ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ: ଭର୍ତ୍ତୃହରି ମହତାବ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି। ଜାତୀୟ ରାଜପଥରେ ଓ ତ୍ରିଶୁଳିଆ-ନନ୍ଦନକାନନ ରାସ୍ତାରେ ଗମନାଗମନ ବହୁ ମାତ୍ରାରେ ବୃଦ୍ଧି ପାଇଛି।ଫଳରେ ଅଧିକାଂଶ ସମୟରେ ଟ୍ରାଫିକ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଟ୍ରାଫିକ ଭିଡ କମାଇବା ପାଇଁ ଏହି ମେଟ୍ରୋ ରେଳ ପ୍ରକଳ୍ପ ବେଶ୍ ସହାୟକ ହେବ। ଏହି ପ୍ରକଳ୍ପ ପାଇଁ ଅନ୍ତର୍ଜାତୀୟ ୠଣ ପ୍ରଦାନକାରୀ ସଂସ୍ଥା ଓଡିଶାକୁ ଆର୍ଥିକ ସହାୟତା ଦେବ। କେନ୍ଦ୍ର ସରକାର କେବଳ ଅନୁମତି ଦେବେ। ଯେହେତୁ ଏହି ମେଟ୍ରୋ ପ୍ରକଳ୍ପ ଭୂମିଗତ ହେବ ନାହିଁ, କଂକ୍ରିଟ ପୋଲ କରି ତା ଉପରେ ମେଟ୍ରୋ ଟ୍ରେନ୍‌ ଯାତାୟାତ କରିବ। ତେଣୁ ଅପେକ୍ଷାକୃତ କମ୍ ସମୟରେ ଏହି ପ୍ରକଳ୍ପ କାମ ସରିବ। ଆଜି ମୋ ବସ୍ ପ୍ରକଳ୍ପ ଯେଭଳି ସଫଳ ହୋଇଛି, ମେଟ୍ରୋ ରେଳ ପ୍ରକଳ୍ପ ମଧ୍ୟ ଅନୁରୂପ ଭାବେ ସଫଳ ହେବ ବୋଲି ଶ୍ରୀ ମହତାବ କହିଛନ୍ତି।

ଖୁବ୍‌ ଶୀଘ୍ର ଓଡ଼ିଶାରେ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ। କଟକ-ଭୁବେନଶ୍ବର-ଖୋର୍ଦ୍ଧା-ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ କଟକର ତ୍ରିଶୁଳିଆରୁ ଭୁବନେଶ୍ବର ବିମାନବନ୍ଦର ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏହି ପ୍ରକଳ୍ପ କରିବେ। ଏନେଇ ଉତ୍କଳ ଦିବସ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାରେ ମେଟ୍ରୋ ରେଳ ଚଳାଚଳ ନେଇ ପ୍ରତିଶ୍ରୁତି ଦେଇଥିଲା। ଆଉ ନିର୍ବାଚନର ୪ବର୍ଷ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହାସହ ଓଡ଼ିଶା ଦିବସ ଅବସ‌ରରେ ନୂଆ ଓଡ଼ିଶା ଗଠନ ନେଇ ଏହି ନୂଆ ପ୍ରକଳ୍ପ ବୋଲି ଘୋଷଣା କରି କହିଛନ୍ତି।

ସମ୍ବନ୍ଧିତ ଖବର