ମୃତ ଭୀମାର ତାଲିମ ଭିଡିଓ ଭାଇରାଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମାରେ ଗତକାଲି ପୁଲିସ ଗୁଳିରେ ୯ଜଣ ନକ୍ସଲ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଦୁଇ ଜଣ କ୍ୟାଡର ନକ୍ସଲ ଥିଲେ। ସେମାନେ ହେଲେ ଭୀମା ତାତି ଏବଂ ମହିଳା ମାଓବାଦୀ ରାଜେ। ଏହି ଦୁଇ ଜଣଙ୍କ ନାମରେ ସରକାର ୮ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ଗତକାଲିର ସଫଳ ଅପରେସନ ପରେ ପୁଲିସ ଘଟଣା ସ୍ଥଳ‌େର ସର୍ଚ୍ଚ ଅପରେସନ କରୁଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଥିଲା। ସେଥିରେ ଗୋଟିଏ ଭିଡିଓ ବି ରହିଥିଲା। ଏହି ଭିଡିଓରେ ଭୀମା ତାତି ନୂତନ ନକ୍ସଲଙ୍କୁ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭୀମା ଗରିଲା ଯୁଦ୍ଧର ବିଶେଷଜ୍ଞ ଥିଲା। ଭୀମାକୁ ବନ୍ଧୁକ ଚାଳନା ଠାରୁ ଆରମ୍ଭ କରି ଆମ୍ବୁସ ଲଗାଇବା ପର୍ଯ୍ୟନ୍ତ ସବୁ କିଛି ଜଣାଥିଲା। ନକ୍ସଲ ସଂଗଠନରେ ଯୁବକ, ଯୁବତୀ ସାମିଲ ହେବା ପରେ ସେମାନଙ୍କୁ ଗରିଲା ଯୁଦ୍ଧର ତାଲିମ ଦେଉଥିଲା। ସେ ଏହି ଭିଡିଓରେ କିପରି ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରାଯିବ ସେନେଇ ତାଲିମ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ସେହିପରି ବନ୍ଧୁକ ଚାଳନା ବେଳେ କେତେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, ଆମ୍ବୁସରେ ସୁରକ୍ଷା କର୍ମୀଙ୍କୁ କିପରି ଫସାଇ ସେମାନଙ୍କୁ ହତ୍ୟା କରିବ ସେନେଇ ଭୀମା ତାଲିମ ଦେଉଥିବା ସ୍ପଷ୍ଟ ଚିତ୍ର ରହିଛି। ଭୀମା ଜଣେ ମାଷ୍ଟର ଟ୍ରେନର ହୋଇଥିବା ବେଳେ ତାର ମୃତ୍ୟୁ ସଂଗଠନକୁ ଏକ ପ୍ରକାର ଦୁର୍ବଳ କରି ଦେଇଥିବା ପୁଲିସ କହିଛି। ଦୁଇ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ଭୀମା ପୂର୍ବରୁ ଦକ୍ଷିଣ ବସ୍ତରର ଟ୍ରେନର ଭାବେ ଅର୍ଜୁନ ବେଶ ପରିଚିତ ଥିଲା। ତେବେ ସେ ମଧ୍ୟ କିଛି ଦିନ ତଳେ ଆନ୍ଧ୍ରରେ ଆତ୍ମସମର୍ପଣ କରିବା ପରେ ଭୀମାକୁ ସଂଗଠନ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଯାହାଫଳରେ ଗତକାଲି ଭୀମା, ରାଜେ ବଡ଼ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। କିନ୍ତୁ ସତର୍କ ରହିଥିବା ଗୁଇନ୍ଦା ବାହିନୀ ନିକଟରେ ଏନେଇ ଖବର ପହଞ୍ଚି ଯାଇଥିଲା। ଯାହାଫଳରେ ଯୋଜନାବଦ୍ଧ ଭାବେ ପ୍ରାୟ ୧୨୦୦ ଶହ ଯବାନ ନକ୍ସଲଙ୍କ ଏହି କ୍ୟାମ୍ପକୁ ଘେରି ଯାଇଥିଲେ। ତେଣୁ ଏମାନଙ୍କୁ ଖସିବା ପାଇଁ ବାଟ ମିଳି ନଥିଲା। ସେହିପରି ଡିଭିଜନାଲ କମିଟି ସଦସ୍ୟ ରହିଥିବା ଭୀମା ଓ ରାଜେକୁ ହରାଇ ସଂଗଠନ ସୁକମା ଅଂଚଳରେ ପଛକୁ ଫେରିଥିବା ବେଳେ ପୁଲିସର ମନୋବଳ ବଢ଼ିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର