ବଲାଙ୍ଗୀର : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଖାମଖିଆଲି ଭାବେ ଔଷଧ ଦିଆଯାଉଥିବା ନେଇ ଗୁରୁବାର ପ୍ରମାଣ ସହ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମରେ ଅନେକ ଟ୍ରୋଲ୍ ମଧ୍ୟ ହେଉଛି।
ଅଭିଯୋଗ ଅନୁସାରେ, ପ୍ରକାଶ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତିଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେଉଥିବାରୁ ସେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯାଇ ବହିର୍ବିଭାଗରେ କ୍ୟୁ ନମ୍ବର ୨୮୨ରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର ବିଭିନ୍ନ ପ୍ରକାର ପରୀକ୍ଷା କରିବା ପରେ ତାଙ୍କ ପେଟରେ ଅଲସର ସଂଦେହ କରି ଅଲସର ପାଇଁ ଥିବା ସିରପ୍ ‘ସୁକ୍ରାଲଫେଟ’ ଲେଖିଥିଲେ। ମାତ୍ର ହସ୍ପିଟାଲର ନିରାୟମ କେନ୍ଦ୍ରରେ ତାଙ୍କୁ ସେଠାରେ ଥିବା ଫାର୍ମାସିଷ୍ଟ କାଶରେ ବ୍ୟବହାର ହେଉଥିବା ‘ସାଲବୋଟମଲ୍ ସଲଫେଟ୍’ ସିରପ୍ ଦେଇଥିଲେ। ଅଲସର ଔଷଧ ଓ କାଶ ଔଷଧ ମଧ୍ୟରେ ଅନେକ ତାରତମ୍ୟ ରହିଥିବା ବେଳେ ନିରାୟମରେ ଥିବା କର୍ମଚାରୀ ରୋଗୀଙ୍କୁ ଏଭଳି ଭୁଲ୍ ଔଷଧ ଦେବାକୁ ନେଇ ଏବେ ବିବାଦ ଦେଖାଦେଇଛି। ଔଷଧ ଉପରେ ଯଦି କିଛି ଅଭିଜ୍ଞତା ଅଛି ସେମାନେ ଏଭଳି ତ୍ରୁଟିକୁ ଧରିପାରିବେ ନଚେତ୍ ନିରାମୟ କେନ୍ଦ୍ରରୁ ଯେଉଁ ଔଷଧ ଦିଆଯିବ ତାକୁ ରୋଗୀ ଖାଇବା ପାଇଁ ବାଧ୍ୟ ଅଟେ।
ପୂର୍ବରୁ ଔଷଧ କିଣିବା ପରେ ଡାକ୍ତରମାନେ ତାକୁ ନିଜେ ଦେଖି ସେବନ ବିଧି ବତାଉଥିଲେ। ଏବେ ଡାକ୍ତରଙ୍କୁ ଲାଇନ୍ରେ ଛିଡ଼ା ହୋଇ ସାକ୍ଷାତ କରିବା ପରେ ଆଉ ଥରେ ଯାଇ ଔଷଧ ଦେଖାଇବା ସୁଯୋଗ ନାହିଁ। ଫଳରେ ରୋଗୀ ନିରାମୟ କାଉଣ୍ଟରରୁ ଲାଇନ୍ରେ ଛିଡ଼ା ହୋଇ ଯାହା ଔଷଧ ପାଇଲା ତାକୁ ନେଇ ଖାଇଲା। କେହି ଯାଞ୍ଚ କରିବାର ନାହିଁ କି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ହୋଇ ରୋଗୀ ସଂକଟାପନ୍ନ ହେଲେ ଜାଣିବାର ମଧ୍ୟ ପ୍ରଶ୍ନ ଉଠୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/balangie-medical-ccc.jpg)