ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଭୀମ ଭୋଇଙ୍କ ଉକ୍ତି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି: ଧର୍ମେନ୍ଦ୍ର

ଭୁବନେଶ୍ବର : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ସମାରୋହରେ ଅବସରରେ ସମ୍ବୋଧନରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ କହିବା ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସଂସଦ ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି, ଆଜି ଦେଶ ଅମୃତ ମହୋତ୍ସବ ପାଳନ କରିବା ସହ ଆଗାମୀ ୨୫ବର୍ଷର ଅମୃତ କାଳ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏହି ସମୟରେ ସମାଜର ଅନ୍ତିମ ଶ୍ରେଣୀର ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହୋଇଛନ୍ତି। ପ୍ରଧାନମନ୍ତ୍ରୀ, ଏନ୍‌ଡିଏ ଓ ସାରା ଭାରତର ଅନେକ ରାଜନୈତିକ ଦଳଗୁଡ଼ିକର ସମର୍ଥନ କାରଣରୁ ସେ ରାଷ୍ଟ୍ରପତି ହୋଇପାରିଛନ୍ତି। ଏହା ଆମ ଦେଶର ଗଣତନ୍ତ୍ରର ସବୁଠୁ ବଡ଼ ଉପହାର। ଶ୍ରୀମତୀ ମୁର୍ମୁଙ୍କ ବିଜୟରେ ଗଣତନ୍ତ୍ର ଓ ଜନତାଙ୍କ ବିଜୟ ହୋଇଛି। ବିଜୟର ସବୁଠୁ ବଡ଼ ସମ୍ମାନ ଓଡ଼ିଆ ଜାତିକୁ ମିଳିଛି। ଜଣେ ଓଡ଼ିଆ ଭାବରେ ଏଥିପାଇଁ ମୁଁ ଗୌରବାନ୍ବିତ।

ସୋମବାର ଦିନ ଶ୍ରୀମତୀ ମୁର୍ମୁଙ୍କ ଶପଥ ଗ୍ରହଣ ଅବସରରେ ଓଡ଼ିଆ ଜନଜୀବନ, ଓଡ଼ିଆ ସ୍ବାଭିମାନ ଓ ଓଡ଼ିଆ ବୀର କାହାଣୀର ଝଲକ ଦେଖିବାକୁ ମିଳିଲା। ଜୟ ଜଗନ୍ନାଥ ନାରାରେ ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ ଗୁଞ୍ଜରିତ ହେଲା। ଯାହା ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ। ସେହିପରି ଲଗାତାର ଭାବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ରାମନାଥ କୋବିନ୍ଦଙ୍କ ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶପଥ ନେବା ଅବସରରେ ଭାରତର ସଂଘର୍ଷ କାହାଣୀକୁ ବର୍ଣ୍ଣନା କଲାବେଳେ ପାଇକ କ୍ରାନ୍ତି କଥା ଉଲ୍ଲେଖ କଲେ। ଓଡ଼ିଆ ଜାତି ଓ ଓଡ଼ିଆ ସମାଜ ପାଇଁ ଏହାଠାରୁ ଆଉ କିଛି ବଡ଼ ସମ୍ମାନ ହୋଇନପାରେ।

ସମ୍ବନ୍ଧିତ ଖବର