଗ (କଂଗ୍ରେସ), ୨୦୦୦ ଏବଂ ୨୦୦୪ରେ ବିମ୍ବାଧର କୁଅଁର (ବିଜେପି), ୨୦୧୪ରେ ସୁଶାନ୍ତ ସିଂ (ବିଜେଡି) ମନ୍ତ୍ରୀ ପଦ ପାଇବାରେ ସଫଳ ହୋଇଥିଲେ।

ଭଟଲି ନିର୍ବାଚନମଣ୍ଡଳୀ ୧୯୫୭ ମସିହାରେ ଗଠନ ହୋଇଥିଲା। ତେବେ ୨୦୦୯ରେ ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ନିର୍ବାଚନମଣ୍ଡଳୀର ବିଲୟ ହୋଇ ଏହାର ସୋହେଲା ଅଂଶ ଭଟଲି ଅଧୀନକୁ ଆସିଥିଲା। ଗାଇସିଲାଟ୍‌ ଅଂଶ ବିଜେପୁରକୁ ଯାଇଥିଲା। ମେଲଛାମୁଣ୍ଡା ନିର୍ବାଚନମଣ୍ଡଳୀ ୧୯୭୧ ମସିହାରୁ ୨୦୦୪ ଯାଏଁ ୯ଟି ନିର୍ବାଚନର ସମ୍ମୁଖୀନ ହୋଇଥିଲା। ଏଠାରୁ ସର୍ବାଧିକ ୫ଥର ବିଜୟୀ ହୋଇ କଂଗ୍ରେସ ପ୍ରାର୍ଥୀ ପ୍ରକାଶଚନ୍ଦ୍ର ଦେବତା ବିଜୟୀ ହୋଇଥିଲେ। ୨ଥର ବୀରେନ୍ଦ୍ର ସାହୁ (ସ୍ବତନ୍ତ୍ର ଓ ଜନତା ପାର୍ଟି), ମୁରାରୀ ମିଶ୍ର (ଜନତା ଦଳ), ମହମ୍ମଦ ରଫିକ (ବିଜେପି) ବିଜୟୀ ‌ହୋଇଥିଲେ। ଏହି ନିର୍ବାଚନମଣ୍ଡଳୀରେ ସୋହେଲା ମିଶିବା ପୂର୍ବରୁ କମ୍ୟୁନିଷ୍ଟ ପାର୍ଟି ୨ଥର, କଂ‌େଗ୍ରସ ୬ଥର, ଜନତା ପାର୍ଟି ଏବଂ ଜନତା ଦଳ ଥରେ ଲେଖାଏଁ, ବିଜେପି ୨ଥର ବିଜୟ ପାଇଥିଲା। ପରେ ୨୦୦୯ରୁ ବିଜେଡି ଏହି ଆସନକୁ ଅକ୍ତିଆର କରିଛି। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂ ୭୫,୦୭୭ ଭୋଟ୍‌ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ସୁଶାନ୍ତ ମିଶ୍ର ୩୭,୪୯୬ ଭୋଟ୍‌ ପାଇଁ ବିଜେପି ପ୍ରାର୍ଥୀ ସୌରୀଚରଣ ବାରିକଙ୍କୁ ତୃତୀୟ ସ୍ଥାନକୁ ଠେଲିଥିଲେ।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ସୁଶାନ୍ତ ସିଂ    ୭୫,୦୭୭
ସ୍ବାଧୀନ    ସୁଶାନ୍ତ ମିଶ୍ର   ୩୭,୪୯୬
ବିଜେପି    ସୌରୀଚରଣ ବାରିକ  ୨୯,୩୧୬
କଂଗ୍ରେସ   ପ୍ରକାଶଚନ୍ଦ୍ର ଦେବତା  ୧୦,୫୦୬

ସମ୍ବନ୍ଧିତ ଖବର