ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୪୪୧ ଜଣ ଭିନ୍ନକ୍ଷମଙ୍କୁ ଚି଼ହ୍ନଟ କରାଯାଇଛି। ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ତତ୍ୱାବଧାନରେ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା, ରାଇରଙ୍ଗପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଂଜିତ ସୋରେନ, ରାଇରଙ୍ଗପୁର ଅତିରିକ୍ତ ତହସିଲଦାର ରାଜେଶ୍ୱରୀ ମାଝୀ ଓ ସାଂସଦ ପ୍ରତିନିଧି ସଞ୍ଜୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଡ଼ିଓ ଶ୍ରୀମତୀ ପଣ୍ଡା ଏହି ଶିବିର ଆୟୋଜନର ଆଭିମୁଖ୍ୟ ଓ ଉପାଦେୟତା ସମ୍ଭନ୍ଧରେ ଉପସ୍ଥାପନ କରିବା ସହ ଶିବିରରେ ମୁଖ୍ୟତଃ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭତ୍ତା ପାଇଁ, ଯାତାୟାତ ପାଇଁ ବସ ପାସ ଯୋଗାଇଦେବା ଏବଂ ବ୍ୟାଙ୍କରୁ ଋଣ ପାଇବା ନେଇ ପ୍ରମାଣ ପତ୍ର ପ୍ରଦାନ ଇତ୍ୟାଦି ରହିଛି ବୋଲି ବ୍ୟକ୍ତବ ରଖିଥିଲେ।
Advertisment
ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିନ୍ନକ୍ଷମଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ଆର୍ଥିକ ସହାୟତା ସମ୍ଭନ୍ଧରେ ସୂଚନା ପ୍ରଦାନ କରିବା ସହ ଭିନ୍ନକ୍ଷମଙ୍କ ପାଇଁ ପ୍ରତି ମାସରେ ବାରିପଦା ଠାରେ ୧ ତାରିଖରେ ମେଡିକାଲ ବୋର୍ଡ଼ ବସୁଥିବା ଭଳି ଏଣିକି ପ୍ରତି ମାସର ୧୬ ତାରିଖରେ ରାଇରଙ୍ଗପୁର ଠାରେ ଭିନ୍ନକ୍ଷମଙ୍କ ପାଇଁ ମେଡିକାଲ ବୋର୍ଡ଼ ବସିଵା ନେଇ ଘୋଷଣା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାଶ ଏହି ଯୋଜନାର ନାମକରଣର ଯଥାର୍ଥତା ପ୍ରତିପାଦନ କରିବା ସହ ଇତିହାସର ପୃଷ୍ଟଭୂମି ସ୍ମୁତିଚାରଣ କରି ଏହି ଶିବିରର ପରିକଳ୍ପନା ପ୍ରଥମେ ମୟୁରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଥିଲା ବୋଲି ଉଲ୍ଲେଖ କରିଥିଲେ।
publive-image
ଶିବିରରେ ରାଇରଙ୍ଗପୁର ବ୍ଲକ ତଥା ପୌରପାଳିକା ଅଂଚଳର ପ୍ରାୟ ୪୪୧ ବିଭିନ୍ନ ପ୍ରକାର ଭିନ୍ନକ୍ଷମଙ୍କ ନାମ ପଞ୍ଜିକରଣ କରିଥିଲେ। ବାରିପଦା ଓ ରାଇରଙ୍ଗପୁର ଡାକ୍ତରଖାନାର ବିଭିନ୍ନ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ଚି଼ହ୍ନଟ କରିଥିଲେ। ଶିବିରରେ ଆଜି ଅସ୍ଥି ଶଲ୍ୟରେ ୮୬, ପକ୍ଷାଘାତରେ ୪, ଦୃଷ୍ଟିବାଧିତରେ ୧୫ ଜଣ, ମାନସିକ ଅନଗ୍ରସର ରେ ୨୬ ଜଣ, ଇଏନଟିରେ ୧୬ ଜଣ, ମାଇନର ସର୍ଜରୀ ପାଇଁ ୧୦ ଜଣ ଓ ଅନ୍ୟାନ୍ୟ ୩ ଜଣଙ୍କୁ ଚି଼ହ୍ନଟ କରାଯାଇଥିଲା।
ସେହିପରି ଵାଣିଶ୍ରୀ ମେଧା ବୃତ୍ତି ପାଇଁ ୧୧ ଜଣ, ଜାତୀୟ ମେଧାବୃତ୍ତି ପାଇଁ ୦୧ ଜଣ, ଡିଆରଆଇ ଋଣ ପାଇଁ ୯ ଜଣ, ଭତ୍ତା ପାଇଁ ୬୮ ଜଣ, ବିବାହ ସହାୟତା ପାଇଁ ୦୧ ଜଣ ଓ ଉଚ୍ଚତ୍ତର ଅଧ୍ୟୟନ ନିମନ୍ତେ ୦୧ ଜଣ କୁ ଚୟନ କରାଯାଇଛି। ୯୯ ଜଣଙ୍କୁ ସହାୟତା ଉପକରଣ,୧୩୫ ଜଣଙ୍କୁ ବସ ପାସ, ଇନକମ ପ୍ରମାଣ ପତ୍ର ପାଇଁ ୧୪୬, ଦକ୍ଷତା ତାଲିମ ପ୍ରଦାନ ପାଇଁ ୦୭ ଜଣଙ୍କୁ ଏବଂ ହାଉସିଂ ପାଇଁ ୫୭ ଜଣଙ୍କୁ ମନୋନୀତ କରାଯାଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଵାଲେଇଶ୍ରୀ ମୁର୍ମୁ ଓ ଶ୍ରବଣବାଧିତ କମଲ ମୁଣ୍ଡାଙ୍କୁ ମୁଖ୍ୟ ଅତିଥି ଓ ନିମନ୍ତ୍ରିତ ଅତିଥି ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଉକ୍ତ ଶିବିର ପରିଚାଳନାରେ ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିବା ବେଳେ ଶିକ୍ଷକ  ରଞ୍ଜନ ନନ୍ଦ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।