ପୁଣି ଚର୍ଚ୍ଚାରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲ : କ୍ୟାନ୍‌ସର୍‌ ପୀଡ଼ିତା ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର

ବଲାଙ୍ଗୀର : ପୁଣି ଚର୍ଚ୍ଚାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ। ମେଡିକାଲ କଲେଜ ହସପିଟାଲର ଅଧୀକ୍ଷକ ଡା. ନାରାୟଣ ଆଚାର୍ଯ୍ୟ ପୁଣିଥରେ ବିବାଦ ଘେରକୁ ଟାଣିହୋଇଛନ୍ତି। ଡା ଆଚାର୍ଯ୍ୟ କ୍ୟାନସର ପୀଡ଼ିତା ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏପରିକି ଉକ୍ତ ମହିଳା କର୍ମଚାରୀଙ୍କୁ ତଣ୍ଟି ଚିପିବାକୁ ମଧ୍ୟ ଉଦ୍ୟମ କରିଛନ୍ତି। ଏହି ସମଗ୍ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଅଭିଯୋଗରୁ ଜଣାଯାଏ ଯେ, ବଲାଙ୍ଗୀର ହସପିଟାଲରେ ୧୨ ବର୍ଷ ଧରି ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ କାମ କରି ଆସୁଥିଲେ ସାରତୀ ନାଗ। ଗତ ବର୍ଷ ସାରତୀ କ୍ୟାନସର ରୋଗରେ ପୀଡ଼ିତ ହୋଇଥିଲେ। ଏହାପରେ ସେ ବହୁ ଦିନ ଧରି ହସପିଟାଲ ଆସିପାରି ନଥିଲେ। ସେ ସୁସ୍ଥ ହେବା ପରେ ଗତ ସେପ୍ଟେମ୍ବର ୧ ତାରିଖ ପୁଣି କାମରେ ଯୋଗ ଦେଇଥିଲେ। ୬ ତାରିଖ ଦିନ ବଲାଙ୍ଗୀରରେ ବନ୍ୟା ଯୋଗୁଁ ତାଙ୍କ ଘରକୁ ପାଣି ପଶିଥିଲା। ଉକ୍ତ ଦିନ ସେ ହସପିଟାଲକୁ ଡ୍ୟୁଟି ଯାଇପାରି ନଥିଲେ। ଏଥିପାଇଁ ଅଧୀକ୍ଷକ ତାଙ୍କୁ କାମରୁ ବାହାର କରି ଦେଇଥିଲେ। ବାରମ୍ବାର ସାରତୀ ଅଧୀକ୍ଷକଙ୍କ ପାଖକୁ ଯାଇ ଗୁହାରି କରିଥିଲେ। କିନ୍ତୁ, ତାଙ୍କୁ ସାନ୍ତ୍ବନା ଦେବା ପରିବର୍ତ୍ତେ ଅଧୀକ୍ଷକ ଚାମ୍ବରରୁ ତଡ଼ି ଦେଉଥିଲେ। ତେଣୁ ସାରତୀ ଗତ ୧୨ ତାରିଖ ଦିନ ତାଙ୍କ ସହ ତାଙ୍କ ପାଖ ପଡ଼ୋଶୀ କେତେ ଜଣଙ୍କୁ ନେଇ କାମ କରିବାକୁ ଗୁହାରି କରିଥିଲେ। ଏହି ସମୟରେ ଅଧୀକ୍ଷକ ହଠାତ୍‌ ରାଗିଯାଇ ଗାଳିଗୁଲଜ କରିଥିଲେ। ସାରତୀ କହିଛନ୍ତି, ସେ ଜଣେ କ୍ୟାନସର ରୋଗୀ ହୋଇଥିବାରୁ କାମ ଦିଆଯିବ ନାହିଁ ବୋଲି ଅଧୀକ୍ଷକ କହିଥିଲେ। ଏପରିକି ତାଙ୍କୁ ଜୀବନରେ ମାରିଦେବାର ଉଦ୍ୟମ କରି ତଣ୍ଟି ଚିପିବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ଡା. ନାରାୟଣ ଆଚାର୍ଯ୍ୟଙ୍କୁ ପଚରାଯିବାରୁ ସେ ଘଟଣା ସଂପର୍କରେ କିଛି କହିବା ପାଇଁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର