ପଞ୍ଜୀକୃତ ଆଲୁମିନି ଆସୋସିଏସନକୁ ଅବୈଧ ଘୋଷଣା ପାଇଁ ଅଭିଯୋଗ

ଭବାନୀପାଟଣା : ଭବାନୀପାଟଣା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆଲୁମିନି ଆସୋସିଏସନର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନଙ୍କୁ ଅଗଣତାନ୍ତ୍ରିକ ପଦ୍ଧତିରେ ପଞ୍ଜୀକୃତ ହୋଇଥିବା ଆଲୁମିନି ଆସୋସିଏସନକୁ ଅବୈଧ ଘୋଷଣା ପାଇଁ ଅଭିଯୋଗ ପତ୍ର ଦେଇଛନ୍ତି।

New Indian Express

ସୂଚନାଯୋଗ୍ୟ ଯେ, ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରଙ୍କୁ ନେଇ ୨୦୦୪ରେ ଏକ ଆଲୁମିନି ଆସୋସିଏସନ ଆରମ୍ଭ ହୋଇଥିଲା । ୨୦୧୦ ମସିହାରେ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସମସ୍ତଙ୍କୁ ନେଇ ଏକ ଆଲୁମିନି ଆସୋସିଏସନ ଗଠିତ ହେବା ସହ ଆଜୀବନ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । ସେ ସମୟରେ ଡ ସୁରଜିତ ସିଂ ଏସୋସିଏସନର ସଭାପତି ଥିଲେ । ପୁଣି ୨୦୧୬ ମସିହାରେ ବାଏ ଲ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ପଦବୀ ଓ କମିଟି ଗଠନ କରାଯାଇଥିଲା । ଏଥିରେ ରାମଚନ୍ଦ୍ର ମହାପାତ୍ର ସଭାପତି, ଭବେନ୍ଦ୍ର ପଣ୍ଡା ଉପସଭାପତି, ଅବିନାଶ ଠାକୁର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ ହୋଇଥିଲା । କିନ୍ତୁ ୨୦୧୯ ମସିହାରେ କିଛି ମୁଷ୍ଟିମେୟ ବ୍ୟକ୍ତି ମିଶି ଆଲୁମିନି ସଦସ୍ୟଙ୍କ ବିନା ପରାମର୍ଶ କିମ୍ବା ସାଧାରଣ ସଭା ନ ଡକାଇ ଲୁଚାଛପାରେ ଏକ ନୂତନ ଆସୋସିଏସନ କରି ନିଜେ ନିଜେ ପଦ ପଦବୀ ଦର୍ଶାଇ ବେଆଇନ ଭାବେ ପଞ୍ଜିକୃତ କରିଛନ୍ତି ବୋଲି ଅଭିଯୋଗ ଆସିଛି । ଏହି ଘଟଣାକୁ ନେଇ ପୂର୍ବରୁ ଗଠିତ ଆଲୁମିନି ଆସୋସିଏସନର ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳ ତଥା ରେଜିଷ୍ଟ୍ରାର ଅଫ ସୋସାଇଟିଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ପଞ୍ଜିକୃତ ଆସୋସିଏସନକୁ ଅବୈଧ ଘୋଷଣା ପାଇଁ ସମସ୍ତ ନଥି ପ୍ରମାଣ ସହ ଅଭିଯୋଗ ପତ୍ର ଦେଇଛନ୍ତି ।

ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ ନିରପେକ୍ଷ ତଦନ୍ତ କରିବା ସହ ଉଚିତ ପଦକ୍ଷପ ନିଆଯିବ ବୋଲି ପ୍ରତିନିଧି ଦଳକୁ ଆଶ୍ବାସନା ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଆଲୁମିନି ଆସୋସିଏସନ ଉପସଭାପତି ଭବେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ଅବିନାଶ ଠାକୁର, ସହ ସମ୍ପାଦକ ମଣ୍ଟୁ ନାଏକ, ପୁର୍ବତନ କଲେଜ ଅଧ୍ୟକ୍ଷ ଡ ଅଜୟ ମିଶ୍ର, ପୁରାତନ ଛାତ୍ର ସତ୍ୟନାରାୟଣ ମହାପାତ୍ର, କୀର୍ତ୍ତନ ନାଏକ ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧିତ ଖବର